ରତ୍ନଭଣ୍ଡାର ଚାବି ହଜିବା ଓ ଖୋଲାଯିବା ପ୍ରସଙ୍ଗରେ ଆଇନ ବିଭାଗ ୫ ବର୍ଷରେ କରିନାହିଁ ଗୋଟିଏ ବି ବୈଠକ : ବିଜେପି

Spread the love

ଭୁବନେଶ୍ୱର, ୦୯ ମଇ –  ରତ୍ନ ଭଣ୍ଡାର ଚାବି ହଜିବା ଓଡିଶା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ୨୦୧୮ ଠାରୁ ଓଡିଶାର ଜନସାଧାରଣଙ୍କର ଏକ ବଡ ଦାବି ହେଲା ଯେ ସରକାର ରତ୍ନ ଭଣ୍ଡାର ଖୋଲନ୍ତୁ ଓ ରତ୍ନ ଭଣ୍ଡାର ଭିତରେ ଥିବା ସମସ୍ତ ଅଳଙ୍କାର ସୁରକ୍ଷିତ ଅଛି ନା ନାହିଁ ତାହା ସ୍ପଷ୍ଟ କରନ୍ତୁ । ଏବେ ସୂଚନା ଅଧିକାର ଆଇନ ବଳରେ ରତ୍ନ ଭଣ୍ଡାର ସର୍ମ୍ପକରେ ଯେଉଁ ତଥ୍ୟ ଆସିଛି ତାହା ଯେତିକି ଚିନ୍ତାଜନକ ତାଠାରୁ ବେଶି ଭୟଙ୍କର । ସୂଚନା ଅଧିକାର ଆଇନ ଆଧାରରେ ଆଇନ ବିଭାଗକୁ ପଚରା ଯାଇଥିବା ଏକ ପ୍ରଶ୍ନର ଲିଖିତ ଉତରରେ ସରକାର କହିଛନ୍ତି ଯେ ରତ୍ନ ଭଣ୍ଡାର ଚାବି ହଜିବା ଓ ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ ବିଭାଗ ୨୦୧୮ରୁ ଆଜି ପର୍ଯ୍ୟନ୍ତ ସେପରି କୌଣସି ବୈଠକ କରିନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହା ଜଗନ୍ନାଥ ବିରୋଧୀ ମାନସିକତାର ପ୍ରତିଫଳନ ବୋଲି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୬୦ର ଧାରା ୬ର ଉପଧାରା ୧ ଅନୁସାରେ ରତ୍ନ ଭଣ୍ଡାରର ଭିତର ଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ହେଉଛନ୍ତି କ୍ଷମତାପ୍ରାପ୍ତ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଗଣମାଧ୍ୟମରେ, ବିଧାନସଭାରେ, ଏମିତିକି ହାଇକୋର୍ଟରେ ମଧ୍ୟ ଏନେଇ ମାମଲା ଚାଲିଛି । ସମସ୍ତେ ଚାହିଁ ବସିଛନ୍ତି ଯେ ସରକାର କେବେ ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତି ନେବେ ବୋଲି । କିନ୍ତୁ ୫ ବର୍ଷ ବିତିସାରିଲାଣି ହେଲେ ଏବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ ବିଭାଗ କୌଣସି ବୈଠକଟିଏ ନକରିବା ବଡ ଆଶ୍ଚର୍ଯ୍ୟର ବିଷୟ ବୋଲି ଅନିଲ କହିଛନ୍ତି ।

କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ସର୍ମ୍ପକରେ ଅଦାଲତରେ ଥରେ ନୁହେଁ ବାରମ୍ବାର ସମୟ ନେଉଛନ୍ତି ସତ୍ୟପାଠ ଦାଖଲ କରିବା ପାଇଁ । ଆଇନ ବିଭାଗ ମଧ୍ୟ ସେହି ସମସ୍ତ ମାମଲାରେ ପକ୍ଷଭୁକ୍ତ ଅଛନ୍ତି । ହେଲେ କିନ୍ତୁ ଏସବୁ ପ୍ରସଙ୍ଗରେ ମଧ୍ୟ ଆଇନ ବିଭାଗ ପାଖରେ କୌଣସି ଖବର ନାହିଁ ।

ଏବେ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ରଂଜନ କୁମାର ଦାସଙ୍କୁ ନିଯୁକ୍ତ କରିଛନ୍ତି ।ସେ  ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ । ଯାଜପୁର ଜିଲ୍ଲାରେ ହୋଇଥିବା ୨୦୦ କୋଟି ଟଙ୍କାର କଳାମୁଗୁନି ପଥର କେଳେଙ୍କାରୀ ପାଇଁ ସେ ଦାୟୀ ବୋଲି ଓଡିଶା ଭିଜିଲାନ୍ସ ତାଙ୍କ ବିରୋଧରେ ଲୋକାୟୁକ୍ତଙ୍କୁ ଲିଖିତ ରିପୋର୍ଟ ଦେଇଛନ୍ତି । ଏଭଳି ଦୁର୍ନୀତି ଅଭିଯୁକ୍ତଙ୍କୁ କାହିଁକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟୀତ୍ୱ ଦିଆଗଲା ତାହା ବଡ ଚିନ୍ତାଜନକ ବିଷୟ । ତୁରନ୍ତ ଶ୍ରୀ ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ହଟାଇ ତାଙ୍କ ସ୍ଥାନରେ ଆଉ କେଉଁ ଦକ୍ଷ ଓ ସଚ୍ଚୋଟ ଅଧିକାରୀଙ୍କୁ ଏହି ଦାୟୀତ୍ୱ ଦିଆଯାଉ, ନହେଲେ ଶ୍ରୀଜଗନ୍ନାଥ ମନ୍ଦିର ଅଧୀନରେ ଥିବା ଜମିଜମାକୁ ମଧ୍ୟ ସେ ମହାଶୟ ବିକ୍ରି କରି ଚଳୁ କରିଦେବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ପୁରୀରେ ଏକ ଆଦର୍ଶ ଗୁରୁକୁଳ ସ୍ଥାପନା ପାଇଁ ସୁପ୍ରିମକୋର୍ଟ ୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ ସେବାୟତଙ୍କ ପିଲାମାନେ ଜଗନ୍ନାଥ ସଂସ୍କୃତି ଓ ଭାରତୀୟ ପୁଜା ପରମ୍ପରା, ବୈଦିକ ରୀତିନିତି ଉପରେ ଅଧ୍ୟୟନ କରିବେ । ୪ ବର୍ଷ ବିତିଗଲାଣି, ପୁରୀରେ କୌଣସି ଗୁରୁକୁଳ ସ୍ଥାପନା ହୋଇପାରିଲା ନାହିଁ । ଏବେ ରାଜ୍ୟ ସରକାର ଯେଉଁ ଜିଡି ବିର୍ଲା ମେଡିକାଲ ଏଜୁକେସନ ଫାଉଣ୍ଡେସନ ସଂସ୍ଥା ସହିତ ବୁଝାମଣା କରିଛନ୍ତି ସେହି ସଂସ୍ଥାର ଗୁରୁକୁଳ ଚଲାଇବାର କୌଣସି ଅଭିଜ୍ଞତା ନାହିଁ । ରାଜ୍ୟରେ ତଥା ଦେଶରେ ଅନେକ ଗୁରୁକୁଳ ଘରୋଇ ଉଦ୍ୟମରେ ବୈଦିକ ପରମ୍ପରାରେ ଚାଲୁଛି । କାହିଁକି ରାଜ୍ୟ ସରକାର ଗୁରୁକୁଳ ଚଲାଉଥିବା ଅନୁଷ୍ଠାନ ମାନଙ୍କୁ ଅଣଦେଖା କରି ଏକ ବ୍ୟବସାୟୀକ କୋଚିଙ୍ଗ ସେଂଟର ଚଲାଉଥିବା ସଂସ୍ଥା ସହିତ ବୁଝାମଣା କରିଲେ ଏହା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ଏହା ମଧ୍ୟ ଆଉ ଏକ ଦୁର୍ନୀତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦ୍ୟସ ତଥା ପୁରୀର ପୂର୍ବତନ ଜିଲ୍ଲା ସଭାପତି ପ୍ରଭଂଜନ ମହାପାତ୍ର ଉପସ୍ଥିତ ଥିଲେ । 

Leave a Reply

Your email address will not be published. Required fields are marked *