ତିନି ଗାଁର ଲୋକେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ ପାଇପ୍ ପାଣି ପାଇବାରୁ ବଂଚିତ

Spread the love

ଖୋର୍ଦ୍ଧା : ଗ୍ରାମାଞ୍ଚଳରେ ଲୋକେ କିପରି ବିଶୁଦ୍ଧ ପାନୀୟଜଳ ପାଇପାରିବେ । ସେନେଇ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟ କରି ନଳକୂପ ଖନନ ଏବଂ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଗ୍ରାମାଚଂଳର ଜନସାଧାରଣଙ୍କୁ ଏହି ସୁବିଧା ଯୋଗାଇ ଦେଇଥାନ୍ତି । ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଂଚାୟତ ଅଂଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଉକ୍ତ ପଂଚାୟତର କନ୍ତାଇଲୋ, ଦୁର୍ଗାପୁର ଏବଂ ହରେକୃଷ୍ଣପୁର ଗ୍ରାମବାସୀ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ ପାଇପ୍ ପାଣି ପାଇବାରୁ ବଂଚିତ ହୋଇଛନ୍ତି । ଫଳରେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଉକ୍ତ ଗ୍ରାମଗୁଡ଼ିକୁ ପାଇପ୍ ଯୋଗେ ପୁନଃ ପାନୀୟଜଳ ଯୋଗାଣ କରାଯିବାକୁ ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ।

ସେହିପରି ବଡ଼କୁମାରୀ ପଂଚାୟତର ମାଣିକପୁର ଠାରେ ୨୦୦୮ରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା । ଉକ୍ତ ପ୍ରକଳ୍ପରୁ ଉପରୋକ୍ତ ତିନି ଗାଁ ସମେତ ମାଣିକପୁରକୁ ପାନୀୟଜଳ ଯୋଗାଣ ହୋଇଥିଲା । କାର୍ଯ୍ୟକାରୀ ହେବାର ୬ ମାସ ପରେ କୌଣସି ଠାରେ ପାଇପ୍ ଫାଟିଯିବାରୁ ଉକ୍ତ ୩ ଗ୍ରାମକୁ ଜଳଯୋଗାଣ ବ୍ୟାହତ ହୋଇଥିଲା । ତେବେ ଏହି ପ୍ରକଳ୍ପରୁ ମାଣିକପୁର ଗ୍ରାମକୁ ଜଳଯୋଗାଣ ହେଉଥିଲେ ମଧ୍ୟ କନ୍ତାଇଲୋ, ଦୁର୍ଗାପୁର ଓ ହରେକୃଷ୍ଣପୁର ଗ୍ରାମକୁ ଅଦ୍ୟାବଧି ଜଳଯୋଗାଣ ବ୍ୟାହତ ହୋଇ ରହିଛି । ଫଳରେ ଉକ୍ତ ୩ ଗ୍ରାମର ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷେ କନ୍ତାଇଲୋ ଗ୍ରାମର ମଠ ସାହିରେ ଥିବା ଏକ ନଳକୂପ ଲୋକଙ୍କ ଚାହିଦା ମେଂଟାଇ ପାରୁନାହିଁ । ବିଶେଷ କରି ଖରାଦିନେ ଏହି ସାହିର ଲୋକେ ଅନ୍ୟ ସାହିର ନଳକୂପ ଉପରେ ନିର୍ଭର କରୁଛନ୍ତି । କେତେ ଜଣ ଖୋଲାକୂଅରୁ ପାନୀୟଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଯେ, ଏହି ସାହିର ଦୋଳମଣ୍ଡପ ଠାରେ ରହିଛି ଗୋଟିଏ ନଳକୂପ । ତେବେ ଏହି ନଳକୂପରୁ ପାଣି ଠିକ୍ ଭାବେ ବାହାରୁ ନାହିଁ । ଯାହା ବି ପାଣି ବାହାରୁଛି ତାହା ଲୌହଗୁଣ୍ଡଯୁକ୍ତ ହୋଇଥିବାରୁ ଲୋକେ ପାଣି ପିଇବା ପାଇଁ ହଇରାଣ ହେଉଛନ୍ତି । ସେହିପରି ସାହିର ଦକ୍ଷିଣ ପାର୍ଶ୍ୱରେ ଥିବା କନ୍ତାଇଲୋ ଗ୍ରାମ ସାନ ମଠ ଠାରେ ଥିବା ନଳକୂପଟି ପ୍ରାୟ ୩୦ ବର୍ଷ ତଳର ହୋଇଥିବା ବେଳେ ଏଠାରେ ବାହାରୁଥିବା ଜଳ ପାନୀୟ ଉପଯୋଗୀ ନୁହେଁ । ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପୁନଃ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ତୁରନ୍ତ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଏନେଇ ବୋଲଗଡ଼ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ସୁନିଲ ପାଢ଼ୀ କହିଛନ୍ତି, ସମ୍ପୃକ୍ତ ଅଂଚଳରେ ଭୂତଳ ଜଳସ୍ତର ପର୍ଯ୍ୟାପ୍ତ ନ ଥିବାରୁ ଏପରି ସ୍ଥିତି ହୋଇଛି । ନଳକୂପ ଜଳର ନମୁନା ପରୀକ୍ଷଣ ପାଇଁ ପଠାଯାଇଛି । ଖୁବ୍‌ଶୀଘ୍ର ମହାନଦୀରୁ ମେଗା ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ କରାଯିବ, ଫଳରେ ଅଞ୍ଚଳର ପାନୀୟଜଳ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *