ମାଲକାନଗିରି : ଆଦିବାସୀ ଅଧ୍ଯୁଷିତ ଖଣିଜ ସମ୍ପଦରେ ଭରପୁର ମାଲକାନଗିରି ଜିଲ୍ଲାର ପଡିଆ ଅଞ୍ଚଳର ନିଲିଗୁଡା, ମୋଟୁ ଅଞ୍ଚଳର କାଟନପଲ୍ଲୀ, କୁନାନପାଲି ଓ ତାଣ୍ଡବାଇ, କାଲିମେଳା ଅଞ୍ଚଳର ମାନ୍ୟମକୋଣ୍ଡା ଏବଂ ବାଲିମେଳା ଅଞ୍ଚଳରେ ମୂଲ୍ୟବାନ ଧଳା କ୍ଵାର୍ଟଜ୍ ପଥର ଖାଦାନରେ ଗଚ୍ଛିତ ରହିଥିବା ଜଣାପଡିଛି । ଏସବୁ ଉପରେ ଖଣି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବାରୁ ବିଗତ ୪ ବର୍ଷ ମଧ୍ୟରେ ତଥା ବିଭିନ୍ନ ସମୟରେ ବିନା ଲିଜରେ ଖନନ କରି ଅନ୍ୟତ୍ର ଚୋରା ଚାଲାଣ କରିଥିବା ନଜିର ରହିଛି । ଏପରି ବେନିୟମ ଖନନକୁ ବିଭିନ୍ନ ମହଲରେ ଅଭିଯୋଗ ହେବାରୁ ଖନନ କାର୍ଯ୍ୟ ବନ୍ଦ ରହିଥିଲା। ପୁଣି କିଛି ଦିନର ନୀରବତା ପରେ ଖଣି ବ୍ୟବସାୟୀମାନେ ମାଲକାନଗିରି ଜିଲ୍ଲାରେ ଆସି ଚଳପ୍ରଚଳ ହେଉଥିବା ଜଣାପଡିଛି । ମୋଟୁ ତହସିଲ ଅନ୍ତର୍ଗତ କାଟନପାଲ୍ଲୀ ଠାରେ ଥିବା ଏହି ଖାଦାନକୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅଜଣାତରେ ପଡୋଶୀ ଆନ୍ଧ୍ରର ଜଣେ ବ୍ୟବସାୟୀ ଖନନ କରି ପୂର୍ବରୁ ଚାଲାଣ କରିଥିଲା । ଅଭିଯୋଗ ହେବାରୁ ସେହି ସମୟରେ ମୋଟୁ ତହସିଲ ପକ୍ଷରୁ ଖାଦାନ ସ୍ଥଳରେ ନାଲି କପଡା ଲଗାଇ ଖନନ ବନ୍ଦ କରିଥିଲେ । ସେହିପରି ଚାଲାଣ ବେଳେ କାଲିମେଳା ତହସିଲ ପକ୍ଷରୁ ଜବତ କରି ତହସିଲ କାର୍ଯ୍ୟାଳୟ ପରିସରରେ ଧଳା କ୍ଵାର୍ଟଜ୍ ପଥର ରଖାଯାଇଛି । ଏହି ଧଳା ପଥର ୯୯.୪ ପ୍ରତିଶତ ଗୁଣବତ୍ତା ଥିବାରୁ ଏହାର ବଜାର ମୂଲ୍ୟ ଢେର୍ ଅଧିକ ରହିଥିବା ବେଳେ ଟନ୍ ଟନ୍ ପଥର ଚୋରା ଚାଲାଣ ହୋଇସାରିଛି ଏବଂ କିଛି ପଥର ଖାଦାନ ସ୍ଥଳରେ ପଡ଼ି ରହିଛି । ତେବେ ଗତ ଏକ ସପ୍ତାହ ହେବ ଆନ୍ଧ୍ରର ଜଣେ ଖଣି ବ୍ୟବସାୟୀ କାଟନପାଲି ଠାରେ ପୁଣି ଖନନ ଆରମ୍ଭ କରିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଚଳିତ ମାସ ୨ ତାରିଖରେ ଦଳିତ -ଆଦିବାସୀ ସୁରକ୍ଷା ମଞ୍ଚ ଓଡ଼ିଶା ପକ୍ଷରୁ ସଭାପତି ହାରାନ ମଣ୍ଡଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତା ସହିତ ଷ୍ଟିଲ ଓ ମାଇନ୍ସ ବିଭାଗ କୋରାପୁଟ ଓ ଭୁବନେଶ୍ଵର, ବନ ବିଭାଗ, ରାଜସ୍ବ ବିଭାଗକୁ ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି । ଏବଂ ବେଆଇନ ଖଣି ଲୁଟ୍ ରୋକିବାକୁ ସଂପୃକ୍ତ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଟାନପାଲ୍ଲି ଗ୍ରାମରେ ଏକ ବୈଠକ କରି କମିଟି ଗଠନ କରିଥିବା ଜଣାପଡିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now