ମାନସ ସ୍ୱାଇଁ ହତ୍ୟା ମାମଲା, ହତ୍ୟାକାଣ୍ଡର ଷ୍ଟାର ୱିଟନେସ୍ ସରୋଜିନୀ ସେଠୀଙ୍କୁ ଜେରା

Spread the love

ଭଦ୍ରକ : ବହୁ ଚର୍ଚ୍ଚିତ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ତଥା ଷ୍ଟାର ୟୁଇଟନେସ୍ ସରୋଜିନୀ ସେଠୀ ଓରଫ ସୋନିଙ୍କୁ ଗତକାଲି ଅଭିଯୁକ୍ତମାନଙ୍କ ଓକିଲମାନେ ଦିନ ତମାମ୍ ଜେରା କରିଥିଲେ ମଧ୍ୟ ସେଭଳି କୌଣସି ଠୋସ୍ ତଥ୍ୟ ତାଙ୍କ ଠାରୁ ପାଇନଥିଲେ । ଅଭିଯୁକ୍ତ ଭାଗ୍ୟଧର ସେଠୀଙ୍କର ଓକିଲ ବିଜନ ଜେନା ତାଙ୍କୁ ଦୀର୍ଘସମୟ ଧରି ଜେରାକରି ଦୟାଲ ଆଶ୍ରମ, ସଂପୂର୍ଣ୍ଣ ଟିଭି କାର୍ଯ୍ୟାଳୟର ସ୍ଥିତାବସ୍ଥା ଓ ଶର୍ମିଷ୍ଠା ଭାଉଜଙ୍କ ସହ ରହୁଥିବା ବାସଗୃହ ସମ୍ପର୍କରେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ । ସେହିପରି ପୂର୍ବତନ ରାଜ୍ୟ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଓକିଲ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଦୀର୍ଘ ସମୟ ଧରି ଜେରା କରି ଦୟାଲ ଆଶ୍ରମର କର୍ମଚାରୀ ଓ ଅନ୍ତେବାସୀଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେହିପରି ଅନ୍ୟତମ ଅଭିଯୁକ୍ତ ରାଜର ଓକିଲ ଭଦ୍ରକର ବରିଷ୍ଠ ଆଇନ୍ଜୀବୀ ଶରତ ମହାପାତ୍ର ଦୟାଲ ଆଶ୍ରମର କେୟାରଟେକର ଭାବେ କାର୍ଯ୍ୟ କରୁଥିବା ସମୟରେ ଅନେକ ତଥ୍ୟଭିତ୍ତିକ କାର୍ଯ୍ୟାବଳୀ ଉପରେ ଓ ସରୋଜିନୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ଅନେକ ପ୍ରଶ୍ନ ପଚାରିଥିଲେ । ତେବେ ସମୟ ଅଭାବରୁ ଗତକାଲି ଶର୍ମିଷ୍ଠାଙ୍କ ଓକିଲ ଜେରା କରିବା ସମ୍ଭବ ହୋଇପାରିନଥିଲା। ଆଜି ଶର୍ମିଷ୍ଠାଙ୍କ ପାଇଁ ଲଢୁଥିବା ଫୌଜଦାରୀ ମାମଲାର ବରିଷ୍ଠ ଆଡଭୋକେଟ୍ ବସନ୍ତ ଦାସଙ୍କ ସହ ମାମଲା ପରିଚାଳନା କରିବାରେ ଶର୍ମିଷ୍ଠା ଆଇନ୍ଜୀବୀ ଗଦାଧର ବଳଙ୍କୁ ନିଯୁକ୍ତି ଦେଇଥିଲେ । ମାମଲାର ବିଚାର ପାଇଁ କୋର୍ଟ ଆଜି ତାରିଖ ଧାର୍ଯ୍ୟ ରଖିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ତରଫରୁ ସରୋଜିନୀଙ୍କୁ ଆଣି କୋର୍ଟରେ ହାଜର କରାଯାଇପାରିନଥିଲା। ଫଳରେ ଆସନ୍ତା ୨୩ ତାରିଖକୁ ସରୋଜିନୀର ଜେରା ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି । ପ୍ରକାଶ ଥାଉକି ଓଡ଼ିଶାର ବହୁ ଚର୍ଚ୍ଚିତ ହାଇପ୍ରୋଫାଇଲ୍ କ୍ୟାମେରାମେନ୍ ମାନସ ସ୍ୱାଇଁଙ୍କୁ ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱର ଦୟାଲ ଆଶ୍ରମରେ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯିବା ପରେ ହତ୍ୟା କରାଯାଇଥିଲା। ଏହାର ପ୍ରମାଣ ନଷ୍ଟ କରିବା ପାଇଁ ମାନସ ସ୍ୱାଇଁଙ୍କୁ ନୟାଗଡ ଜିଲା ରଣପୁର ନିକଟସ୍ଥ ଏକ ନିକନ ସ୍ଥାନରେ ଗାତଖୋଳି ପୋତିଦିଆଯାଇଥିଲା। କ୍ୟାମେରାମେନ୍ ମାନସ ସ୍ୱାଇଁ ଏକ ବାହାଘରରେ ଫଟୋ ଓ ଭିଡିଓ ଉଠାଇବା ପାଇଁ ଗତ ୭.୨.୨୨ ତାରିଖରେ ଚାନ୍ଦବାଲି ଥାନା ଅଞ୍ଚଳର ପଳାସପୁର ଗ୍ରାମକୁ ଆସିଥିବାବେଳେ ସମ୍ପୂର୍ଣ୍ଣା ୱେବ୍ ନ୍ୟୁଜ୍ ଚେନାଲର ମାଲିକ ଶର୍ମିଷ୍ଠା ରାଉତ ତାଙ୍କ ସହେଯାଗୀ ଝୁନା ଭୋଇ ଓ ଅନ୍ୟମାନେ ସେଠାରୁ ମାନସକୁ ଅପହରଣ କରିନେଇଥିଲେ। ଶର୍ମିଷ୍ଠା ଓ ନିରଞ୍ଜନଙ୍କର ବ୍ୟକ୍ତିଗତ ଜୀବନ ଏକ ଭିଡିଓ ଚିଫ୍ ମାନସ ନିକଟରେ ଥିବାରୁ ଶର୍ମିଷ୍ଠା ଫେରାଇବା ପାଇଁ ଦାବି କରି ନିରାଶ ହେବା ପରେ ମାନସକୁ ଅପହରଣ ପରେ ଦୟାଲ ଆଶ୍ରମରେ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯ୍ୟାତନା ଦେଇ ହତ୍ୟା କରିଥିଲେ। ମାନସ ସ୍ୱାଇଁ ଘରକୁ ନଫେରିବାରୁ ତାଙ୍କ ବାପା ଫେବୃୟାରୀ ୯ ତାରିଖରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ପୁଲିସ୍ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚଙ୍କୁ ଦେଇଥିଲେ । କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ କାର୍ରେ ଯାଉଥିବାବେଳେ ନଳାଙ୍ଗ ଠାରେ ଗିରଫ କରିଥିଲେ। ଏବେ ସେମାନେ ବିଚାରାଧୀନ ବନ୍ଦୀ ଭାବେ ଭଦ୍ରକ ଜେଲ୍ରେ ଥିବାବେଳେ ନିରଞ୍ଜନ ସେଠୀଙ୍କୁ ହାଇକୋର୍ଟ ଜାମିନ୍ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *