ଭୋଗ ଛୁଆଁକୁ ନେଇ ଲିଙ୍ଗରାଜ ନୀତିକାନ୍ତି ବ୍ୟାଘାତ

Spread the love

ଭୁବନେଶ୍ବର: ପୁଣି ଲିଙ୍ଗରାଜ ମନ୍ଦିରରେ ବିବାଦ l କାଲିଠୁ ବନ୍ଦ ମହାପ୍ରଭୁଙ୍କ ନୀତିକାନ୍ତି l ଭୋଗ ମାରା ପ୍ରସଙ୍ଗକୁ ନେଇ ଦେଖାଦେଇଛି ଏଭଳି ବିବାଦ l ସେପଟେ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ମନ୍ଦିର ପ୍ରଶାସନ ଦ୍ୱାରା ଏହାର ସମାଧାନ ପାଇଁ ଚେଷ୍ଟା  କରାଯାଇଥିଲେ ବି ତାହା ବିଫଳ ହୋଇଛି l 

ଦୁଇ ଦିନ ହେଲା ଉପାସରେ ପ୍ରଭୁ ଲିଙ୍ଗରାଜ । ଭୋଗ ଛୁଆଁକୁ ନେଇ ମଳିଆ ସେବାୟତ ଓ ଅଣ ସେବାୟତଙ୍କ  ମଧ୍ୟରେ ବିବାଦ ।  ଯେଝା ସ୍ୱାର୍ଥରେ ଯେଝା, ଏଣେ ମହାପ୍ରଭୁଙ୍କୁ ପଚାରେ କିଏ ? ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି  l ସେବାୟତଙ୍କ ମଧ୍ୟରେ ନାହିଁ ସମନ୍ୱୟ। ନିୟମର ସମ୍ପୂର୍ଣ୍ଣ ଅବମାନନା କରାଯାଉଛି lଗତକାଲି ସକାଳ ୧୦ଟାରେ ଲିଙ୍ଗରାଜଙ୍କ ଭୋଗ ପ୍ରସ୍ତୁତି ବେଳେ ଜଣେ ମଲିଆ ସେବାୟତ ବା ଅଣ ସେବାୟତ ଭୋଗ ଛୁଇଁଦେଇଥିଲେ। ଫଳରେ ଭୋଗ ମାରା ହୋଇଥିଲା l  ଯାହାକୁ ଘୋର ବିରୋଧ କରିଥିଲେ ବଡୁ ନିଯୋଗ l

ସେପଟେ ସବୁବେଳେ ମାରା ଭୋଗକୁ ମହାସୁଆର ସେବାୟତ ମାନେ ଭକ୍ତଙ୍କୁ ବିକ୍ରି କରିଆସୁଥିବା ଅଭିଯୋଗ ଆଣିଛନ୍ତି ବଡୁ ନିଯୋଗ l ଗତକାଲି ମାରା ହୋଇଥିବା ଭୋଗକୁ ମଧ୍ୟ ଭକ୍ତଙ୍କୁ ବିକ୍ରି କରି ଦୀର୍ଘ ଦିନର ନିୟମ ମହାସୁଆର ସେବାୟତ ଭଙ୍ଗ କରିଥିବା ବଡୁ ନିଯୋଗ ଅଭିଯୋଗ କରିଛନ୍ତି l ଏଥିସହ ମାରା ଭୋଗ କୁଆଡେ ଗଲା ତାହାର ସିସିଟିଭି ଯାଞ୍ଚ ପାଇଁ ଦାବି କରିଛନ୍ତି l

ଲିଙ୍ଗରାଜଙ୍କ ରୋଷଘର ଭିତରକୁ ଅନିଚ୍ଛାକୃତ ଭାବେ ପ୍ରବେଶ କରି ଭୋଗ ମାରା କରିଥିବା ମଲିଆ ସେବାୟତ ଆଜି ବୈଠକରେ ଯୋଗଦେବା ସହ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରି ନିଜ ଦୋଷ ସ୍ବୀକାର କରିଛନ୍ତି l  ସେପଟେ ମାରା ଭୋଗ ବିକ୍ରି ନୂଆ ପ୍ରସଙ୍ଗ ହୋଇ ଠିଆ ହୋଇଛି। ଏହାକୁ  ଭିତ୍ତିହୀନ ଅଭିଯୋଗ କହିବା ସହ ଭୋଗ ଫୋପଡ଼ା ଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମଣ ନିଯୋଗ l ମାରା ଭୋଗ ପ୍ରସଙ୍ଗ ଉପରୁ ପରଦା ଉଠାଇବାକୁ ସିସିଟିଭି ଯାଞ୍ଚ କରିବାକୁ  ଓ ଏହା ଉପରେ ଉଚ୍ଚସ୍ତରୀୟ ବୈଠକ କରାଯିବାକୁ ଦାବି କରିଛନ୍ତି । ହେଲେ ମନ୍ଦିର ପ୍ରଶାସନ ଦ୍ୱାରା ବସିଥିବା ବୈଠକରେ ଯୋଗ ଦେଇନାହାନ୍ତି ବ୍ରହ୍ମଣ ନିଯୋଗ ବା ମହାସୁଆର ସେବାୟତ l

ଗତ ଦୁଇ ଦିନର ବିବାଦକୁ ନେଇ ଚିନ୍ତାରେ ମନ୍ଦିର ପ୍ରଶାସନ l ସୋମବାର ସମସ୍ତଙ୍କ ମଧ୍ୟରେ ବୈଠକ ଡାକିଥିଲେ ମନ୍ଦିର ପ୍ରଶାସନ l ବୈଠକ ବସିଥିଲା , କିନ୍ତୁ ବୈଠକରେ ମହାସୁଆର ସେବାୟତ ଯୋଗ ଦେଇନଥିବାରୁ, ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା l କିନ୍ତୁ ମହାସୁଆର ସେବାୟତଙ୍କୁ ସହଯୋଗ କରିବାକୁ କହିଥିଲା ମନ୍ଦିର ପ୍ରଶାସନ l ଅନ୍ୟପଟେ ନୀତିକାନ୍ତିକୁ ସ୍ୱାଭାବିକ କରିବାକୁ ମନ୍ଦିର ପ୍ରଶାସନ ନିବେଦନ କରିଥିବା ବେଳେ, ଯଦି ସ୍ଥିତି ସ୍ୱାଭାବିକ ନ ହୁଏ ତେବେ ଏହି ପ୍ରସଙ୍ଗ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ନେବ ବୋଲି ପ୍ରତିକ୍ରିୟା ରଖିଛି ମନ୍ଦିର ପ୍ରଶାସନ l ସେପଟେ ଉଚ୍ଚସ୍ତରୀୟ ବୈଠକ ପାଇଁ ଅଡ଼ି ବସିଛନ୍ତି ବ୍ରାହ୍ମଣ ନିଯୋଗ ବା ମହାସୁଆର ସେବାୟତ l

ଅନେକ ସମୟରେ ଅନେକ କଥାକୁ ନେଇ ଏଭଳି ବିବାଦ ଦେଖାଦେଇଛି ଲିଙ୍ଗରାଜ ମନ୍ଦିରରେ l ହେଲେ ସେବାୟତଙ୍କ ମଧ୍ୟରେ ଏଭଳି ପରିସ୍ଥିତି ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେବାକୁ ଗ୍ରହଣ କରିପାରୁ ନାହାନ୍ତି ଭକ୍ତ ଓ ସ୍ଥାନୀୟ ଲୋକେ। ତେଣୁ ଏହାର ସ୍ଥାୟୀ ସମାଧାନ କେବେ ହେବ ଆଉ କିଏ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି।

ସିମ୍ପୁଲ ନାୟକ

Leave a Reply

Your email address will not be published. Required fields are marked *