ଶନିବାର ବି ଉପାସରେ କପିଳନାଥ

Spread the love

ଭୁବନେଶ୍ବର:  ଏକାମ୍ର କ୍ଷେତ୍ରର ଆରାଧ୍ୟ କପିଳେଶ୍ୱରଙ୍କ ମନ୍ଦିରର ତୁଟୁନି ବିବାଦ । ମନ୍ଦିର ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ବେ ସେବାୟତଙ୍କୁ ମନାଇବା ସମ୍ଭବ ହୋଇନାହିଁ। ଫଳରେ ସପ୍ତାହେ ହେଲାଣି ମନ୍ଦିର ସିଂହଦ୍ଵାରରେ ତାଲା ଝୁଲୁଛି। ଆଉ ଠାକୁର ମନ୍ଦିର ଭିତରେ ଅପୂଜା ଓ ଉପାସରେ ରହିଛନ୍ତି।

ସପ୍ତାହକରୁ ଅଧିକ ହେଲାଣି ଉପବାସରେ ପ୍ରଭୁ କପିଳନାଥ । ମନ୍ଦିର ପ୍ରଶାସନର ଉଦ୍ୟମ ସତ୍ବେ ଜିଦରେ ଅଟଳ ସେବାୟତ । ମନ୍ଦିର ସିଂହଦ୍ଵାରରେ ତାଲା ଝୁଲୁଛି। ଚଳିତବର୍ଷ ହୋଇପାରିଲା ନାହିଁ ହାଣ୍ଡିଭଙ୍ଗା ଯାତ। ତେଣୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ କପିଳନାଥଙ୍କ ମହାମିଳନ ପରମ୍ପରା ବନ୍ଦ ହୋଇଗଲା। ଦୁଇ ଗୋଷ୍ଠୀଙ୍କ ବିବାଦରେ ଠାକୁର ଉପବାସ ରହିବା ଘଟଣାକୁ ସାଧାରଣରେ ବି ନିନ୍ଦା କରାଯାଉଛି। ସ୍ଥିତି ଆୟତ୍ତ କରିବାକୁ ପ୍ରଚେଷ୍ଟା କରି ଫେଲ ମାରିବାରୁ ପୋଲିସ ପକ୍ଷରୁ ଉଭୟ ଗୋଷ୍ଠୀର 14 ଜଣଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲଗାଯାଇଥିଲା । ତଥାପି ଏହାର କିଛି ନିର୍ଯ୍ୟାସ ବାହାରି ପାରିନାହିଁ । ଆଜିବି ଉପବାସ ରହିଲେ ଠାକୁର। ଶନିବାର ସେବା ପ୍ରତିନିଧି ତରଫରୁ ଆବାହକ ନୀଳମଣି ମିଶ୍ର ମଧ୍ୟ ମନ୍ଦିର ସମ୍ମୁଖରେ ପ୍ରତିବାଦ କରିଥିଲେ।

ଶନିବାର ପୁଣିଥରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ସେବାୟତଙ୍କ ମଧ୍ୟରେ ଆଲୋଚନା କରିଥିଲେ। ହେଲେ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ତେବେ ପ୍ରତିଥର ସେବାୟତ-ପ୍ରଶାସନର ବିବାଦ ମଧ୍ୟରେ ଉପବାସ ରହୁଛନ୍ତି ପ୍ରଭୁ କପିଳନାଥ । ଯାହାକୁ ନେଇ ସାଧାରଣ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ଅକ୍ଷୟ ମହାରଣାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *