ପିଟାପିଟି ଗାଁ ନିକଟରୁ କୁଟରା ଶାବକ ଉଦ୍ଧାର

Spread the love

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଧିନସ୍ଥ ଦେଓବନ୍ଧ ବନପାଳଙ୍କ ନେତୃତ୍ୱରେ ପିଟାପିଟି ଗ୍ରାମରୁ ଏକ କୁଟରା ଶାବକଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଗାଁ ଲୋକେ ବାରବାଙ୍କ ସଂରକ୍ଷିତ ଜଙ୍ଗଲକୁ ଛେଳି ଚରାଇ ଘରକୁ ଆସୁଥିବା ବେଳେ ଗ୍ରାମ୍ୟ ଜଙ୍ଗଲ (କୁପ) ନିକଟରେ କୁଟରା ଶାବକ ଭୟଭୀତ ହୋଇ ଲୋକଙ୍କ ପାଖକୁ ଆସିଥିଲା । ଛେଳି ଚରାଳିମାନେ ଉକ୍ତ କୁଟରାକୁ ଘରକୁ ଆଣି ଅବସର ପ୍ରାପ୍ତ ବନ୍ୟପ୍ରାଣୀ ବନପାଳ ଦାଶରଥି ବେଜଙ୍କୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଦେଓବନ୍ଧ ବନପାଳ ରାମଚନ୍ଦ୍ର ନାଏକଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ବନପାଳଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ଏକ ଟିମ୍ ପହଞ୍ଚି କୁଟରା ଶାବକଟିକୁ ଉଦ୍ଧାର କରିଥିଲେ । ତେବେ ସୂଚନା ଅନୁଯାୟୀ ଉକ୍ତ କୁଟରା ଶାବକଟିକୁ ପ୍ରାୟ ଏକ ସପ୍ତାହରୁ କମ ବୟସ ହୋଇଥିବା ବେଳେ ଖାଦ୍ୟ ଅନ୍ୱୋଷଣରେ ମା କୁଟରା ସହିତ ଶାବକ ଆସି କୁକୁର ହାବୁଡ଼ରେ ପଡ଼ି ମା କୁଟରା ଶାବକକୁ ଛାଡ଼ି ପଳେଇଥିବା ଅନୁମାନ କରାଯାଉଛି । ତେବେ ଉଦ୍ଧାର କରାଯାଇଥିବା କୁଟରା ଶାବକଟିକୁ ଡାକ୍ତରୀ ଚିକିତ୍ସା ଯୋଗାଇ ସୁସ୍ଥ ହେଲା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *