ପିଡିଏସ ଚାଉଳ ବଣ୍ଟନରେ ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ । ପୁଲିସର ହସ୍ତକ୍ଷେପ ପରେ ଶାନ୍ତ ହେଲା ପରିବେଶ । ଡେରାବିଶ ବ୍ଲକ୍ ପଲେଇ ପଞ୍ଚାୟତ ଅନ୍ତର୍ଗତ ସବଳଙ୍ଗ ଗ୍ରାମରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ଏ ନେଇ ଡିଲର୍ଙ୍କ ବିରୋଧରେ ଜଣେ ହିତାଧିକାରୀ ଡେରାବିଶ ଥାନାରେ ଏତଲା ଦେଇଥିଲା ବେଳେ ଉତ୍ୟକ୍ତ ଲୋକମାନେ ଯୋଗାଣ ନିରୀକ୍ଷକ (ଏମ୍ଆଇ)ଙ୍କୁ କିଛି ସମୟ ଘେରାଉ କରିଥିଲେ । ତେବେ ଡେରାବିଶ ପୁଲିସ୍ ଉପସ୍ଥିତିରେ ଓଜନ ମେସିନ୍ ତନଖି ପାଇଁ ଯୋଗାଣ ନିରୀକ୍ଷକ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାପଡ଼ିଛି। ସବଳଙ୍ଗ ଗ୍ରାମରେ ରାସନ ସାମଗ୍ରୀ ଦେଉଥିବା ଡିଲର୍ଙ୍କୁ ଅନିୟମିତତା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଫଳରେ ଗ୍ରାମରେ ରାସନ ସାମଗ୍ରୀ ଯୋଗାଇବା ପାଇଁ ନିକଟସ୍ଥ ଖମୋଳ ପଞ୍ଚାୟତର ଡିଲର୍ ରମାକାନ୍ତ ଦାସଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ରମାକାନ୍ତ ସବଳଙ୍ଗ ଗ୍ରାମର ଡିଲର ପଏଣ୍ଟରେ ହିତାଧିକାରୀଙ୍କୁ ଚାଉଳ ଦେଉଥିଲା ବେଳେ କିଛି ହିତାଧିକାରୀ ଓଜନ କମ୍ ହେଉଥିବା ଦର୍ଶାଇ ହୋହଲ୍ଲା କରିଥିଲେ । ଏ ନେଇ ଡିଲରଙ୍କ ବିରୋଧରେ ବିଶ୍ବରଞ୍ଜନ ବାହାଲିଆ ନାମକ ବ୍ୟକ୍ତି ଡେରାବିଶ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ଡେରାବିଶ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଚାଉଳ ପ୍ରଦାନ କାର୍ଯ୍ୟ ବନ୍ଦ କରିଥିଲେ । ଏହି ସମୟରେ ଗ୍ରାମର କେତେକ ବ୍ୟକ୍ତି ଡିଲର ପଏଣ୍ଟରୁ କିଛି ଦୂରରେ ଜଣଙ୍କ ଘରେ ରାସନ ଚାଉଳ ଲୁଚା ଯାଇଥିବା ଅଭିଯୋଗ କରିଥିଲେ । ବହୁ ସମୟ ପର୍ଯ୍ୟନ୍ତ ଲୋକମାନେ ସେହି ଘରକୁ ଘେରି ରହିଥିଲେ ଏହାକୁ ନେଇ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଡେରାବିଶ ଥାନା ଏସ୍ଆଇ ମେନକା ତ୍ରିପାଠୀ ପରିସ୍ଥିତିକୁ ଆୟତ୍ତ କରିବା ସହିତ ଡେରାବିଶ ଯୋଗାଣ ନିରୀକ୍ଷକ ସ୍ଵରୁପ ଦାସଙ୍କୁ ଡକାଇଥିଲେ। ଯୋଗାଣ ନିରୀକ୍ଷକ ଶ୍ରୀ ଦାସ ପହଞ୍ଚିବା ପରେ ଲୋକମାନେ ତାଙ୍କୁ ଘେରିଯାଇ ଓଜନ ଯନ୍ତ୍ର ଯାଞ୍ଚ କରିବାକୁ ଦାବି କରିଥିଲେ। ଓଜନ ଯନ୍ତ୍ରଟିକୁ ଯୋଗାଣ ବିଭାଗର ଟେକ୍ନିକାଲ ଟିମ୍ ଯାଞ୍ଚ କରିବେ ଏବଂ ଓଜନ କମ୍ ହେଉଥିଲେ ହିତାଧିକାରୀଙ୍କୁ ଦୁଇଦିନ ଭିତରେ ଚାଉଳ ଭରଣା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଚାଉଳ ରଖାଯାଇଥିବା ଘର ଖୋଲାଯାଇ ପୁଲିସ ଓ ପଲେଇ ସରପଞ୍ଚ ଅକ୍ଷୟ ସାହୁଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ଏହି ଘରେ ୧୨୭ ବସ୍ତା ପିଡିଏସ୍ ଚାଉଳ ରହିଥିବା ଦେଖାଯାଇଥିଲା। ତେବେ ଏହା ଚୋରା ଚାଉଳ ନୁହେଁ, ପିଡିଏସ୍ ସାମଗ୍ରୀ ରଖାଯିବା ପାଇଁ ଘର ମାଲିକଙ୍କ ସହ ଏଗ୍ରିମେଣ୍ଟ କରାଯାଇଥିବା ଜଣାପଡ଼ିବାରୁ ଲୋକମାନେ ଶାନ୍ତ ହୋଇଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now