କୋଇଡା ଅଞ୍ଚଳ ଶ୍ରମିକ ଖଣି ସମ୍ମୁଖରେ ବସି ରହିଛନ୍ତି, କେନ୍ଦ୍ରୀୟ ଶ୍ରମ ଓ ଭବିଷ୍ୟନିଧି ଆଇନ କାମ କରୁନି, ଜେଏସଡବ୍ଲୁ ଖଣି ଏକ ନମୁନା

Spread the love

ରାଉରକେଲା : ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ କେନ୍ଦ୍ରୀୟ ଶ୍ରମ ଓ ଭବିଷ୍ୟନିଧି ଆଇନ ସଠିକ ବାବେ କାମ କରୁନି, ବାବୁ ମାନେ ନିୟମିତ ଖଣି ଅଞ୍ଚଳ ପରିଦର୍ଶନରେ ଯାଉ ନାହାନ୍ତି, ଅଫିସରେ ବସି ମାଲିକ ମାନଙ୍କ ସହ ମିଶି ସେମାନଙ୍କୁ ସୁହାଇଲା ଭଳି କାମ କରୁଥିବାରୁ କୋଇଡା ଅଞ୍ଚଳରେ ଖଣିରେ କାମ କରୁଥିବା ହଜାର ହଜାର ଖଣି ଶ୍ରମିକଙ୍କ ଜୀବନ ଦୁର୍ବିସହ ହେବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଉଥିବା ଅଭିଯୋଗ ହୋଇଛି । ଫଳ ସ୍ଵରୁପ ୩ ଦିନ ହେଲା ଜେଏସଡବ୍ଲୁ ଲୁହାପଥର ଖଣି ସମ୍ମୁଖରେ ହଜାର ହଜାର ଶ୍ରମିକ ନିଜ ନ୍ୟାର୍ଯ୍ୟଦାବି ନେଇ ବସି ରହି ଅନ୍ଦୋଳନ ଚଳାଇଛନ୍ତି । ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ଅନେକ ଖଣି ରହିଛି, ଖଣି ମାଲିକ ମାନେ ଏହି ସବୁ ଖଣିରୁ ବ୍ୟାପକ ମୁନାଫା ପାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏଥିରୁ ରାଜସ୍ଵ ପାଇବା ସହ ଜିଲ୍ଲା ଖଣିଜ ପାଣ୍ଠିକୁ ହଜାର ହଜାର କୋଟି ସହୟତା ଆସୁଛି, କିନ୍ତୁ ଏହି ସବୁ ଖଣିରେ ଦିନ ରାତି ନିଜ ରକ୍ତକୁ ପାଣି କରି ଖଟୁଥିବା ଶ୍ରମିକ ମାନେ ଉଭୟ ଶ୍ରମ ଓ ଭବିଷ୍ୟନିଧି ଆଇନ ଅନୁଶାରେ ଯେଉଁସବୁ ସୁବିଧା ପାଇବା କଥା ତାହା ସେମାନଙ୍କ ଲାଗି ଦିବାସ୍ଵପ୍ନ ପାଲଟିଛି । ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଣୁଆ ଲୁହାପଥର ଖଣିରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ନିକଟରେ । ଗଣୁଆ ଖଣିରେ ହଜାର ହଜାର ଠିକା ଶ୍ରମିକ କାମ କରୁଛନ୍ତି, କମ୍ପାନୀ ଜେଏସଡବ୍ଲୁ ଏଠାରେ ଠିକାଦାର ମାନଙ୍କୁ ଲଗାଇ କାମ କରୁଛି ଓ ଏହି ସବୁ ଶ୍ରମିକ ମାନେ ସେହି ଠିକାଦାରଙ୍କ ଅଧିନରେ କାମ କରୁଛନ୍ତି । ହେଲେ ଏମାନଙ୍କୁ ସର୍ବନିମ୍ନ ମଜୁରୀ ମିଳୁନଥିବା ବେଳେ ଶ୍ରମିକ ମାନଙ୍କ ନାମ ଏ ଫର୍ମ ରେଜିଷ୍ଟାରରେ ଲେଖାଉନାହିଁ। ଭବିଷ୍ୟନିଧି ଆଇନ ୧୦୫୨ ଅନୁଶାରେ ଦିର୍ଘ ଦିନ ହେବ କାମ କରୁଥିବା ଶ୍ରମିକ ମାନଙ୍କର ଭବିଷ୍ୟନିଧି ଜମା କରାଯାଉନାହିଁ, ଧୁଳିରେ କାମ କରୁଥିବା ଏହି ଶ୍ରମିକ ମାନଙ୍କ ଶରୀରକୁ ସୁରକ୍ଷା ଦେବା ଲାଗି ଆବଶ୍ୟକୀୟ ସରଞ୍ଜାମ ଇତ୍ୟାଦି ଯୋଗା ଯାଉନାହିଁ, ଲୁଗା ସଫା ଲାଗି ସାବୁନ ମଧ୍ୟ ଦିଆଯାଉନାହିଁ, ଆଖପାଖ ଗାଁ ଗୁଡିକରେ ଖଣି କାମ ଲାଗି ପାଣିର ଅଭାବ ରହୁଥିବା ବେଳେ କମ୍ପାନୀ ସେମାନଙ୍କୁ ପାନୀୟ ଜଳ ମଧ୍ୟ ଯୋଗାଉ ନାହିଁ, ଭିଡିଏ ବାବଦକୁ ୨୦୨୧ରୁ ବାକିଥିବା ଅର୍ଥରାଶି ମଧ୍ୟ କମ୍ପାନୀ ଆଜିଯାଏ ଦେଉନଥିବାର ଅଭିଯୋଗ ହୋଇଛି । ସେହିଭଳି ରୋଗରେ ପଡିଲେ ଛୁଟି ମିଳୁନଥିବା ବେଳେ ଜରୁରୀକାଳିନ ଛୁଟୀ ଇଏଲ ସମେତ ଶ୍ରମିକ ମାନଙ୍କୁ ସୁରକ୍ଷା ଲାଗି ମଧ୍ୟ କୌଣସି କିଟ ପ୍ରଦାନ କରାଯାଉନାହିଁ । ମୋଟା ମୋଟି ଏଠି ଆମ ଆଇନ କେବଳ ନାମକୁ ମାତ୍ର ଓ ଭବିଷ୍ୟନିଧି ଆଇନ ହେଉଛି ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଓ ମାଲାମାଲ ହେବା ଲାଗି ରହିଥିବା ଅଭିଯୋଗ ହୋଇଛି । ଏହି ସବୁ ସୁବିଧା ଲାଗି ଜେଏସଡବ୍ଲୁର ଠିକା ଶ୍ରମିକ ମାନେ ଚଳିତ ମାସ ୨୦ ତାରିଖରୁ ଖଣି ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଏହି ଧାରଣାକୁ ନେତୃତ୍ଵ ଦେଉଥିବା ସିଆଇଟିୟୁର ଶ୍ରମିକ ନେତା ପ୍ରଭାତ କୁମାର ପଣ୍ଡା ଏ ସଂପର୍କରେ ୨୪ ମଇରେ କାର୍ଯ୍ୟରତ ଠିକାଦାର, ଉପଜିଲ୍ଲାପାଳ ବଣେଇ,ଏସଡିପିଓ ବଣେଇ, ଆଞ୍ଚଳିକ ଶ୍ରମ କମିଶନର ରାଉରକେଲା, ବିଡିଓ କୋଇଡାଙ୍କୁ ଚିଠିକରି ଜଣାଇଥିଲେ । ତେବେ ଏନେଇ ଠିକାଦାର କିଛି ଶୁଣିନଥିବା ବେଳେ ଜେଏସଡବ୍ଲୁ ଖଣି ମାଲିକ ମଧ୍ୟ କିଛି ଶୁଣି ନାହାନ୍ତି ।

ଏନେଇ ଆଞ୍ଚଳିକ ଶ୍ରମ କମିଶନର ରାଉରକେଲା କହିଛନ୍ତି ଯେ, ସର୍ବନିମ୍ମ ମଜୁରୀ ମିଳୁନଥିବା ଅଭିଯୋଗ ଆସିଲେ ସେ କଡା କାର୍ଯୟାନୁଷ୍ଠାନ ଗ୍ରହଣ କରିବେ, ଏନେଇ ଉଭୟ ଶ୍ରମିକ ସଙ୍ଗଠନର ରାଜ୍ୟ ମୁଖ୍ୟ ବିଷ୍ନୁ ମହାନ୍ତି, କୋଇଡା ସିଆଇଟିୟୁ ନେତା ପ୍ରଭାତ ପଣ୍ଡା ଓ ଖଣି କମ୍ପାନୀ ଠିକାଦାରଙ୍କ ସହ ଆଲୋଚନା ଜାରୀ ରହିଛି । ୩ ଦିନ ହେଲା ଶ୍ରମିକ ମାନେ ବସି ରହିବା ବିଷୟରେ ସେ ଜାଣି ନଥିବା କହିଛନ୍ତି । ସେହିଭଳି ଭବିଷ୍ୟନିଧି କମିଶନରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା ।

ଖବରରୁ ଜଣାପଡିଛି ଯେ, କୋଇଡା ଅଞ୍ଚଳ ଲାଗି ୨ ଜଣ ପିଏଫ ନିରୀକ୍ଷକ ରହିଛନ୍ତି। ସେମାନେ ରାଉରକେଲାରେ ରହି କାମ କରନ୍ତି , କୋଇଡା ଗସ୍ତ କେବଳ କାଗଜ ପତ୍ରରେ କୁଆଡେ ହୁଏ, ଅତିରିକ୍ତ କମିଶନର ମାସରେ ୧୫ ଦିନ ସମ୍ବଲପୁର ଓ୧୫ ଦିନ ରାଉରକେଲାରେ ରହୁଛନ୍ତି । ତେଣୁ ଭବିଷ୍ୟନିଧି ଆଇନ ଏଠାରେ ଆଦୌ କାମ କରୁନଥିବା ଯାହା ଅଭିଯୋଗ ହେଉଛି ତାହାର କାରଣ ଷ୍ପଷ୍ଟ ହୋଇଯାଇଛି । ଏ ଦିଗରେ ବିଗତ ୩ ବର୍ଷ ଧରି ରାଉରକେଲାରେ ଥିବା କମିଶନର କଣ କରିଛନ୍ତି ତାହା କେନ୍ଦ୍ର ସରକାର ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି ।କୋଇଡାରେ ଖଣି ଅଞ୍ଚଳରେ ଥିବା ଶ୍ରମିକ ମାନେ ଏହି ସବୁ ଆଇନ ସଂପର୍କରେ ଜାଣିପାରୁନଥିବା ବେଳେ ଦାୟିତ୍ଵରେ ଥିବା କେନ୍ଦ୍ର ସରକାରଙ୍କ ବାବୁ ମାନେ ରାଉରକେଲାରେ ରହି ଏସି ରୁମରୁ ସବୁ ନିୟନ୍ତ୍ରଣ କଲେ, ତେଣୁ ସରକାରଙ୍କର ଏହି ଶ୍ରମିକ ମାନଙ୍କ ଲାଗି ରହିଥିବା ମହତ ଉଦ୍ଦେଶ୍ୟ ପୁରଣ ହୋଇପାରୁନାହିଁ । ଅନେକ କ୍ଷେତ୍ରରେ ଶ୍ରମିକ ସଙ୍ଗଠନ ମାନେ ଲଢେଇ କରୁଥିଲେ ମଧ୍ୟ ସରକାରୀ ବାବୁ ମାନଙ୍କ ସାହେବ ଆଦବ କାଇଦା ଶ୍ରମିକ ମାନଙ୍କ ଜୀବନକୁ ଦୁର୍ବିସହ କରିଦେଉଥିବାର ଅଭିଯୋଗ ହେଉଛି ।

Leave a Reply

Your email address will not be published. Required fields are marked *