ଗାନ୍ଧୀଙ୍କ କଥାରେ ଜୁଆଙ୍ଗ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ଵାନ

Spread the love

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ଗ୍ରାମପଞ୍ଚାୟତ ଜୁଆଙ୍ଗ ପିଢ଼ ନୋଲ ଆମ୍ବ ତୋଟା ଠାରେ ଓଡିଶା ଗାନ୍ଧୀ ବିଚାର ପରିଷଦ ଓ ଏକତା ପରିଷଦ ମିଳିତ ସହଯୋଗରେ ଗ୍ରାମର ପୂଜକ ମଙ୍ଗୁଳୁ ଜୁଆଙ୍ଗଙ୍କ ସଭାପତିତ୍ଵରେ “ଗାନ୍ଧୀ କଥା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଂଯୋଗ ଉପ ସଭାପତି ତଥା ଜୁଆଙ୍ଗ ସଂସ୍କୃତି ଗବେଷକ ନୀଳାଦ୍ରି ବିହାରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗାନ୍ଧୀ ବିଚାର ପରିଷଦର ଅଧକ୍ଷ ଭକ୍ତ ବତ୍ସଳ ମହାନ୍ତି ଉପସ୍ଥିତ ରହି ଜୁଆଙ୍ଗମାନେ ଭୂମିପୁତ୍ର ଓ ଏ କେନ୍ଦୁଝର ଜିଲ୍ଲାର ମୂଳ ବାସିନ୍ଦା ଅଟନ୍ତି ସେମାନଙ୍କ ନିଆରା ସଂସ୍କୃତି ପରମ୍ପରା ରହିଛି । ପ୍ରକୃତି କୂଳରେ ପାହାଡ଼ ମଥାରେ ନୋହ୍ଲ, ବାଉଁରୁ, ରାଣିପଦା, କହ୍ନେଇଗୋଳା ଘଞ୍ଚ ଜଙ୍ଗଲ ମଧ୍ୟରେ କେଉଁ କାଳରୁ ବସବାସ କରି ଆସୁଥିବା ବେଳେ ପରେ ଗୋପାଳ ସମ୍ପ୍ରଦାୟର ଲୋକମାନେ ଆସି ବସବାସ କଲେ । ଜୁଆଙ୍ଗମାନଙ୍କ ମଣ୍ଡପ ଘରେ ଥିବା ଚାଙ୍ଗୁ ବାଦ୍ୟ, ବଡ଼କାଠ ସେମାନଙ୍କୁ ଏକତାରେ ବାନ୍ଧି ରଖି ସଦଭାବନା ଓ ସଂଘଟି ସ୍ଥାପନ କରିପାରିଛି । ସରଳ ନିରୀହ ଜନଜାତିମାନେ ସମ୍ପୂର୍ଣ ଭାବେ ଜଙ୍ଗଲ ଜାତ ଦ୍ରବ୍ୟ କିଣା ବିକା କରିବା ସହିତ ମକା, ଧାନ, ଗଙ୍ଗେଇ, ବାଜରା ଚାଷ କରିବା ସହ ଛେଳି ପାଳନ କରି ଜୀବିକା ନିର୍ବାହ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ । ସ୍ଵସ୍ତି ଫାଉଣ୍ଡେସନ ସମ୍ପାଦକ ମାନସ ରଞ୍ଜନ ପଣ୍ଡା ଜୁଆଙ୍ଗ ଜାତିର ବଡ଼ କାଠ ବାଦ୍ୟର ଇତିହାସ ଓ ଏବେକାର ଆବଶ୍ୟକତା ଉପରେ ବୁଝାଇଥିଲେ । ବଡ଼ କାଠ ମଣ୍ଡପ ଘରେ ପୂଜା ପାଇଥାଏ । ଏଥିସହ ପର୍ବ ପର୍ବାଣୀରେ ଏହାକୁ ପୂଜା କରି ବାଦନ କରାଯାଏ ବୋଲି ଗ୍ରାମର ରତନା ଜୁଆଙ୍ଗ କହିଥିଲେ ।

ଏହି ଅବସରରେ ଚଙ୍ଗୁ ବାଦକ ଓ ବଡ଼ କାଠ ବାଦକ ରତନା ଜୁଆଙ୍ଗ, ରଥିଆ ଜୁଆଙ୍ଗ ଓ ମଙ୍ଗୁଳୁ ଜୁଆଙ୍ଗଙ୍କୁ ସଂଯୋଗ ତରଫରୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଗ୍ରାମର ସୀତା ଜୁଆଙ୍ଗ, ଇରା ଜୁଆଙ୍ଗ ଓ ତାଙ୍କ ସାଥିମାନେ ଚାଙ୍ଗୁ ବାଦ୍ୟର ତାଳେ ତାଳେ ଗୀତ ଗାଇ ନୃତ୍ୟ ପରିବେଷଣ କରିଥିଲେ । ଏହିପରି କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜନ କରି ଜୁଆଙ୍ଗ ସଂସ୍କୃତିର ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ କରାଯିବାକୁ ନୀଳାଦ୍ରି ମିଶ୍ର ସୂଚନା ଦେଇଥିଲେ ।

ଶେଷରେ ଆସନ୍ତା ଜୁଲାଇ ମାସ ପ୍ରଥମ ସପ୍ତାହରେ ବନ ମହୋତ୍ସବ ସମୟରେ ବୃକ୍ଷ ରୋପଣ କରାଯିବାକୁ ସାମୁହିକ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *