ମାଲକାନଗିରି : ମାଲକାନଗିରି ଜିଲ୍ଲାର ଜଣାଶୁଣା ଚେହେରା ଖଇରପୁଟ ନିବାସୀ ଚିତ୍ତ ପଟନାୟକ । ପୂର୍ବରୁ ସେ କଂଗ୍ରେସ ଦଳରେ ଥିଲେ ଏବଂ ପ୍ରଦୀପ ମାଝିଙ୍କ ଦୃଢ଼ ସମର୍ଥକ ରହିଥିଲେ । ଦିନେ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଜିଲ୍ଲାରେ କଂଗ୍ରେସର ଦବଦବା ଥିଲା । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଅନେକ ଥର ଆନ୍ଦୋଳନ ହୋଇଛି । ସେତେବେଳେ ଚିତ ପଟନାୟକ କଂଗ୍ରେସ ଦଳରେ ରହି ଖଇରପୁଟ, ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଂଚଳର ଲୋକଙ୍କୁ ନେଇ ଭଲ ସଂଗଠନ ଗଢ଼ିଥିଲେ । ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଥିଲେ । ଲୋକେ ବି ପସନ୍ଦ କରୁଥିଲେ । ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ରାସ୍ତାରୋକ କରୁଥିଲେ । ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଯୋଗ ଦେଉଥିଲେ । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଚିତ ପଟନାୟକଙ୍କ ବେଶ ଖାତିର ରହିଥିଲା । ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେବାପରେ ଚିତ ପଟନାୟକ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ବିଜେଡିରେ ସାମିଲ ହେଲେ । ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଂଚାୟତ ନିର୍ବାଚନ ବେଳେ ସେ ନିଜ ଘର କଥା ଭୁଲିଯାଇ ଦିନରାତି ଏକ କରି ଦଳ ପାଇଁ କାର୍ଯ୍ୟକରିଥିଲେ । ସାଧାରଣ ନିର୍ବାଚନ ହେବାର ଚାରି ବର୍ଷ ବିତିଗଲାଣି ଚିତ ପଟନାୟକ କଣଠେସା ହୋଇ ରହିଛନ୍ତି । ଆଗ ଭଳି ଆଉ ତାଙ୍କର ଖାତିର ନାହିଁ କି ସେଭଳି କିଛି ଭୂମିକା ନ ଥିବା ଦେଖାଯାଇଛି । ବିଜେଡି ଦଳର କିଏ ବି ସେଭଳି ତାଙ୍କୁ ପଚାରୁ ନାହାନ୍ତି କି ସଭାସମିତି ହେଲେ ବି ଡାକୁ ନାହାନ୍ତି ।
ଚିତ ପଟନାୟକଙ୍କ କହିବାନୁସାରେ, କଂଗ୍ରେସ ଦଳରୁ ଯେଉଁ କର୍ମୀମାନେ ତାଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହେଲେ ସେମାନଙ୍କୁ ଅଣଦେଖା କରାଯାଇଛି । ସେଥିପାଇଁ ଖଇରପୁଟ, ମାଥିଲି ଓ ଚିତ୍ରକୋଣ୍ଡା ଅଂଚଳର ଅନେକ କର୍ମୀ ବିଜେଡି ଛାଡିବା ପାଇଁ ମନ ସ୍ଥିର କରିଛନ୍ତି । ତେବେ ବେଜେଡି ଛାଡିବା ପରେ କେଉଁ ଦଳରେ ସାମିଲ ହେବେ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ଚିତ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now