ବିଜୁ ଅମଳର ନେତୃବୃନ୍ଦ ଆଉଟ ଅଫ ସିଷ୍ଟମରେ କାମ କରିଆସିଛନ୍ତି: ପ୍ରଣବ

ଭୁବନେଶ୍ବର: ବିଜେଡି ଏବେ ବିଜୁଙ୍କ ଆଦର୍ଶ ନା ନବୀନଙ୍କ ଆଦର୍ଶରେ ଚାଲିଛି। ଶୃଙ୍ଖଳା ଦଳର ବଡ଼ ପାଣ୍ଠି ହୋଇଥିଲା ବେଳେ ଆଉଟ ଅଫ ସିଷ୍ଟମରେ ବିଜୁ ଅନୁଗତ ଚାଲିଯାଉଛନ୍ତି କି। ଏମିତି କିଛି ଘଟଣାର ପ୍ରତିଫଳନ ସର୍ବସାଧାରଣରେ ବରମୁଣ୍ଡା ପଡ଼ିଆରୁ ଦେଖାଇସାରିଛି ଶଙ୍ଖ ଶିବିର। ଦଳକୁ ପରିଚାଳନା କରୁଥିବା ନେତାଙ୍କ ବ୍ୟବହାର ଓ ସଂଯମତା ଭଳି ଅନେକ ଗୁଣ ରହିବା ଦରକାର ବୋଲି ମୋଟିଭେସନାଲ ସ୍ପିକର କହିଯାଇଥିଲେ ବି ଦଳ ଏଠୁ କିଛି ଶିଖିବ ତ। ଏମିତି ଅନେକ ପ୍ରଶ୍ନ ପଦଯାତ୍ରା ଆଗରୁ ମନରେ ଉଂକି ମାରିଛି।

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଜଣଙ୍କ ପରେ ଜଣେ ତୁଙ୍ଗ ନେତାଙ୍କୁ ମଞ୍ଚକୁ ଡାକୁଥିଲେ। କାହା ଉପରେ ଓ କେତେ ସମୟ ଭିତରେ କହିବେ ବୋଲି ସ୍ପଷ୍ଟ କରିଦେଉଥିଲେ। ହେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହୁ କହୁ ଧାର୍ଯ୍ୟ ସମୟରୁ ଅଧିକ ୭ ମିନିଟ୍ କହିଦେଲେ। ଆଉ ତାଙ୍କର ଭାଷଣ ସରିବା ମାତ୍ରେ ସମସ୍ତେ ଶୃଙ୍ଖଳାର ପରିଧି ଭିତରେ ରହିବା ଦରକାର ବୋଲି ଚେତେଇ ଦେଇଥିଲେ ପ୍ରଣବ। କିନ୍ତୁ ଏ କଥା ବି କହିବାକୁ ଭୁଲିନଥିଲେ ଯେ, ରାଜା ହେଉଛନ୍ତି ବିଜୁ ବାବୁଙ୍କ ଲୋକ। ବିଜୁ ଅମଳର ଲୋକ ରାଜା ହୁଅନ୍ତୁ ଅବା ଦେବୀ ମିଶ୍ର। ଅଥବା ତାଙ୍କ ପିତା ସ୍ୱର୍ଗତ ଅଶୋକ ଦାସ। ସମସ୍ତେ ଆଉଟ ଅଫ ସିଷ୍ଟମରେ କାମ କରିଆସିଛନ୍ତି। ସେମାନେ ବିଜୁ ବାବୁଙ୍କ ଭଳି ଗର୍ଜନ କରନ୍ତି। କିନ୍ତୁ ଏ ସମୟସୀମାକୁ ଆଉ କେହି ଯେମିତି ଅତିକ୍ରମ ନ କରନ୍ତି,ତାକୁ ନେଇ ଦଳୀୟ ଶୃଙ୍ଖଳାର କଥା କହି ବିଜୁ ଅମଳର ଆଉ ଜଣେ ତୁଙ୍ଗ ନେତା ଦେବୀ ମିଶ୍ରଙ୍କୁ ହାତଯୋଡ଼ି ଅନୁରୋଧ କରିବାର ଦୃଶ୍ୟ ଥିଲା ନିଆରା। ହେଲେ ଦେବୀ ବି ବେଶ୍ ଚତୁର। ବିଜୁଙ୍କ ଅବର୍ତ୍ତମାନରେ ଆଦର୍ଶଗତ ଦ୍ୱନ୍ଦ୍ୱର କଥା ଉଖାରିଥିଲେ। ବିଜୁ ବାବୁଙ୍କ ବିକାଶ ରାଜନୀତିରେ ତାଙ୍କ ଭଳି ନେତା ବିଶ୍ୱାସ କରନ୍ତି ବୋଲି କହିଥିଲେ।

ସେପଟେ ନବୀନଙ୍କ ବିକଳ୍ପ ନାହାନ୍ତି ବୋଲି ବିଜେଡିର ବିଶ୍ୱାସକୁ ମୋଟିଭେସନାଲ ସ୍ପିକରଙ୍କ ସାଇନ୍ସ ଥିଓରୀ ବେଶ୍ ଉଲ୍ଲସିତ କରିଥିଲା। ରାଜନୈତିକ ମଞ୍ଚ ଓ କ୍ଷମତା ଚୌକି କେତେ ବିପଦ ତାହାର ଅବତାରଣା କରି ଯେ ପର୍ଯ୍ୟନ୍ତ ଲୋକଙ୍କ ମନରେ ଓ ହୃଦୟରେ ଥିବେ, ସେ ପର୍ଯ୍ୟନ୍ତ ସରକାର ବିରୋଧୀ ହାଓ୍ୱାର ସାଇନ୍ସ କାମ କରିବନି ବୋଲି କହିଛନ୍ତି। କିନ୍ତୁ ତା ସହ ବି କେବଳ ନବୀନଙ୍କ ଭଳି ସ୍ୱଛ ନେତାଙ୍କ ଭାବମୂର୍ତ୍ତିକୁ ଧରି ଆଗେଇଲେ ହେବନି। ସେଥିଲାଗି ଦଳର ପ୍ରତିଟି ବ୍ୟକ୍ତି ଏମବିଏ କରିବା ଦରକାର। ପରିଚାଳନା, ବ୍ୟବହାର ଓ ଢଙ୍ଗରେ ମାର୍ଜିତ ହେବା ଦରକାର।

ରାତି ପାହିଲେ ପଦଯାତ୍ରା। ଆଉ ବରମୁଣ୍ଡା ପଡ଼ିଆରୁ ପଦଯାତ୍ରା ପ୍ରସ୍ତୁତି ପାଇଁ ତାଲିମ ନେଇ ଯାଇଥିବା ନେତା ଓ କର୍ମୀ ଏହାକୁ ସଫଳ କରିବେ ଓ ନବୀନଙ୍କୁ ପୁଣି ଶୀର୍ଷସ୍ତରରେ ପହଞ୍ଚାଇବେ, ଏ ସଂକଳ୍ପ କରିଛନ୍ତି।

କଥା କମ୍। କାମ ବେଶୀ। ଶୃଙ୍ଖଳା ଆଗ। ପାତରଅନ୍ତର ପଛ। ଏଭଳି କିଛି ବ୍ରତରେ ବ୍ରତୀ ବିଜେଡିର ଅନେକ ଆଭ୍ୟନ୍ତରୀଣ କଥା କେବଳ ଜନସମର୍ଥନ ବଢ଼ିବା ବଳରେ ଆଗଉଛି ନା ଗ୍ରାଉଣ୍ଡରେ ଏଥିରେ କିଛି ବ୍ୟତିକ୍ରମ ହେଉଛି। ସମୟ କହିବ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *