କେନ୍ଦ୍ରାପଡାରେ ସ୍ୱଚ୍ଛ ରଥଯାତ୍ରା ପାଇଁ ସଚେତନତା ଅଭିଯାନ

Spread the love

କେନ୍ଦ୍ରାପଡ଼ା : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସ୍ୱେଚ୍ଛାସେବୀ ସଂଗଠନ ମାଇଁ ଏନ୍ସିସି ଆଲୁମିନି ଆସୋସିଏସନ୍ ଏବଂ ପୁରୀ ଜିଲ୍ଲାର ପଞ୍ଜିକୃତ ସ୍ୱେଚ୍ଛାସେବୀ ସଂଗଠନ ଆସୋସିଏସନ୍ ଟୁଇଟର ଆକଟିଭିଷ୍ଟ(ଆଟା)ର ମିଳିତ ପ୍ରୟାସରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା କୋଟି କୈବଲ୍ୟ ଶ୍ରୀ ସିଦ୍ଧବଳଦେବଜୀଉଙ୍କ ରଥଦାଣ୍ଡର ଅରୁଣ ସ୍ତମ୍ଭ ପାଖରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସ୍ୱଚ୍ଛ ଏବଂ ପ୍ରଦୂଷଣମୁକ୍ତ ରଥଯାତ୍ରା ୨୦୨୩ ଭାବେ ପାଳନ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ଆହ୍ୱାନ କରାଯାଇଛି । ଚତୁର୍ଦ୍ଧାମୂର୍ତ୍ତି ଅବସରରେ ରତ୍ନ ସିଂହାସନ ଛାଡି ଭକ୍ତଙ୍କ ଗହଣରେ ଉବା ହେବେ । ଏଣୁ ଶ୍ରୀକ୍ଷେତ୍ର, ତୁଳସୀ କ୍ଷେତ୍ର ଏବଂ ସମଗ୍ର ବିଶ୍ୱରେ ସ୍ୱଚ୍ଛତା ଏବଂ ପବିତ୍ରତା ରକ୍ଷା ପାଇଁ ସଭିଏଁ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ନିବେଦନ କରିଛନ୍ତି । ଏ ନେଇ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ଲାକାର୍ଡ ଧରି ସମବେତ ଦର୍ଶନାର୍ଥିଙ୍କୁ ଚଳିତ ବର୍ଷ ରଥଯାତ୍ରାରେ ଅଳିଆ ଆବର୍ଜନା ରଥଦାଣ୍ଡ ଏବଂ ବଡଦାଣ୍ଡରେ ନପକାଇ ସରକାରଙ୍କ ତରଫରୁ କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରଖାଯାଇଥିବା ।ାବର୍ଜନା କୁଣ୍ଡରେ ପକାଇବା ପାଇଁ ନିବେଦନ କରୁଥିବାର ଦେଖାଯାଇଥିଲା । ତତ୍ସହିତ ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱେଚ୍ଛାସେବୀମାନେ ମଧ୍ୟ ରଥଦାଣ୍ଡରୁ ଅଳିଆ ସଫା କରୁଥିବାର ଦେଖାଯାଇଥିଲା । ଅନୁଷ୍ଟାନର କର୍ମକର୍ତ୍ତାମାନେ କୁହନ୍ତି ରଥଯାତ୍ରା ଅବସରରେ ମହାପ୍ରଭୁ ସ୍ୱୟଂ ଶ୍ରୀ ଜଗନ୍ନାଥ ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସନ୍ତି । ଗୁଣ୍ଡିଚା ମନ୍ଦିରରେ ନବଦିନ ବ୍ୟାପୀ ଯାତ୍ରା ଚାଲେ । ଏଣୁ ଏହି ପବିତ୍ର ଦିବସରେ ସ୍ୱଚ୍ଚତା ଓ ପବିତ୍ରତାକୁ ଗୁରୁତ୍ୱ ଦିଆଯାଇଛି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଉଦ୍ୟମରେ ହିଁ ସ୍ୱଚ୍ଛ ରଥଯାତ୍ରା ୨୦୨୩ ସମ୍ଭବ ହୋଇପାରିବ । ତେଣୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ଉଚିତ୍ । ସମସ୍ତ ଶ୍ରଦ୍ଧାଳୁମାନଙ୍କର ପ୍ରଚେଷ୍ଟାରେ ହିଁ ଏହା ସମ୍ଭବ ହୋଇପାରିବ ବୋଲି ଆଜି ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ପ୍ରେମାନନ୍ଦ ଲେଙ୍କା, ରଶ୍ମୀରଞ୍ଜନ ମହାରଣା, ଅନୁପ ରାଉତ, ନବୀବ ସାହୁ, ରାଜକିଶୋର ଖୁଣ୍ଟିଆ, ଉମେଶ ଚନ୍ଦ୍ର ଜେନା, ଦେବ ପ୍ରସନ୍ନ ସ୍ୱାଇଁ, ଦେବସ୍ମିତା ଜେନା , ଶୁଭଶ୍ରୀ ବେହେରାଙ୍କ ସମେତ ବର୍ତ୍ତମାନର ଏନସିସି ବାଳକ ବିଭାଗର ବହୁ କ୍ୟାଡେଟ୍ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ କହିଥିଲେ କି ୨୦୨୩ ସ୍ୱଚ୍ଛ ରଥଯାତ୍ରା ପାଳନ ନିମନ୍ତେ ସଚେତନତାର ବାର୍ତ୍ତାକୁ ସାରା ବିଶ୍ୱରେ ଥିବା ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁମାନଙ୍କ ନିକଟରେ ପହଞ୍ଚାଇବେ ବୋଲି ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *