ଦେବୋତ୍ତର ନିଷ୍କ୍ରିୟତାରୁ ଓପାସରେ କପିଳନାଥ

Spread the love

ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୂ କପିଳନାଥ ୭ଦିନ ହେଲାଣି ଓପାସରେ। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ଆଲୋଚନା ବିଫଳ ହେବାରୁ ସେବାୟତଙ୍କ ଜିଦ୍ ଭାଙ୍ଗିବାକୁ ପ୍ରଶାସନ ଆଇନଗତ ପଦକ୍ଷେପ ନେଇଛି। ୧୪ ସେବାୟତଙ୍କ ନାଁରେ ୧୦୭ ଦଫା ଲାଗୁ କରିଛି। ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିରୁଦ୍ଧରେ ମାମଲା ହେଇଛି। ସେପଟେ ଦେବୋତ୍ତର ବିଭାଗର ନିଷ୍କ୍ରିୟତାକୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ଜାହିର କରିଛନ୍ତି।

ଅପୂଜା ରହିଛନ୍ତି ପ୍ରଭୂ କପିଳନାଥ। ନୀତିକାନ୍ତି ବନ୍ଦ ଥିବାରୁ ଓପାସ ରହିବା ସହ ବନ୍ଦୀ ହୋଇ ରହିଛନ୍ତି। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୂ କପିଳେଶ୍ୱରଙ୍କୁ କିଏ ଓପାସରେ ରଖିଛି। କାହା ଲାଗି ଏଭଳି ଚରମ ବିଶୃଙ୍ଖଳା। ଦେବୋତ୍ତର ବିଭାଗ କାହିଁକି ଚୁପ୍ ବସିଛି। ଏହାକୁ ନେଇ ଆଜି ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ତେଜିଛି। କପିଳେଶ୍ୱର ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମନ୍ଦିରକୁ ଖୋର୍ଦ୍ଧା ଜିଲ୍ଲାପାଳ ତାଲା ପକାଇଦେଇଥିବାରୁ ପ୍ରଭୂ ଓପାସରେ ଥିବା ଅଭିଯୋଗ କରିଛନ୍ତି। ନୀତିକାନ୍ତି ହେଉ। ବାବାଙ୍କ ଦର୍ଶନରୁ ଶ୍ରଦ୍ଧାଳୁଙ୍କୁ ବଞ୍ଚିତ କରାନଯାଉ ବୋଲି ଦାବି କରିଛନ୍ତି।

ସେପଟେ ପ୍ରଶାସନର ପରାମର୍ଶ କ୍ରମେ ପୁଲିସ ୧୪  ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିରୋଧରେ ୧୦୭ ଦଫା ଲଗାଇଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ଆଲୋଚନା ବିଫଳ ହୋଇଛି। ମନ୍ଦିର ପ୍ରଶାସନ ଠାକୁରଙ୍କ ନୀତିକାନ୍ତି କରାଇବାକୁ ଉଦ୍ୟମ ବେଳେ ସେବାୟତଙ୍କ ପକ୍ଷରୁ ବିଶୃଙ୍ଖଳା ସୃଷ୍ଚି ଆଶଙ୍କାରେ ଏହି ପଦକ୍ଷେପ ନେଇଥିବା କହୁଛି ମନ୍ଦିର ଟ୍ରଷ୍ଟ ବୋର୍ଡ। ଏହା ସତ୍ତ୍ୱେ କୌଣସି ବଡ଼ ଧରଣର ଗଣ୍ଡଗୋଳ କଲେ, ୧୧୬ ଦଫାରେ ମାମଲା ହେବ ବୋଲି ଚେତେଇ ଦେଇଛି ପ୍ରଶାସନ। ତେବେ ପରସ୍ପରର ସହଯୋଗରେ ପ୍ରଭୂଙ୍କ କାମ କରାଇନେବା ବଦଳରେ ପ୍ରଶାସନର ଏଭଳି ନାଲିଆଖିକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। କପିଳନାଥ ଓପାସ ବାବଦରେ ସେ ବିଧାନସଭାରେ ବାରମ୍ୱାର କଥା ଉଠାଇଥିଲେ।

ଦଫା ଲାଗିଥିବା ସେବାୟତମାନେ ୪ ତାରିଖ ଭିତରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହୋଇ ପିଆର୍ ବଣ୍ଡରେ ଦସ୍ତଖତ କରିବାକୁ ନିର୍ଦେଶ ଦିଆଯାଇଛି। ବାବାଙ୍କ ନୀତିକାନ୍ତି ସମ୍ପନ୍ନ ସହ ମନ୍ଦିର ତାଲା କେବେ ଖୋଲିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ବେଳେ ଏବେ ପ୍ରଶାସନ-ସେବାୟତ ଗୋଷ୍ଠୀ ଭିତରେ ପାରସ୍ପରିକ ସହଯୋଗ ଆଶା କରାଯାଉଛି।

ସ୍ୱରୂପା ମହାପାତ୍ରଙ୍କ ସହ ଜ୍ୟୋତିମଞ୍ଜରୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *