ଝାରସୁଗୁଡା ଉପନିର୍ବାଚନ – ସରିଲା ପ୍ରଚାର , ୧୦ରେ ମତଦାନ, ୨୫୩ ବୁଥରେ ହେବ ଭୋଟ ଗ୍ରହଣ 

Spread the love

ଭୁବନେଶ୍ୱର, ୦୮ ମଇ – ଆସନ୍ତା ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଝାରସୁଗୁଡାରେ ମୋଟ ୨୫୩ ବୁଥରେ ମତଦାନ ହେବ । ସେଥିମଧ୍ୟରେ ୨୬ଟି ପିଙ୍କ୍ ବୁଥ୍ ରହିଛି ।  ସକାଳ ୭ଟାରୁ ସଂଧ୍ୟା ସାଢେ ୬ ଟା ଯାଏଁ ଭୋଟିଂ ହେବ । ପୋଲିଂ ପାର୍ଟିମାନେ ନିଜ ନିଜ ବୁଥ୍ ରେ ପହଂଚିସାରିଛନ୍ତି । ସେହିପରି ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ଏକ  ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ସୋମବାର ଅପରାହ୍ନରେ ଉପନିର୍ବାଚନକୁ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ଧଳ କହିଛନ୍ତି ଯେ ସୋମବାର ସନ୍ଧ୍ୟା ୬ଟା ପରେ ଝାରସୁଗୁଡାରେ ଷ୍ଟାର ପ୍ରଚାରକ ତଥା ରାଜନୈତିକ ବ୍ୟକ୍ତିଙ୍କୁ ପ୍ରଚାର ଲାଗି ବାରଣ କରାଯାଇଛି ।  ବହୁମାତ୍ରାରେ ମତଦାନ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ।

ସିଇଓ ସୂଚନା ଦେଇ କହିଛନ୍ତି ମୋଟ ୨୫୩ ବୁଥ୍ ରେ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୦ ହଜାର ୬୧୯ ଜଣ ପୁରୁଷ, ୧ ଲକ୍ଷ ୧୧ ହଜାର ୩୭ ଜଣ ମହିଳା , ୬୩ ଜଣ ତୃତୀୟ ଲିଙ୍ଗ , ୨୪୯ ଜଣ ସର୍ଭିସ୍ ଓ ୨୫୩୪ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ୧୨ ପ୍ରକାର ପରିଚୟପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟର ଭୋଟ୍ ଦେଇପାରିବେ । 

ସେ କହିଛନ୍ତି ୨୫୩ରୁ ୧୪୪ ବୁଥରେ ସେଂଟ୍ରାଲ ଟିମ ନିୟୋଜିତ କରାଯାଇଛି । ୨୬ଟି ପିଙ୍କ୍ ବୁଥ କରାଯାଇଛି । ସେହିପରି ୪୦ଟି ଆଦର୍ଶ ବୁଥ୍ ରହିଛି । ୧୧୬ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୧୦୧୨ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅତିରିକ୍ତ ୯୬ ଜଣ ପୋଲିଂ କର୍ମଚାରୀଙ୍କୁ ରିଜର୍ଭ ରଖାଯାଇଛି । ଉପନିର୍ବାଚନରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ସମସ୍ତ ବୁଥରେ ୱେବ କାଷ୍ଟିଙ୍ଗ ହେବ । ପିଡବ୍ଲ୍ୟୁଡି ଭୋଟରଙ୍କ ପାଇଁ ୧୧୮ଟି ଅଟୋ ରିକ୍ସା ବ୍ୟବସ୍ଥା ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇଛି । ଏଥିମଧ୍ୟରୁ ୬୯ ବୁଥରେ ମାଇକ୍ରୋ ଅବଜଭର ରଖାଯାଇଛି ।

୧୭୧ଟି ଲାଇସେନ୍ସ ବନ୍ଧୁକ ଫେରାଇ ଅଣାଯିବା ସହ ୧୧୨ଟି ଏନ୍‌ବିଡବ୍ଲୁ କାର୍ଯ୍ୟକାରୀ କରାଯାଇଛି । ତେବେ ଏପର୍ଯ୍ୟନ୍ତ ୧୩ ଲକ୍ଷ ୨୪ ହଜାର ଟଙ୍କାର ବିଭିନ୍ନ ଜିନିଷ ଜବତ କରାଯାଇଛି । ବର୍ତମାନ ସୁଦ୍ଧା ୧୨ଟି ଅଭିଯୋଗ ଆସିଥିବା ବେଳେ ୯ଟି ମଡେଲ କୋଡ ଅଫ୍ କଣ୍ଡକ୍ଟ ଅଭିଯୋଗ ଆସିଛି । ସେଥିପ୍ରତି ଧ୍ୟାନ ଦିଆଯାଇଛି । ସେପଟେ ନିର୍ବାଚନ ପାଇଁ ଭୋଟରଙ୍କୁ ସବୈତନ ଛୁଟି ଦେବାକୁ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

Leave a Reply

Your email address will not be published. Required fields are marked *