ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ଆସନ୍ତା କାଲି ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଂଗଠନ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଲା ଲାଲ୍ ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଲାଲ୍ ବ୍ୟାନର ଓ ପୋଷ୍ଟର ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ବେଳେ କୋଟଗଡ଼ ଥାନା ବଣ୍ଡାପିପିଲି ରାଜ୍ୟ ରାଜପଥ କଡ଼ରେ ମଧ୍ୟ ମାଓ ସଙ୍ଗଠନର ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ୫୯ନଂ ଜାତୀୟ ରାଜପଥର ସିମନବାଡ଼ି ଟୋଲଗେଟ ନିକଟ ଓ ବୁଡ଼ାଗୁଡ଼ା ଛକ ଏବଂ ବଣ୍ଡାପିପିଲି ଗାଁ ରାସ୍ତା କଡ଼ରେ ୧୨ଦଫା ଦାବି ନେଇ ଆସନ୍ତାକାଲି, ଅର୍ଥାତ୍ ମଇ୧୫ ତାରିଖରେ ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ । ୭ ଜିଲ୍ଲା ମଧ୍ୟରେ କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ ।

ଦୁଇଦିନ ତଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଂଚାୟତର ପୂର୍ବତନ ସରପଂଚଙ୍କୁ ମାଓବାଦୀ ମାନେ ଘରୁ ଡାକିନେଇ ଗୁଳିକରି ହତ୍ୟା କରିଥିଲେ । ଗତକାଲି ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସହିତ ଗୁଇନ୍ଦା ବିଭାଗ ନିର୍ଦେଶକ ସଂଜୀବ ପଣ୍ଡା, ଆଇଜି ଅପେରସନ ଅମିତାଭ ଠାକୁର, ଦକ୍ଷିଣାଚଂଳ ଆଇଜି ସତ୍ୟବ୍ରତ ଭୋଇ, ସିଆରପିଏଫ୍ କମାଣ୍ଡେଂଟ ସଞ୍ଜୀବ କୁମାର, ସୀମା ସୁରକ୍ଷା ବଳର ଆଇଜି ଦୀନେଶ କୁମାର ଶର୍ମାଙ୍କ ସମେତ ରାଜ୍ୟର ୫ ବରିଷ୍ଠ ପୋଲିସ ଅଧିକାରୀ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ସିଆରପିଏଫ୍ ଓ ବିଏସଏଫ କ୍ୟାମ୍ପ ବୁଲିବା ସହ ମାଓବାଦୀଙ୍କ ଗତିବିଧିର ସମୀକ୍ଷା କରି ଫେରିଥିବା ବେଳେ ଆଜି ଦାରିଙ୍ଗବାଡ଼ି ଥାନା ଅଂଚଳରେ ବ୍ୟାନର୍ ପୋଷ୍ଟର ଜାରି କରି ନିଜର ଉପସ୍ଥିତି ଜାହିର କରିବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ଅନ୍ୟପକ୍ଷରେ କିଛି ବର୍ଷ ହେବ ଦାରିଙ୍ଗବାଡ଼ି ଥାନା ଅଂଚଳରେ ମାଓବାଦୀଙ୍କ ଗତିବିଧି ଜଣାପଡ଼ୁନଥିବା ବେଳେ ବର୍ତମାନ ପୁଣି ଥରେ ଅଂଚଳରେ ମାଓବାଦୀଙ୍କ ବ୍ୟାନର ପୋଷ୍ଟର ଦେଖି ଅଂଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *