ଜିଲ୍ଲାସ୍ତରୀୟ ଜାତୀୟ ଡ଼େଙ୍ଗୁ ଦିବସ ପାଳିତ

Spread the love

ମାଲକାନଗିରି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ଡ଼େଙ୍ଗୁ ଦିବସ ପାଳିତ ହୋଇଯାଇଛି । ଅଷ୍ଟମ ତମ ଜାତୀୟ ଡେଙ୍ଗୁ ଦିବସର ସ୍ଲୋଗାନ ହେଉଛି : ଦୃଢତାର ସହିତ ସହଭାଗୀତା ରଖି ଡେଙ୍ଗୁକୁ ପ୍ରତିହତ କରିବା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ), ମହେଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଯେଉଁ ଆଶା, ଅଙ୍ଗନୱାଡି କର୍ମୀ ଉତ୍କୃଷ୍ଟ କାମ କରିବେ ତାଙ୍କୁ ସମ୍ବର୍ଦ୍ଧନା କରାଯିବ । ସେହିପରି ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ( ମଶା ବାହିତ ରୋଗ), ଡ଼ା. ଧନେଶ୍ୱର ମହାପାତ୍ର ଓ ଡ଼ା. ଅନିଲ ମିଶ୍ର ଉପସ୍ଥିତ ରହି ଡେଙ୍ଗୁ ନିରାକରଣର ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ ।

ସୂଚନାଯୋଗ୍ୟ, ଜିଲ୍ଲାରେ ୨୦୨୧ ମସିହାରେ ୨୬୯୮ ଡେଙ୍ଗୁ ସନ୍ଦେହୀ ରୋଗୀଙ୍କର ରକ୍ତ ପରୀକ୍ଷା କରାଯାଇ ୩୩୬ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ୨୦୨୨ ମସିହାରେ ୫୩୦୯ ଜଣଙ୍କର ପରୀକ୍ଷା କରାଯାଇ ୩୫୯ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେହିପରି ୨୦୨୩ ରେ ଅର୍ଥାତ୍ ବର୍ତମାନ ପର୍ଯ୍ୟନ୍ତ ୫୮୫ ଜଣଙ୍କର ରକ୍ତ ପରୀକ୍ଷା ହୋଇ କୌଣସି ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇ ନାହାନ୍ତି ।

ସେହିପରି ଜିଲ୍ଲା ମଶା ବାହିତ ରୋଗ ପରାମର୍ଶଦାତା, ଅଜିତ କୁମାର ଦଲାଇ, ଆଶା ଓ ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ମାନଙ୍କ କାର୍ଯ୍ୟ ପ୍ରଣାଳୀ କଣ ଓ ତାଙ୍କର ଦାୟିତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ଚଳିତ ବର୍ଷର ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ମଶା ବାହିତ ରୋଗ ବିଶେଷଜ୍ଞ ବିକାଶ ପାଣିଗ୍ରାହୀ ସହାୟତା କରିଥିଲେ । ଏହି ଦିବସରେ ସେଠାରେ ମାଲକାନଗିରି ପୌର ପରିଷଦର ସମସ୍ତ ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *