ବାଇକ୍ – ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ୫ ଗୁରୁତର

Spread the love

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ଘଟଗାଁ ହରିଚନ୍ଦନପୁର ରାସ୍ତାର ପାଉଛିଆ ଛକ ନିକଟରେ ବାଇକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ମୃତକ ଜଣକ ହେଉଛନ୍ତି ଘଟଗାଁ ଥାନା ଛୋଟରାୟପୁର ଗ୍ରାମର ରମେଶ ମୁଣ୍ଡା ବୋଲି ଜଣାପଡିଛି ।

ମିଳିଥିବା ଖବର ଅନୁଯାୟୀ, ମୃତ ରମେଶଙ୍କ ସହ ଉକ୍ତ ଗ୍ରାମର ଅନ୍ୟ ଦୁଇ ଜଣ ଏକ ବାଇକ୍ ଯୋଗେ ଘଟଗାଁ ଅଭିମୁଖେ ଯାଉଥିଲେ । ସେହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ୩ ଜଣ ଯୁବକ ଆସୁଥିଲେ । କୌଣସି କାରଣରୁ ପାଉଛିଆ ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ବାଇକରେ ଥିବା ୬ ଜଣ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ରମେଶଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ । ଘଟଗାଁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଉଭୟ ବାଇକକୁ ଜବତ କରିଛି । ଏଥିସହ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ତଦନ୍ତ ଜାରି ରଖିଛି । ଅନ୍ୟ ଗୁରୁତରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *