ଶଙ୍ଖ ଭବନରେ ଆୟୋଜିତ ହେଲା ଝାରସୁଗୁଡା ବିଜୟ ଉତ୍ସବ, ମା‘ମାନଙ୍କୁ ଅସମ୍ମାନ, ଓଡ଼ିଶାବାସୀ ବରଦାସ୍ତ କରିବେନି: ନବୀନ

Spread the love

ଭୁବନେଶ୍ୱର : ଝାରସୁଗୁଡା ବିଧାନସଭା ଉପ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ପରେ ଦଳ ପକ୍ଷରୁ ଶଙ୍ଖ ଭବନରେ ଝାରସୁଗ଼ୁ଼ଡା ବିଜୟ ଉତ୍ସବ ପାଳନ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଡବଲ୍ ଇଞ୍ଜିନ କି ସିଙ୍ଗଲ ଇଞ୍ଜିନ ବୁଝେ ନାହିଁ । ସୁଶାସନ ଓ ଇଚ୍ଛାଶକ୍ତି ଯେଉଁଠି ବିକାଶ ହିଁ ସେଇଠି । ଝାରସୁଗୁଡା ଉପନିର୍ବାଚନ ବିଜୟ ବିଜେଡିର ବିଜୟ ନୁହେଁ ଏହା ଝାରସୁଗୁଡ଼ାବାସୀଙ୍କର ଓ ମହିଳା ସଶକ୍ତିକରଣର ବିଜୟ । ମୁଁ ଆଜି କଥା ଦେଉଛି, ଝାରସୁଗୁଡ଼ା ଅଂଚଳର ଉନ୍ନତି ପାଇଁ ବିଜୁ ଜନତା ଦଳ ତାର ଉଦ୍ୟମକୁ ଆହୁରି ଜୋରଦାର କରିବ । ଝାରସୁଗୁଡ଼ା ପାଇଁ ନବ ବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ ।

ସେ ଆହୁରି କହିଥିଲେ  ‘‘ ମୁଁ ଝାରସୁଗୁଡାବାସୀଙ୍କ ନିକଟରେ ଋଣୀ।। ଏ ବିଜୟ ଝାରସୁଗୁଡାବସୀଙ୍କର, ମହିଳା ସଶକ୍ତିକରଣର ବିଜୟ । ନବଦାସଙ୍କ ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନିଆଯିବ । ଓଡ଼ିଶାର ଲୋକମାନଙ୍କ ପାଖରେ ବିଜେଡି ସବୁବେଳେ ଠିଆ ହୋଇଛି । ମହିଳାଙ୍କ ପାଇଁ କାର୍ଯ୍ୟ କରୁଛି ବିଜେଡି । ସେମାନଙ୍କୁ ହାଣ୍ଡିଶାଳର ଚାରିକାନ୍ଥ ମଧ୍ୟରୁ ବାହାରକୁ ଆଣିବା ସହ ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି । ହେଲେ ବିରୋଧି ଦଳ ସବୁବେଳେ ମା ମାନଙ୍କ ସଶକ୍ତୀକରଣକୁ ବିରୋଧ କରିଆସୁଛି । ବିରୋଧି ଦଳଙ୍କ ଏଭଳି ବ୍ୟବହାରକୁ ଓଡିଶାବାସୀ ସବୁବେଳେ ନାପସନ୍ଦ କରି ଆସିଛନ୍ତି’’ ।

ଆମର ଝିଅ ମାନେ ଆମର ଗର୍ବ । ଏମିତି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ, ବିଜୁ ଜନତା ଦଳ ସବୁବେଳେ ସମାଜର ବିଭିନ୍ନ କ୍ଷେତ୍ରରେ ମା ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି । ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ଭଳି ପ୍ଲାଟଫର୍ମ ଯୋଗାଇ ଦେଇଛି । ମା’ ମାନଙ୍କର ସଶକ୍ତିକରଣରେ ବିଜେଡି ବିଶ୍ୱାସ କରେ । ବିଡମ୍ବନା ବିରୋଧି ଦଳ ସବୁବେଳେ ମା ମାନଙ୍କ ସଶକ୍ତୀକରଣକୁ ବିରୋଧ କରି ଆସୁଛି । ଏହା ଏକ ବିପଦଜନକ ସଙ୍କେତ । ଓଡିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି ଏବଂ ପ୍ରତ୍ୟାଖ୍ୟାନ କରିଛନ୍ତି ।

ପଦ୍ମପୁର ହେଉ ବା ଝାରସୁଗୁଡ଼ା । ସବୁଠି ବିରୋଧି ବାପାଙ୍କୁ ହରେଇଥିବା ଝିଅ ମାନଙ୍କୁ ଗାଳି କରିଛନ୍ତି । ପ୍ରତ୍ୟେକ ଉପ ନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ ତଥା ତୃଣମୂଳସ୍ତରରେ କାମ କରୁଥିବା ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି । କିନ୍ତୁ ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରିନାହାନ୍ତି ।

ଏହି ଅବସରରେ ନବୀନ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇ କହିଲେ, ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓଡିଶାର ଉନ୍ନତି ପାଇଁ ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆମ ସଂସ୍କୃତି ଏବଂ ମା ମାନଙ୍କ ସମ୍ମାନ ଓ ଅଧିକାର ସୁରକ୍ଷା ପାଇଁ କାମ କରିଚାଲିବା ।

 ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡା ବିଜୟ ଉତ୍ସବରେ ନବୀନଙ୍କ ଉପସ୍ଥିତି ପାଇଁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୃତଜ୍ଞତା ଜଣାଇବା ସହ ଝାରସୁଗୁଡାବାସୀ ନକରାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସାରଦା ନାୟକ ନିଜର ଅଭିଭାଷଣ ରଖିଥିଲେ ।

ଭର୍ଚୁଆଲ ମୋଡରେ ଦୀପାଳି ଦାସ ଯୋଡ଼ିହୋଇ କହିଥିଲେ, ଝାରସୁଗୁଡ଼ାବାସୀଙ୍କୁ କୃତଜ୍ଞତା ଜଣାଉଛି । ମୋ ଉପରେ ଏତେ ବିଶ୍ୱାସ ରଖିଥିବାରୁ ଧନ୍ୟବାଦ ଜଣାଉଛି । ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛନ୍ତି । ତାଙ୍କର ସମର୍ଥନ ଓ ଆଶୀର୍ବାଦ ପାଇଁ ମୋତେ ଝାରସୁଗୁଡ଼ାବାସୀ ବିଜୟୀ କରାଇଛନ୍ତି । ଏହି ବିଜୟ ଶଙ୍ଖର ବିଜୟ । ଏହି ବିଜୟ ନବୀନ ପଟ୍ଟନାୟକଙ୍କ ବିଜୟ । ଏହି ବିଜୟ ଝାରସୁଗୁଡ଼ାବାସୀଙ୍କର । ଏହି ବିଜୟ ନବ ଦାସଙ୍କର ବିଜୟ ବୋଲି ଦୀପାଳି କହିଛନ୍ତି ।

Leave a Reply

Your email address will not be published. Required fields are marked *