ଆଇନଶୃଙ୍ଖଳା ବନାମ ପିଏମଏଓ୍ୱାଇ

Spread the love

() ଆଇନଶୃଙ୍ଖଳା ବନାମ ପିଏମଏଓ୍ୱାଇ। ବିଧାନସଭା ଭିତରେ ଓ ରାଜରାସ୍ତାରେ ଏହାକୁ ନେଇ ପୁଣି ମୁହାଁମୁହିଁ ହୋଇଛି ବିଜେପି ଓ ବିଜେଡି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ବୈମାତୃକ ମନୋଭାବ ପ୍ରତିବାଦରେ ବିଧାନସଭା ଭିତରେ ଓ ରାଜଭବନ ଆଗରେ ବିଜେଡି ଗର୍ଜିଥିଲା ବେଳେ ନବ ଦାସ ହତ୍ୟାକାଣ୍ଡରେ ସରକାରଙ୍କ ଉତ୍ତରକୁ ପ୍ରତିବାଦ କରି ବିଧାନସଭା ଘେରାଓ କରିଛି ବିଜେପି। ଆଉ କ୍ରାଇମବ୍ରାଞ୍ଚ ଉପରେ ଭରସା କାହିଁକି ଆସୁନି କହି ତଥ୍ୟ ରଖି ତୀର ମାରିଛନ୍ତି ନରସିଂହ।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଭିତରେ ପୁଣି ଥରେ ଗର୍ଜିଲା ବିଜେପି। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ମାସେ ପୁରିଗଲା। ଅଥଚ ଏ ଯାଏଁ ବି କ୍ରାଇମବ୍ରାଞ୍ଚ ହାତ ଖାଲି। କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ସରକାରୀ ପ୍ରାୟୋଜିତ କହି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏ କଥାକୁ ଉତଥାପନ କରିଥିଲେ। ଆଉ ହତ୍ୟାକାଣ୍ଡ ଗୁମର ନ ଖୋଲିବା ଯାଏ ବିଜେପି ଚୁପ୍ ବସିବନି ବୋଲି କହି ବିଜେପି ସଭ୍ୟ ଗର୍ଜିଥିଲେ। ବିଧାନସଭାରୁ ପଦଯାତ୍ରା ଜରିଆରେ ବିଧାୟକଦଳ ବାହାରିଥିଲା ଆନ୍ଦୋଳନସ୍ଥଳକୁ। ସେପଟେ ବିଜେପି କାର୍ଯ୍ୟାଳୟରୁ ବିଜେପି ଯୁବମୋର୍ଚ୍ଚାର ବିଶାଲ ରାଲି ବିଧାନସଭା ଅଭିମୁଖେ ବାହାରିଥିଲା। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଓ କରିଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ବୈମାତୃକ ମନୋଭାବକୁ ଦାୟୀ କରି ଗୃହ ଭିତରେ ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି ସଭ୍ୟ। ଆଉ ରାଜଭବନ ଆଗରେ ବିଜୁ ମହିଳା ଜନତା ଦଳ ଧାରଣା ଦେବା ସହ ପ୍ରତିବାଦ ସଭା କରିଥିଲା। ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦେଉ କେନ୍ଦ୍ର। ଏ ସମ୍ପର୍କିତ ସ୍ମାରକପତ୍ର ଦେଇଛି ରାଜ୍ୟପାଳଙ୍କୁ। କେନ୍ଦ୍ର ନ ଶୁଣିଲେ, ଆଗକୁ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାଇଦେଇଛି ବିଜେଡି।

ସେପଟେ ହଟ୍ଟଗୋଳ ଲାଗି ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ ହେବାରୁ କଂଗ୍ରେସ ଆଗତ କରିଥିବା କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁ ମୃତ୍ୟୁର ରହସ୍ୟ ଖୋଲିବାରେ କ୍ରାଇମବ୍ରାଞ୍ଚ ବିଫଳ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିଲାନି। କ୍ରାଇମବ୍ରାଞ୍ଚ ଉପରେ ଭରସା କେମିତି ଆସିବ ବୋଲି ତଥ୍ୟ ରଖି ପଚାରିଛନ୍ତି ନରସିଂହ ମିଶ୍ର। ଗଲା ୧୦ବର୍ଷ ଭିତରେ ୨୨୫ଟି ମାମଲା କ୍ରାଇମବ୍ରାଞ୍ଚ ନେଇଥିଲା। ୮୮ଟିରେ ଚାର୍ଜସିଟ୍। କିନ୍ତୁ ୮୯ ମାମଲାରେ କିଛି ପାଇଲାନି କ୍ରାଇମବ୍ରାଞ୍ଚ। ୮୯ଟି ମାମଲାର ୨୦ ବର୍ଷ ହେଲା ତଦନ୍ତ ଚାଲିଛି। ସରକାରୀ ଦଳ ହୋହଲ୍ଲା କରି ଗୃହକୁ ଅଚଳ କରୁଛନ୍ତି।

ଆଇନଶୃଙ୍ଖଳା ବନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ଗୃହ ଭିତରର ପରିବେଶର ପ୍ରତିଫଳନ ରାଜରାସ୍ତାରେ ବି ଦେଖାଇଲେ ଉଭୟ ବିଜେପି ଓ ବିଜେଡି। ଲୋୟର ପିଏମଜିରେ ହାଇଭୋଲଟେଜ ହଲ୍ଲାବୋଲକୁ ନେଇ ବିଧାନସଭା ସମ୍ମୁଖ ପୁରା କମ୍ପିଥିଲା।

ନବକିଶୋରଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *