ଅନୁଗୋଳ କୁଇଓ ନିକଟରୁ ବ୍ୟକ୍ତିଙ୍କୁ ଅପହରଣ ପରେ ତାଳଚେର ବଙ୍ଗାରୁ ନାଳ ନିକଟ ଜଙ୍ଗଲରୁ ଉଦ୍ଧାର କଲା ଗୋଡିବନ୍ଧ ଫାଣ୍ଡି ପୋଲିସ । ଅପହରଣ କରି ୩୦ ଲକ୍ଷ ଟଙ୍କା ଦାବି କରି ନିସ୍ତୁକ ମାଡ ମାରିଥିଲେ ଅପହରଣକାରୀ । ପିନ୍ଧିଥିବା ସୁନା ଚେନ୍,ମୁଦି ଏବଂ ବ୍ରେସଲେଟ ସହ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ନେଇଗଲେ ଅପହରଣକାରୀ ।ସୂଚନା ଅନୁସାରେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡା ଗ୍ରାମର ଦୀପକ ପ୍ରଧାନ ତାଙ୍କ ସ୍କୁଟି ଯୋଗେ ଅନୁଗୁଳ ଅଞ୍ଚଳକୁ ଯାଉଥିବା ବେଳେ କୁଇଓ ଠାରେ ୬ ଜଣ ଦୃର୍ବୁତ୍ତ ଏକ କାରରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଅଟକାଇ ଥିଲେ । ଦୀପକ ଭୟଭୀତ ହୋଇ ଅଟକିଯିବା ପରେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଜୋରଜବରଦସ୍ତ କରି କାର ଭିତରକୁ ନେଇଥିଲେ ଦୃର୍ବୁତ୍ତ । ସେଠାରୁ ନେଇ ଗୋଡ଼ିବନ୍ଧ ବଙ୍ଗାରୁ ନିକଟସ୍ଥ ଜଙ୍ଗଲରେ ପହଞ୍ଚିଥିଲେ । ସେଠାରେ ତାଙ୍କ ହତଗୋଡ ବାନ୍ଧି ତାଙ୍କୁ ନିସ୍ତୁକ ମାଡ ମାରିବା ସହ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ କିମ୍ବା ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବା ପାଇଁ ଦେଉଥିଲେ ଧମକ । ନିକଟସ୍ଥ ଇଟା ଭାଟିରେ କିଛି ଶ୍ରମିକ କାମ କରୁଥିବା ବେଳେ ଘଟଣାକୁ ଦେଖି ନିକଟସ୍ଥ ଗୋଡିବନ୍ଧ ଫାଣ୍ଡି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଦୃର୍ବୁତ୍ତ ମାନେ ସେହି ସ୍ଥାନରେ ଅପହରଣରେ ବ୍ୟବହୃତ କାରକୁ ଛାଡି ଚମ୍ପଟ୍ ମାରିଥିଲେ । ପୋଲିସ ଘଟଣା ସ୍ଥଳରୁ ଦୀପକଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ମାନେ ଛାଡ଼ିଯାଇଥିବା କାରକୁ ଜବତ କରିଥିଲେ । ପରେ ଦୀପକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now