ଚାଲିଛି ମହାରାଜଙ୍କ ନ୍ୟାୟ ବିଧାନ

Spread the love

ବରଗଡ:  ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାନାୟକ କଂସ । ମହାରାଜ କଂସ ଜଣେ ସୁଶାସକ ଭାବେ ପରିଚିତ, ମଥୁରାବାସୀଙ୍କ ମଙ୍ଗଳ ପାଇଁ ମହାରାଜ ମଥୁରାର ପ୍ରଶାସନିକ ଅଧିକାରୀମାନଙ୍କୁ ଡ଼କାଇ ପରିସ୍ଥିତିର ସମୀକ୍ଷା କରିବା ସହ ବିଭିନ୍ନ ଅଭିଯୋଗ ଉପରେ ନ୍ୟାୟ କରିଥିଲେ ।

ମହାରାଜ କଂସ ଜଣେ ସୁଶାସକ ।  ତାଙ୍କର ନ୍ୟାୟ ବ୍ୟବସ୍ଥା ହେଉଛି ନିଆରା । ମଥୁରାବାସୀଙ୍କ ମଙ୍ଗଳ ପାଇଁ ସେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ତାଙ୍କ ରାଜଦରବାରକୁ ଡ଼କାଇଥାନ୍ତି ।  ପରିସ୍ଥିତି ସମୀକ୍ଷା କରିବା ସହ ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି ମଧ୍ୟ କରିଥାନ୍ତି । ଜିଲ୍ଲା ପ୍ରଶାସନଙ୍କ ସମେତ ପୋଲିସ, ସ୍ୱାସ୍ଥ୍ୟ ବିଭାଗ,  ବନ ବିଭାଗ, ଗ୍ରାମ୍ୟ ଉନ୍ନୟନ, ବିଦ୍ୟୁତ, ପୁର୍ତ୍ତ ବିଭାଗ,ବିଦ୍ୟୁତ ବିଭାଗ ଓ ଅନ୍ୟାନ୍ୟ ବିଭାଗର ଅଧିକାରମାନଙ୍କୁ ଡ଼କାଇ ସ୍ଥିତି ପଚାରିଥାଆନ୍ତି। ଯାହା ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିବସରେ ଦେଖିବାକୁ ମିଳିଛି ।

ସରକାରୀ ଅଧିକାରୀଙ୍କ ନାଁରେ ଥିବା ଅଭିଯୋଗକୁ ଗୋଟି ଗୋଟି କରି ମହାରାଜାଙ୍କ ଆଗରେ ଉପସ୍ଥାପନ କରନ୍ତି । ଆରୋପ ଗୁଡିକର ସ୍ପଷ୍ଟୀକରଣ ଦିଅନ୍ତି ପ୍ରଶାସନିକ ଅଧିକାରୀ । ଉତ୍ତରରେ ସନ୍ତୁଷ୍ଟ ହେଲେ ମହାରାଜ ଦେଇଥାନ୍ତି ପୁରସ୍କାର ଏବଂ ଅସନ୍ତୁଷ୍ଟ  ହେଲେ କରିଥାନ୍ତି ଦଣ୍ଡାଦେଶ ।  ଏହି ଅବସରରେ ମଥୁରାରେ  ବିଦ୍ୟୁତ ବିଭାଗର ଅବହେଳା, ଲୋ  ଭୋଲଟେଜ, ଅଘୋଷିତ ବିଦ୍ୟୁତ କାଟକୁ ନେଇ ମହାରାଜ କଂସ ବିଭାଗୀୟ ଅଧିକାରୀଙ୍କ ଉପରେ କ୍ରୋଧାନ୍ୱିତ ହେବା ସହ ତାଙ୍କୁ ୫୫ ଲକ୍ଷ ସ୍ଵର୍ଣ୍ଣମୁଦ୍ରା ଜରିମାନା କରିଛନ୍ତି । ସେହିପରି ବରଗଡ଼ ପୌର ପରିଷଦ ଅଞ୍ଚଳରେ ବ୍ୟାପକ ଭାବେ ଧୂଳି ଉଡୁଥିବାରୁ ଏହାକୁ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ କରୋନା ଉପରେ ଆଗତୁରା ପଦକ୍ଷେପ ନେବାକୁ କହିଛନ୍ତି ।

ବର୍ତ୍ତମାନ ଯୁଗରେ ସୁଶାସନ ଏକ ବଡ଼ ପ୍ରସଙ୍ଗ ହୋଇଥିବା ବେଳେ ମହାରାଜ କଂସ ମଥୁରାରେ ସୁଶାସନ ପାଇଁ ବଦ୍ଧପରିକର । ମଥୁରା ନଗରୀରେ ଯେପରି ଅନ୍ୟାୟ ଅତ୍ୟାଚାର ନହୁଏ , ସେଥିପ୍ରତି ମହାରାଜ କଂସ ନିଜ ମନ୍ତ୍ରୀ ପରିଷଦକୁ କଡ଼ା ନିର୍ଦେଶ ଦେଇଛନ୍ତି । କଂସ ମହାରାଜଙ୍କ ଏହି ଅଭିଯୋଗ ଶୁଣାଣି ଏକ ନିଆରା ପରମ୍ପରା ସୃଷ୍ଟି କରିଥିବା ବେଳେ କଂସ ବଞ୍ଚିଥିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କହିଛନ୍ତି ମହାରାଜ କଂସ ।

ଦ୍ୱାପର ଯୁଗରେ ମହାରାଜ କଂସଙ୍କୁ ଖଳନାୟକ କୁହାଯାଉଥିଲା ହେଲେ ବରଗଡ଼ ଧନୁଯାତ୍ରାର କଂସ ଜଣେ ସୁଶାସକ ଏବଂ ମଥୁରାବାସୀଙ୍କ ମଙ୍ଗଳ ପାଇଁ କାର୍ଯ୍ୟକରିଥାନ୍ତି।

ଧ୍ରୁବ କର୍ମୀ

Leave a Reply

Your email address will not be published. Required fields are marked *