ପୁରୀ: ଚାଲିଛି ଧର୍ମ ମାସ କାର୍ତ୍ତିକ। ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି। ମହାପ୍ରସାଦ ପାଇବାକୁ ବ୍ୟାକୁଳ ଭକ୍ତ। ହେଲେ ଏହାରି ଭିତରେ କିଛି ଅଣସେବାୟତ ମହାପ୍ରସାଦ ବିକ୍ରି ନାଁରେ ଶୋଷଣ କରୁଥିବା ନଜରକୁ ଆସିଛି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ କି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ନିରାଶ ହେଉଛନ୍ତି ଭକ୍ତ ।
ପବିତ୍ର ଧର୍ମ ମାସ କାର୍ତ୍ତିକରେ ଭକ୍ତଙ୍କୁ ଶୋଷଣ । ଅବଢ଼ା ବିକ୍ରିକୁ ନେଇ ଅଣସେବାୟତଙ୍କ ନାମରେ ଆସିଛି ଅଭିଯୋଗ । ଅବଢ଼ା ମୂଲ୍ୟ ପ୍ରାୟ ତିନି ଗୁଣା ଅଧିକ ନେଉଥିବା ଅଭିଯୋଗ ହେଉଛି । କିନ୍ତୁ ଦୁଃଖର ବିଷୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ସମସ୍ତ ବ୍ୟବସ୍ଥା କରାଯାଉଥିବା କହି ବାଃ ବାଃ ନେଉଥିବା ଶ୍ରୀମନ୍ଦିର ପ୍ରଶାସନ ସବୁ ଜାଣି ଚୁପ୍ ବସିଛି । କାର୍ତ୍ତିକ ମାସ ଆରମ୍ଭ ଦିନରୁ ଏ ଅଭିଯୋଗ ହେଉଥିଲେ ମଧ୍ୟ ପଦକ୍ଷେପ ନିଆଯାଇନି । ତେବେ ଏଠି ପ୍ରଶ୍ନ ଉଠୁଛି? ଆନନ୍ଦ ବଜାର ବାହାରେ ମହାପ୍ରସାଦ ବିକ୍ରି ନିଷେଧ ଥିଲା, ତେବେ ବେଆଇନ ବିକ୍ରି କରୁଥିବା ଏ ଲୋକଙ୍କୁ କିଏ ପ୍ରସୟ ଦେଲା? ଏତେ ମାତ୍ରାରେ ସିସିଟିଭି, ଜେଟିପି, କର୍ମଚାରୀ ଥିଲେ ମଧ୍ୟ କାହିଁକି ହେଉନି ନିୟନ୍ତ୍ରଣ? କାହିଁକି ନିରବ ଶ୍ରୀମନ୍ଦିର ପରିଚାଳନା କମିଟି? ସେପଟେ ଭକ୍ତଙ୍କୁ ଶୋଷଣ କରୁଥିବା ଏହି ଅସାଧୁ ବ୍ୟକ୍ତି ମାନଙ୍କୁ ମହାପ୍ରଭୁ କ୍ଷମା କରିବେ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଶ୍ରଦ୍ଧାଳୁ ।
ଆନନ୍ଦ ବଜାରରେ ଶୃଙ୍ଖଳିତ ମହାପ୍ରସାଦ ବିକ୍ରି ଓ ସେବନ ନେଇ ବାରମ୍ବାର ହେଉଛି ଆଲୋଚନା। ମହାପ୍ରସାଦ ଦର ତାଲିକା ମରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା । ହେଲେ କାହିଁକି ଲାଗିପାରୁନି ରେଟ୍ ତାଲିକା ? ବରିଷ୍ଠ ଅଧିକାରୀ ମାନେ ଭକ୍ତଙ୍କ ସ୍ବାର୍ଥକୁ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ ସେନେଇ ପ୍ରଶ୍ନ କରିଛନ୍ତି ଭକ୍ତ । ସେପଟେ ମହାପ୍ରସାଦ ବିକ୍ରି ଆଳରେ ଶୋଷଣ କରୁଥିବା ଅଣସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଫେଇ ଦେଇଛି ପ୍ରଶାସନ।
କାର୍ତ୍ତିକରେ ମହାପ୍ରସାଦ କଣିକାଟିଏ ପାଇବା ଭାଗ୍ୟର କଥା ବୋଲି ଲୋକବିଶ୍ୱାସ ରହିଛି । ଏଭଳି ସମୟରେ ଅବଢାର ଚଢା ଦରକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସ୍ୱାଭାବିକ ।
ପିଣ୍ଟୁ ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now