ମହାନଦୀରେ ସାମାନ୍ୟ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଗତ କିଛି ଦିନ ରାଜ୍ୟରେ ଜାରି ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରୁ ସାମାନ୍ୟ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଯଦି ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ସମାନ ସ୍ଥିତି ଜାରି ରୁହେ ତେବେ ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବିଜୟ ମିଶ୍ର, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ବର୍ଷା କାରଣରୁ ହିରାକୁଦରେ ୨୪ ଗେଟ ଖୋଲା ହୋଇଛି । ଆସନ୍ତା କାଲି ସକାଳ ୮ ସୁଦ୍ଧା ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବା ସୂଚନା ରହିଛି । ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ତାଙ୍କର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପ ପକାଉଛନ୍ତି । ମାତ୍ର ଆମେ ତାଙ୍କୁ ଜବାବରେ ଜଣାଇଛୁ ସ୍ଥିତି ଦେଖି ଆମେ ହୀରାକୁଦ ଗେଟ ଖୋଲାଯିବ ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି।
ବର୍ତ୍ତମାନ ସୁଦ୍ଧା ହୀରାକୁଦରେ ୨୪ ଟି ଗେଟ ଖୋଲାଯାଇଥିବା ବେଳେ ଆଗକୁ ଏହା ବଢ଼ି ପାରେ । ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳ ସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ସମସ୍ତ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡ଼ରେ ରଖାଯାଇଛି। ଦୁର୍ବଳ ନଦୀ ବନ୍ଧ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୮ ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଥିବା ସହ ସେଠାରେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ନଜର ରହିଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।