ଜୀବିତ ଶ୍ରମିକକୁ ମୃତ ଦର୍ଶାଇ ଶ୍ରାମ କାର୍ଯ୍ୟାଳୟରେ ୪ ଲକ୍ଷ ଟଙ୍କା ଆତ୍ମସାତ

Spread the love

କେନ୍ଦ୍ରାପଡ଼ା : ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଅନୁକମ୍ପା ମୂଳକ ୪ ଲକ୍ଷ ୫ ହଜାର ଟଙ୍କା ଆତ୍ମସାତ କରାଯାଇ ଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ପଂଚାୟତ ଗଣ୍ଡାକିଆ ଗ୍ରାମର ଚିତ ରଞ୍ଜନ ସ୍ୱାଇଁ ନିର୍ମାଣ ଶ୍ରମିକ ଭାବେ ପରିଚୟ ପତ୍ର ନଂ-ଙଊକଊଚ୦୦୧୦୭୧୭୮୦, ତା-୦୭.୧୨.୨୦୧୭ ରେ  ହାସଲ କରିବା ସହ ନିର୍ମାଣ ଶ୍ରମିକ ଭାବେ କାମ କରିବା ସହିତ ଅନ୍ୟ ଛୋଟମୋଟ ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି । ତାଙ୍କର ଶ୍ରମିକ କାର୍ଡ ନଂ ରେ ଥିବା ନାମକୁ ବଦଳାଇ ସୁରେନ୍ଦ୍ର କୁମାର ପରିଡାଙ୍କ ନାମ ଲେଖାଯାଇ ତାଙ୍କୁ ଦୁର୍ଘଟଣା ଜନିତ ମୃତ ଦର୍ଶା ଯାଇଛି । ଚିତ ରଞ୍ଜନଙ୍କ କେନ୍ଦ୍ରାପଡା ୟୁନିୟନ ବ୍ୟାଙ୍କରେ ଆକାଉଂଟ ଥିବାବେଳେ ମୃତ ଦର୍ଶା ଯାଇଥିବା ବ୍ୟକ୍ତି ସୁରେନ୍ଦ୍ରଙ୍କର ବାଲେଶ୍ୱର ଓଟି ରୋଡର ବ୍ୟାଙ୍କ ଅଫ୍ ଇଣ୍ଡିଆ  ଆକାଉଂଟ ନମ୍ବର ଦିଆଯାଇଛି ଓ ସେହି ନଂରୁ ୪ ଲକ୍ଷ ୫ ହଜାର ଟଙ୍କା ଉଠାଯାଇ ଆତ୍ମସାତ କରାଯାଇଛି । ଯଦିଓ ସୁରେନ୍ଦ୍ରଙ୍କ ଘର ଗଣ୍ଡାକିଆ ଅଂଚଳରେ ବୋଲି ଲେଖା ଯାଇଛି ଓ ସେପରି କୈାଣସି ବ୍ୟକ୍ତି ସେ ଅଂଚଳରେ ନଥିବା ଓ ଗଣ୍ଡାକିଆରେ ଥାଇ ବାଲେଶ୍ୱର ରେ ଆକାଉଣ୍ଟ ଖୋଲିବା ଘଟଣା ଟଙ୍କା ହଡପ ସୂଚାଉ ଥିବା ଚିତ ରଞ୍ଜନ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯାଇ ଟଙ୍କା ଆତ୍ମସାତ କରିଥିବା ଶ୍ରମ କାର୍ଯ୍ୟାଳୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *