କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ର ପ୍ରସ୍ତୁତି ବୈଠକ

    ପ୍ରତିବର୍ଷ ନଭେମ୍ବର ପହିଲା କୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଭାବରେ ପାଳନ କରାଯାଉଛି। ତେବେ ଜିଲ୍ଲା ଗଠନ ଦିବସ କଳାହାଣ୍ଡି ଅସ୍ମିତାର ପରିଚାୟକ ତେଣୁ ପ୍ରତି ସ୍ତରରେ ଜିଲ୍ଲା ସାରା ପାଳନ କରାଯାଉ ଓ ଏଥିରେ କଳାହାଣ୍ଡିଆ ଜିଲ୍ଲାର ସମସ୍ତ ସଂଗଠନ, ସାଂସ୍କୃତିକ ସଂଗଠନ, ରାଜନୈତିକ ସଂଗଠନ ସାମିଲ ହୋଇ ନିଜ ନିଜ ସ୍ତରରେ ଉତ୍ସବ ଆୟୋଜନ କରିବାକୁ ଆଜି ସ୍ଥାନୀୟ ଅମଲା ଭବନ ଠାରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୋଜତ ବୈଠକରେ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି। କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ସଭାପତି ଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ଡାକ୍ତର ଭାରତ ବନ୍ଧୁ ପଣ୍ଡା, କମ୍ୟୁନିଷ୍ଟ ପାର୍ଟିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କଳାହାଣ୍ଡି ବଣିକ ସଂଘ ସଭାପତି ବିଜୟ କୁମାର ସାହୁ , ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ଅମଲା ସଂଘର ଉପଦେଷ୍ଟା ରୂପ କେଶରୀ ଦଳେଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି କଳାହାଣ୍ଡି ଜିଲ୍ଲା ଗଠନ ଦିବସକୁ ବ୍ୟାପକ ଭାବରେ ଜିଲ୍ଲା ବ୍ୟାପି ଆୟୋଜନ କରିବା ପାଇଁ ଓ ରଚନାତ୍ମକ ଶୈଳୀରେ ଆୟୋଜନ କରିବା ପାଇଁ ଆହ୍ବାନ କରିଥିଲେ। ବିଭିନ୍ନ ସଙ୍ଗଠନ ଓ କଳାହାଣ୍ଡିର ଜନ ସାଧାରଣ ଏହି ଦିଗରେ ଆଗେଇ ଆସି କଳାହାଣ୍ଡି ଜିଲ୍ଲା ଗଠନ ଦିବସକୁ ସଫଳ ରୂପାୟନ କରିବାକୁ ବିଭିନ୍ନ ବକ୍ତା ମତ ଦେଇଥିଲେ। ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଭାରତ ଭୂଷଣ ଚଲାଣ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଯୋଗ୍ୟ, କଳାହାଣ୍ଡି ଏକ ଗଡଜାତ ରାଜ୍ୟ ଥିଲା। କଳାହାଣ୍ଡି ଗଡଜାତର ଶେଷ ନାଗବଂଶୀ ମହାରାଜା ପ୍ରତାପ କେଶରୀ ଦେଓ ୧୯୪୭ ମସିହା ଡିସେମ୍ବର ୩୧ ତାରିଖ ରାତିରେ ଗଡଜାତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କଲେ ଓ ୧୯୪୮ ଜାନୁୟରୀ ପହିଲାରେ କଳାହାଣ୍ଡି ଗଡଜାତ ସ୍ଵାଧୀନ ଭାରତ ଦେଶରେ ମିଶ୍ରଣ ହେଲା ଓ ଓଡ଼ିଶା ପ୍ରଦେଶର ଅଂଶ ବିଶେଷ ହେଲା। ସେତେବେଳେ କଳାହାଣ୍ଡି ଗଡଜାତ ବଲାଙ୍ଗୀର ପାଟଣା ଜିଲ୍ଲାର ଏକ ଅଂଶ ହେଲା। ୧୯୪୯ ମସିହା ନଭେମ୍ବର ପହିଲାରେ ପୂର୍ବତନ କଳାହାଣ୍ଡି ଗଡଜାତ ର ଭବାନୀପାଟଣା ଓ ଧର୍ମଗଡ ସବଡିଭିଜନ ଓ ସମ୍ବଲପୁର ଜିଲ୍ଲାରେ ମିଶିକି ଥିବା ନୂଆପଡ଼ା ସବଡିଭିଜନ କୁ ଆଣି ନୂତନ କଳାହାଣ୍ଡି ରାଜସ୍ବ ଜିଲ୍ଲା ଗଠନ ହେଲା। ତେଣୁ ପ୍ରତିବର୍ଷ ନଭେମ୍ବର ପହିଲା କୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଭାବରେ ପାଳନ କରାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *