ନିଖୋଜ ନାବାଳିକାର ଶବ ଉଦ୍ଧାର, ହତ୍ୟା ଅଭିଯୋଗ ରେ ରାସ୍ତା ରୋକ

Spread the love

କନ୍ଧମାଳ : ଫୁଲବାଣୀ ସହର ନାରାୟଣୀ ମନ୍ଦିର ନିକଟରେ ଥିବା ଏକ ନବ ନିର୍ମାଣ ଘର ଭିତରେ ଥିବା ଏକ କୋଠରୀ ଭିତରେ ଜଣେ ୯ ବର୍ଷ ର ନାବାଳିକାର ଶବ ଜବତ କରିଛି ଫୁଲବାଣୀ ଟାଉନ ଥାନା ପୁଲିସ । ଘର ଭିତରେ ଲିଫ୍ଟ୍ ରୁମ୍ ରେ ଥିବା ପ୍ରାୟ ୪ ଫୁଟ ପାଣି ଭିତରେ ଶବଟି ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଜି ସେଠାରେ ଶବଟି ଭାସୁଥିବା ନେଇ ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।ତେବେ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ଟାଉନ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ନାରାୟଣୀ ରୋଡ ନିକଟସ୍ଥ ରୁଗୁଡି ସାହିର ରାଘବ ବେହେରାଙ୍କ ଝିଅ ସାନି ବେହେରା(୯)ବୋଲି ଜଣାପଡିଛି । ସାନି ଗତ ସୋମବାର ଠାରୁ ନିଖୋଜ ଥିବା ନେଇ ପିତା ରାଘବ ଫୁଲବାଣୀ ଟାଉନ ଥାନାରେ ଏକ ଅଭିଯୋଗ କରି ଥିଲେ । ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ସହ ସାନିକୁ ଖୋଜାଖୋଜି କରୁଥିଲା । ଆଜି ତାର ଶବ ଉଦ୍ଧାର ହେବା ପରେ ତାର ପରିବାର ଏବଂ ଅଂଚଳ ବାସୀ,ଏହାକୁ ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିବା ସହ ସ୍ଥାନୀୟ ମାଦିକୁନ୍ଦା ଛକଠାରେ ଘଟଣା ର ଅଭିଯୁକ୍ତକୁ ଗିରଫ ଏବଂ କ୍ଷତି ପୂରଣ ଦାବୀରେ ରାସ୍ତା ରୋକ କରିଥିଲେ । ଫଳରେ ଫୁଲବାଣୀ ସହରକୁ ବେଶ୍ କିଛି ସମୟ ପାଇଁ ଯାତାୟତ ବାଧା ପ୍ରାପ୍ତ ହୋଇଥିଲା । ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା । ତେବେ ଏହା ଏକ ହତ୍ୟା କି ଦୁର୍ଘଟଣା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *