ଭୁବନେଶ୍ବର: ପୁଣି ଲିଙ୍ଗରାଜ ମନ୍ଦିରରେ ବିବାଦ l କାଲିଠୁ ବନ୍ଦ ମହାପ୍ରଭୁଙ୍କ ନୀତିକାନ୍ତି l ଭୋଗ ମାରା ପ୍ରସଙ୍ଗକୁ ନେଇ ଦେଖାଦେଇଛି ଏଭଳି ବିବାଦ l ସେପଟେ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ମନ୍ଦିର ପ୍ରଶାସନ ଦ୍ୱାରା ଏହାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ବି ତାହା ବିଫଳ ହୋଇଛି l
ଦୁଇ ଦିନ ହେଲା ଉପାସରେ ପ୍ରଭୁ ଲିଙ୍ଗରାଜ । ଭୋଗ ଛୁଆଁକୁ ନେଇ ମଳିଆ ସେବାୟତ ଓ ଅଣ ସେବାୟତଙ୍କ ମଧ୍ୟରେ ବିବାଦ । ଯେଝା ସ୍ୱାର୍ଥରେ ଯେଝା, ଏଣେ ମହାପ୍ରଭୁଙ୍କୁ ପଚାରେ କିଏ ? ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି l ସେବାୟତଙ୍କ ମଧ୍ୟରେ ନାହିଁ ସମନ୍ୱୟ। ନିୟମର ସମ୍ପୂର୍ଣ୍ଣ ଅବମାନନା କରାଯାଉଛି lଗତକାଲି ସକାଳ ୧୦ଟାରେ ଲିଙ୍ଗରାଜଙ୍କ ଭୋଗ ପ୍ରସ୍ତୁତି ବେଳେ ଜଣେ ମଲିଆ ସେବାୟତ ବା ଅଣ ସେବାୟତ ଭୋଗ ଛୁଇଁଦେଇଥିଲେ। ଫଳରେ ଭୋଗ ମାରା ହୋଇଥିଲା l ଯାହାକୁ ଘୋର ବିରୋଧ କରିଥିଲେ ବଡୁ ନିଯୋଗ l
ସେପଟେ ସବୁବେଳେ ମାରା ଭୋଗକୁ ମହାସୁଆର ସେବାୟତ ମାନେ ଭକ୍ତଙ୍କୁ ବିକ୍ରି କରିଆସୁଥିବା ଅଭିଯୋଗ ଆଣିଛନ୍ତି ବଡୁ ନିଯୋଗ l ଗତକାଲି ମାରା ହୋଇଥିବା ଭୋଗକୁ ମଧ୍ୟ ଭକ୍ତଙ୍କୁ ବିକ୍ରି କରି ଦୀର୍ଘ ଦିନର ନିୟମ ମହାସୁଆର ସେବାୟତ ଭଙ୍ଗ କରିଥିବା ବଡୁ ନିଯୋଗ ଅଭିଯୋଗ କରିଛନ୍ତି l ଏଥିସହ ମାରା ଭୋଗ କୁଆଡେ ଗଲା ତାହାର ସିସିଟିଭି ଯାଞ୍ଚ ପାଇଁ ଦାବି କରିଛନ୍ତି l
ଲିଙ୍ଗରାଜଙ୍କ ରୋଷଘର ଭିତରକୁ ଅନିଚ୍ଛାକୃତ ଭାବେ ପ୍ରବେଶ କରି ଭୋଗ ମାରା କରିଥିବା ମଲିଆ ସେବାୟତ ଆଜି ବୈଠକରେ ଯୋଗଦେବା ସହ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରି ନିଜ ଦୋଷ ସ୍ବୀକାର କରିଛନ୍ତି l ସେପଟେ ମାରା ଭୋଗ ବିକ୍ରି ନୂଆ ପ୍ରସଙ୍ଗ ହୋଇ ଠିଆ ହୋଇଛି। ଏହାକୁ ଭିତ୍ତିହୀନ ଅଭିଯୋଗ କହିବା ସହ ଭୋଗ ଫୋପଡ଼ା ଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମଣ ନିଯୋଗ l ମାରା ଭୋଗ ପ୍ରସଙ୍ଗ ଉପରୁ ପରଦା ଉଠାଇବାକୁ ସିସିଟିଭି ଯାଞ୍ଚ କରିବାକୁ ଓ ଏହା ଉପରେ ଉଚ୍ଚସ୍ତରୀୟ ବୈଠକ କରାଯିବାକୁ ଦାବି କରିଛନ୍ତି । ହେଲେ ମନ୍ଦିର ପ୍ରଶାସନ ଦ୍ୱାରା ବସିଥିବା ବୈଠକରେ ଯୋଗ ଦେଇନାହାନ୍ତି ବ୍ରହ୍ମଣ ନିଯୋଗ ବା ମହାସୁଆର ସେବାୟତ l
ଗତ ଦୁଇ ଦିନର ବିବାଦକୁ ନେଇ ଚିନ୍ତାରେ ମନ୍ଦିର ପ୍ରଶାସନ l ସୋମବାର ସମସ୍ତଙ୍କ ମଧ୍ୟରେ ବୈଠକ ଡାକିଥିଲେ ମନ୍ଦିର ପ୍ରଶାସନ l ବୈଠକ ବସିଥିଲା , କିନ୍ତୁ ବୈଠକରେ ମହାସୁଆର ସେବାୟତ ଯୋଗ ଦେଇନଥିବାରୁ, ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା l କିନ୍ତୁ ମହାସୁଆର ସେବାୟତଙ୍କୁ ସହଯୋଗ କରିବାକୁ କହିଥିଲା ମନ୍ଦିର ପ୍ରଶାସନ l ଅନ୍ୟପଟେ ନୀତିକାନ୍ତିକୁ ସ୍ୱାଭାବିକ କରିବାକୁ ମନ୍ଦିର ପ୍ରଶାସନ ନିବେଦନ କରିଥିବା ବେଳେ, ଯଦି ସ୍ଥିତି ସ୍ୱାଭାବିକ ନ ହୁଏ ତେବେ ଏହି ପ୍ରସଙ୍ଗ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ନେବ ବୋଲି ପ୍ରତିକ୍ରିୟା ରଖିଛି ମନ୍ଦିର ପ୍ରଶାସନ l ସେପଟେ ଉଚ୍ଚସ୍ତରୀୟ ବୈଠକ ପାଇଁ ଅଡ଼ି ବସିଛନ୍ତି ବ୍ରାହ୍ମଣ ନିଯୋଗ ବା ମହାସୁଆର ସେବାୟତ l
ଅନେକ ସମୟରେ ଅନେକ କଥାକୁ ନେଇ ଏଭଳି ବିବାଦ ଦେଖାଦେଇଛି ଲିଙ୍ଗରାଜ ମନ୍ଦିରରେ l ହେଲେ ସେବାୟତଙ୍କ ମଧ୍ୟରେ ଏଭଳି ପରିସ୍ଥିତି ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେବାକୁ ଗ୍ରହଣ କରିପାରୁ ନାହାନ୍ତି ଭକ୍ତ ଓ ସ୍ଥାନୀୟ ଲୋକେ। ତେଣୁ ଏହାର ସ୍ଥାୟୀ ସମାଧାନ କେବେ ହେବ ଆଉ କିଏ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି।
ସିମ୍ପୁଲ ନାୟକ
Naxatra News is now on Whatsapp
Join and get latest news update delivered to you via whatsapp
Join Now