କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ

Spread the love

ବାଲେଶ୍ୱର/ ଭୁବନେଶ୍ୱର : ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ଅପରାହ୍ନ ପ୍ରାୟ ୭ଟା ୦୫ ମିନିଟ୍ ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍ କୁ ଧକ୍କା ଦେଇ ଏହା ଉପରେ ଚଢ଼ିଯାଇଥିଲା । ଫଳରେ ଟ୍ରେନ୍ ର ଏକାଧିକ ବଗି ଓଲଟି ପଡିଛି । ଦୁର୍ଘଟଣା ଅତି ଭୀଷଣ ଥିବାରୁ ୨୦୦ ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ଅନୁମାନ ସୂଚନା ମିଳିଛି । ବହୁ ଯାତ୍ରୀ ଟ୍ରେନ୍ ବଗି ତଳେ ଚାପି ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି । କିଛି ଆହତଙ୍କୁ ବାଲେଶ୍ୱର ମେଡିକାଲ କଲେଜରେ ଭର୍ତି କରାଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଏସଆରସିଙ୍କ ପକ୍ଷରୁ ୦୬୭୮୨୨୬୨୨୮୬ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।

ଅପରପକ୍ଷରେ ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଂଚିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି ।

ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଲାଗି ଏସଆରସିଙ୍କ ନିର୍ଦ୍ଦେଶକ୍ରମେ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ସେହିପରି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକରୁ ୨ଟି ଅଗ୍ନିଶମ ଟିମ୍ ଘଟଣାସ୍ଥରେ ପହଂଚିଛି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏନଡିଆରଏଫ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

ସେପଟେ ଏବେ ବି ଉଦ୍ଧାର ହେଉଛି ମୃତଦେହ । ମୃତାହତଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ନିଅଣ୍ଟ ହେଉଛି । ଟ୍ରାକ୍ଟର ଡାଲାରେ ଗଦା କରି ବୁହା ହେଲା ମୃତଦେହ । ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍ କରି ବୁହା ହେଲା ଶବ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏୟାରଫୋର୍ସ ପଠାଯାଉଥିବା ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Leave a Reply

Your email address will not be published. Required fields are marked *