ଅଧାପନ୍ତରିଆ ହୋଇ ପଡିରହିଛି ସହରର ବାଇପାସ ରାସ୍ତା । କେନ୍ଦ୍ରାପଡା ସହରରେ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିଲା ବାଇପାସ ରାସ୍ତାର ନବନିର୍ମିତ ପୋଲ ଏବଂ ରୋଡ଼କାମ । କାମ ଆରମ୍ଭ ହୋଇଥିଲା ସତ, ହେଲେ ଆଜିକୁ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ବାଇପାସ ନିର୍ମାଣ କାମ ଅଧାରୁ ଅଟକି ରହିଛି । ଗତ ମାର୍ଚ୍ଚ ୧୫ ୨୦୨୩ ମସିହାରେ କାମ ଚାଲିଥିବା ବେଳେ ପୋଲ ର ଗାର୍ଡର ଭୁଶୁଡ଼ି ପଡିବା ପରେ ନିର୍ମାଣ ଦାୟିତ୍ୱରେ ଥିବା ଏ.ଆର.ଏସ.ଏସ କମ୍ପାନୀର ନିମ୍ନମାନର କାମକୁ ନେଇ ଲୋକେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ କମ୍ପାନୀକୁ ବିଭାଗ ପକ୍ଷରୁ କଳାତାଲିକା ଭୁକ୍ତ କରାଯାଇଥିଲା ଓ ପୂର୍ତ୍ତ ବିଭାଗର ତିନି ଜଣ ବିଭାଗୀୟ ଅଧିକାରୀ ନିଲମ୍ୱିତ ହୋଇଥିଲେ । ହେଲେ ସେହିଦିନରୁ ପ୍ରକଳ୍ପ କାମ ଅଟକି ରହିଛି । ଅନ୍ୟପଟେ ସହର ଭିତରେ ଦିନକୁ ଦିନ ଭିଡ଼ ବଢୁଥିବାରୁ ପ୍ରକଳ୍ପ କାମକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
କେନ୍ଦ୍ରାପଡ଼ା ସହର ଲୋକଙ୍କ ଭିଡ ଓ ଟ୍ରାଫିକ ସମସ୍ୟା ଯୋଗୁ ବାଇପାସ ରାସ୍ତା ତିନି ମୁହାଣୀରୁ କାଳୀ ମନ୍ଦିର ପର୍ଯ୍ୟନ୍ତ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଆରଏସଏସ କମ୍ପାନୀ ଦ୍ୱାରା ୧୧୫ କୋଟି ଟଙ୍କା ବ୍ୟୟ ଅଟକଳରୁ ସେଥିମଧ୍ୟରୁ ୯ କୋଟି ବ୍ୟୟ ଅଟକଳରେ ତିନିମୁହାଣୀ ଅଞ୍ଚଳରେ ଗୋବରୀ ନଦୀ ଉପରେ ବାଇପାସ ରୋଡର ସେତୁ ପିଲର ଉପରେ ରଖା ଯିବାର ୧୪ ଘଣ୍ଟା ଭିତରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା । ସେହିଦିନରୁ ବାଇପାସ ରୋଡ ଓ ସେତୁ କାମ ବନ୍ଦ ହୋଇପଡ଼ିଛି । ନିମ୍ନମାନର କାମ ସାଙ୍ଗକୁ ଠିକାଦାର ଓ ପୂର୍ତ୍ତ ବିଭାଗର ମଧୁ ଚନ୍ଦ୍ରିକାରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କେହି ମୁହଁ ଖୋଲି ନଥିଲେ । ତେବେ ଅଧାରୁ ଅଟକି ରହିଥିବା କାର୍ଯ୍ୟ କେବେ ଆରମ୍ଭ ହୋଇ ଶେଷ ହେବ ତାହା ଦେଖିବାକୁ ବାକି ରହିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now