ଯୁକ୍ତ ଦୁଇ ବାଣିଜ୍ୟରେ ଜିଲ୍ଲା ଟପ୍ପର, ଉଚ୍ଚ ଶିକ୍ଷା ପାଇଁ ନାହିଁ ସମ୍ବଳ

Spread the love

ମାଲକାନଗିରି : ଝିଅ ଯୁକ୍ତ ଦୁଇ ବାଣିଜ୍ୟରେ ଜିଲ୍ଲା ଟପ୍ପର। କିନ୍ତୁ, ବାପା ମୂଲିଆ। ଆର୍ଥିକ ଅନଟନ ଯୋଗୁଁ ପୂର୍ବରୁ ଦୁଇ ମେଧାବୀ ପୁଅ ଝିଅଙ୍କ ପାଠ ପଢାରେ ବାଧା ଉପୁଜିଥିଲା। କିନ୍ତୁ, ଏବେ ସାନ ଝିଅ ଜିଲ୍ଲା ଟପ୍ପର ହେବା ପରେ ଝିଅର ଆଗାମୀ ପାଠ ପଢାକୁ ନେଇ ଚିନ୍ତାରେ ବାପା। ଏପଟେ ଝିଅ ମଧ୍ୟ ବାପାଙ୍କୁ ଚାଷ ଓ ମୂଲ ଲାଗିବା ବେଳେ ବାପାଙ୍କ କାମରେ ସାହାଯ୍ୟ କରୁଥଲା ନିଜେ ସବୁ କରି ମଧ୍ୟ ଜିଲ୍ଲାରେ ଟପ୍ପର ହେବା ସତ୍ବେ ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତାରେ ପରିବାର।

ନା ମମତା ପ୍ରଧାନୀ, ଘର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉଦୁଲିବେଡା ପଞ୍ଚାୟତର ବାଲିଗୁଡା। ଚାରି ଭାଇ ଭଉଣୀ ମଧ୍ୟରୁ ୩ ନମ୍ବର ଝିଅ ମମତା।ଚଳିତ ବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗରେ ୫୦୨ ମାର୍କ ରଖି ଜିଲ୍ଲାର ଟପ୍ପର ହୋଇଥିଲେ। କିନ୍ତୁ, ଏବେ ଘର ନିକଟରେ ଆଗକୁ ପାଠ ପଢ଼ିବାର କୌଣସି ମାଧ୍ୟମ ବା କଲେଜ ନଥିବାରୁ ଚିନ୍ତାରେ ପୁରା ପରିବାର। ମମତା ନିଜେ କୁଲି କାମ କରିବା ସହ ବାପାଙ୍କୁ ଚାଷବାସ କାମରେ ସାହାଯ୍ୟ କରୁଥିଲା। ଘରର ସମସ୍ତ କାମ କରିବା ସହ ଜଙ୍ଗଲରୁ କାଠ ଆଣିବା, କୁକୁଡ଼ା ମାନଙ୍କୁ ଖାଇବାକୁ ଦେବା, ସେମାନଙ୍କ ଯତ୍ନ ନେବା ଆଦି କାମ ମଧ୍ୟ ନିଜେ କରୁଥିଲେ। ବିଭିନ୍ନ ପ୍ରକାରର ପନିପରିବା ଚାଷରେ ବାପାଙ୍କୁ ଜମି କାମରେ ସାହାଯ୍ୟ ମଧ୍ୟ କରୁଥିଲେ। ତାହା ସହ ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରି ବିନା କୌଣସି କୋଚିଂରେ ଜିଲ୍ଲାର ଟପ୍ପର ମଧ୍ୟ ହେଲେ, କିନ୍ତୁ ଏବେ ଆଗକୁ ଅଧ୍ୟୟନ କିପରି କରିବେ ତାକୁ ନେଇ ଚିନ୍ତା। ପୂର୍ବରୁ ବଡ଼ ଭଉଣୀ ଦୁତିକା ପ୍ରଧାନୀ ଓ ପୁଅ ଅଜୟ ପ୍ରଧାନୀ ମେଧାବୀ ହୋଇ ମଧ୍ୟ ଆର୍ଥିକ ଅନଟନ ମଧ୍ୟରେ ପାଠ ପଢା ଛାଡି ଦେଇଥିଲେ। ଏବେ ମମତା କଣ କରିବ ତାକୁ ନେଇ ଚିନ୍ତାରେ।ନିଜର ଦୁଇ ପୁଅ ଝିଅଙ୍କୁ ଅଧାରେ ପାଠ ପଢା ଏବଂ ଏବେ ଝିଅର ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତାରେ ବାପା ଆନନ୍ଦ ପ୍ରଧାନୀ । ମାଥିଲି ଖଇରପୁଟ ବ୍ଲକରେ ବାଣିଜ୍ୟ ବିଭାଗରେ ଯୁକ୍ତ ତିନିର କୌଣସି ବ୍ୟବସ୍ଥା ନାହିଁ । ଭରଷା କେବଳ ବାଲିମେଳା, ମାଲକାନଗିରି ଓ ଜୟପୁର । ଯାହାକି ଘରଠୁ ପ୍ରାୟ ୫୦ କି.ମି. ଦୂର । ସେଠାରେ ପଢିବାକୁ ହେଲେ ହଷ୍ଟେଲରେ ରହି ପଢିବାକୁ ହେବ। କିନ୍ତୁ, ଆର୍ଥିକ ଅବସ୍ଥା ସୁଦୃଢ଼ ନଥିବାରୁ ତାହା ମଧ୍ୟ ଆନନ୍ଦଙ୍କ ପରିବାର ପାଇଁ ସମ୍ଭବ ନୁହଁ। ଓବିସି ଶ୍ରେଣୀର ହୋଇଥିବାରୁ ସରକାରଙ୍କ ଠାରୁ ମଧ୍ୟ କୌଣସି ସୁବିଧା ନାହିଁ। ପୂର୍ବ ଦୁଇ ପୁଅ ଝିଅ ଭଳି ମମତାଙ୍କ ପାଠ ପଢା ମଧ୍ୟ କଣ ଅଧାରେ ରହିଯିବ ସେଥିପାଇଁ ବାପା ଓ ପରିବାର ଚିନ୍ତାରେ। ଏପଟେ ଗ୍ରାମବାସୀ କହିଛନ୍ତି, ଜିଲ୍ଲା ଟପ୍ପର ହେବାରୁ ଆମ ଗାଁ ପାଇଁ ମମତା ଗର୍ବ। ଅଞ୍ଚଳରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପାଇଁ ଏକ ଯୁକ୍ତ ତିନି କଲେଜ ହେଲେ ସ୍ଥାନୀୟ ଗରିବ ଛାତ୍ର ଛାତ୍ରୀଙ୍କ ପାଇଁ ଅଧିକ ସୁବିଧା ହୁଅନ୍ତା।

Leave a Reply

Your email address will not be published. Required fields are marked *