ରଥଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ

Spread the love

ଜୟପୁର : ଜୟପୁର ଐତିହାସିକ ରଥଯାତ୍ରା ପାଳନ ନିମନ୍ତେ ଉପ ଜିଲ୍ଲାପାଳ କାର୍ଯ୍ୟ।ଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜୟପୁର ଉପ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ସାଗରିକା ଷଡଙ୍ଗୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟନାୟକ, ଏସଡିପିଓ ହରିଶ ବିଶି, ବୋରିଗୁମ୍ମା ଏସଡିପିଓ ମଧୁଶିକ୍ତା ମିଶ୍ର, ଟାଉନ ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ସଦର ଥାନା ଅଧିକାରୀ ଇଶ୍ଵର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ବିଗତ ଦିନରେ ହୋଇଥିବା ବୈଠକର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ରଥର ମାନ ଠିକ ଅଛି ନା ନାହିଁ ପ୍ରଥମେ ଅନୁଧ୍ୟାନ କରି ସହକାରୀ ଯନ୍ତ୍ରୀ, ରାସ୍ତା ଓ କୋଠବାଡ଼ି ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଗଲା । ଯଥା ସମୟରେ ଉକ୍ତ ଦିନ ପଲିଥିନ କିମ୍ବା ପାଲରେ ଠାକୁରଙ୍କ ରଥକୁ ଢାଙ୍କିବା ନିମନ୍ତେ, ନୂତନ ସେରନା ପଟା, ନୂତନ ୨ ଗୋଟି ରଶି ଯୋଗାଇ ଦେବା ନିମନ୍ତେ ତହସିଲଦାରଙ୍କୁ କୁହାଗଲା । ଯାନବାହନ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନିମନ୍ତେ ଟାଉନ ଥାନା ପୁଲିସଙ୍କୁ ଦାୟିତ୍ଵ ଦିଆଗଲା। ଉକ୍ତ ଦିନ ଚାରି ଚକିଆ ଯାନକୁ ଟାଉନ ଭିତରକୁ ନ ଛାଡିବା ନିମନ୍ତେ ଓ ଏହାର ଏକ ବ୍ଲୁ ପ୍ରିଣ୍ଟ ତିଆରି କରି ସାମାଜିକ ଗଣମାଧ୍ୟମରେ ଛାଡିବା ନିମନ୍ତେ ଟାଉନ ଥାନା ଅଧିକାରୀଙ୍କୁ ଅନୁରୋଧ କରାଗଲା । ରଥଦାଣ୍ଡକୁ ଯେପରି କୌଣସି ରାଜନୈତିକ ବ୍ୟକ୍ତିବିଶେଷ ଓ ସ୍ଵେଚ୍ଛାସେବକ ଭିଡ ନ କରିବେ ତାକୁ ମଧ୍ୟ ଧ୍ୟାନ ଦେବା ପାଇଁ ଥାନା ପୁଲିସକୁ ଅନୁରୋଧ କରାଗଲା । ଜନ ସମାଗମକୁ ଦୃଷ୍ଟିରେ ରଖି ଏହି ବର୍ଷ ୪ ଗୋଟି ଆସ୍କା ଲାଇଟ, ୨ ଗୋଟି ଜେନେରେଟର, ୬ ଗୋଟି ହାଲୋଜିନ ଲାଇଟ ଓ ରଥଯାତ୍ରା ପୂର୍ବରୁ ୧୦ ଗୋଟି ଫୋକସ ଲାଇଟ ଯୋଗାଇ ଦେବା ପାଇଁ ଏସଡିଓ ବିଦ୍ୟୁତ ବିଭାଗଙ୍କୁ ଅନୁରୋଧ କରାଗଲା । ରଥ ଉପରେ ୨୦ରୁ ୨୫ ଜଣ ଦଇତାପତି ଓ ସ୍ଵେଚ୍ଛା ସେବକ ହିଁ ରହିବେ । ଉକ୍ତ ଦିନ ଆଶୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ ବିଭାଗରକୁ ଅନୁରୋଧ କରାଯାଇଛି । ପାଞ୍ଚ ଦିନ ପୂର୍ବରୁ ସମସ୍ତ ମଦ ଦୋକାନ, ସମସ୍ତ ସାହିରେ ଚଢଉ କରିବା ନିମନ୍ତେ ଅବକାରୀ ବିଭାଗ ଓ ପୋଲିସ୍ ବିଭାଗ ଜୟପୁରଙ୍କ ମିଳିତ ଭାବରେ ଚଢଉ କରିବା ନିମନ୍ତେ ଅନୁରୋଧ କରାଗଲା । ଉକ୍ତ ଦିନ ଅଗ୍ନିଶମ ଯାନ ଓ ଟିମ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ସହ ରଥ ପଛରେ ରହିବା ନିମନ୍ତେ କୁହାଗଲା । ସେହିପରି ୪ ଗୋଟି ଜାଗାରେ ପାଣି ଟ୍ୟାଙ୍କ ଓ ୪ ଜଣ କର୍ମଚାରୀ ନିୟୋଜିତ କରିବା ନିମନ୍ତେ ସହକାରୀ ଯନ୍ତ୍ରୀ ପି.ଏଚ.ଡି.ଙ୍କୁ ଅନୁରୋଧ କରାଗଲା । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଗନ୍ନାଥଙ୍କ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୋରାପୁଟ ସାଂସ୍କୃତିକ ବିଭାଗ ଦ୍ଵାରା ଆୟୋଜନ କରାଯିବ । ଜଗନ୍ନାଥଙ୍କ ଧାରା ବିବରଣୀ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜୟପୁରଙ୍କୁ ଦାୟିତ୍ଵ ଦିଆଗଲା । ମନ୍ଦିର ଚାରି ପାଖରେ ଯେଉଁ ଗଛ ଓ ଘାସ ଉଠିଛି ତାହାକୁ ସଫା କରିବା ନିମନ୍ତେ ତହସିଲଦାର, ଜୟପୁରଙ୍କୁ ଅନୁରୋଧ କରଗଲା ।

ଆଜିର ଏହି ବୈଠକରେ ଅନ୍ୟାନ୍ୟ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସହ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *