ଅଧାରେ ରହିଯିବ କି ଅର୍ଚ୍ଚନାଙ୍କ ସ୍ବପ୍ନ

Spread the love

() ଜୀବନର ଲକ୍ଷ୍ୟ ଥିଲା ପିଟି ଉଷା ଓ ଦୂତି ଚାନ୍ଦଙ୍କ ଭଳି ଦୌଡ ରାଣୀ ହେବି ଆଉ ମୋ ଦେଶର ମୋ ରାଜ୍ୟର ନା ରଖିବି । ସେଇଥି ପାଇଁ ପିଲାଟି ଦିନରୁ ଦୌଡ଼ ପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରି ନିଜସ୍ଵ ପ୍ରତିଭାର ବିକାଶ ଯଥାସାଧ୍ୟ ଉଦ୍ୟମ କରି ଜିଲ୍ଲା ,ରାଜ୍ୟ ଓ ଜାତୀୟ ସ୍ତରରେ ମହିଳା ଧାବିକା ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅର୍ଚ୍ଚନା। ଆଉ ଏବେ ଉପଯୁକ୍ତ ପ୍ରଶିକ୍ଷଣ,ମାର୍ଗଦର୍ଶନ ଓ ସରକାରୀ ପ୍ରୋତ୍ସାହନା ଅଭାବରୁ ବଣ ମଲ୍ଲୀ ବଣରେ ଲୁଚି ଗଲା ପରି ଲୁଚି ଯାଇଛନ୍ତି ସେ ।

ଅନେକ ସ୍ୱପ୍ନ ଦେଖିଥିଲେ ଅର୍ଚ୍ଚନା, ରାଜ୍ୟ ପାଇଁ ଖେଲିବେ , ଦେଶ ପାଇଁ ଖେଳିବେ ଆଉ ଭାରତ ପାଇଁ ପଦକ ଆଣିବେ । କିନ୍ତୁ ସେ ସବୁ ସ୍ୱପ୍ନ ଅଧାରେ ରହିଯାଇଛି। ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନ,ଉପଯୁକ୍ତ ପ୍ରଶିକ୍ଷଣ ଓ ମାର୍ଗ ଦର୍ଶନ ଅଭାବରୁ ଅର୍ଚ୍ଚନାଙ୍କ ଦୌଡ଼ ରାଣୀ ସ୍ୱପ୍ନ ଅନିଶ୍ଚିତତା ଭିତରେ। ଅର୍ଚ୍ଚନା ଜେନା, ଭଣ୍ଡାରିପୋଖରୀ ବିରୋଳି ଗାଁର ଶିକ୍ଷକ ପଞ୍ଚାନନ ଜେନାଙ୍କ ଝିଅ ।

ପିଲାଟି ବେଳରୁ ଦୌଡିବା ପାଇଁ ଖୁବ ଭଲ ପାଆନ୍ତି ସେ । ସ୍କୁଲରେ ପାଠ ପଢିବା ସମୟରେ ଖେଳ ଶିକ୍ଷକ ବୃନ୍ଦାବନ ମହାନ୍ତିଙ୍କ ପ୍ରେରଣାରେ ଅର୍ଚ୍ଚନା ନିଜକୁ ଜଣେ ଭଲ ଦ୍ରୁତ ଧାବିକା କ୍ରୀଡାବିତ ଭାବରେ ପରିଣତ କରିବା ସହ ସ୍କୁଲ, କଲେଜରୁ ବିଭିନ୍ନ କ୍ରୀଡ଼ା ସମେତ ଦୌଡ଼ ପ୍ରତିଯୋଗିତାର ନିଜର ଜଲ୍ଵବା ଦେଖାଇଛନ୍ତି। ବାପା ମାଆ ଓ କୋଚଙ୍କ ପୂର୍ଣ୍ଣ ସହଯୋଗରେ ଜିଲ୍ଲା,ରାଜ୍ୟ ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦନ କରି ଅନେକ ପୁରସ୍କାର ସମେତ ପ୍ରମାଣ ପତ୍ର ମଧ୍ୟ ପାଇଲେ ଅର୍ଚ୍ଚନା।୨ ମିନିଟରେ ୮୦୦ ମିଟର ଦଉଡ଼ି ସାରା ରାଜ୍ୟରେ ରେକର୍ଡ କରିଥିଲେ ଅର୍ଚ୍ଚନା ।  

ଅର୍ଚ୍ଚନା ଜିଲ୍ଲା ଆଥଲେଟିକ ଆସୋସିଏସନ, ଷ୍ଟେଟ ମିଟ୍, କଟକ ବାରବାଟି ଷ୍ଟେଟ ମିଟ୍, ଲକ୍ଷ୍ନ ଜାତୀୟ ଆଥଲେଟିକ,ବିଜୁ ପଟ୍ଟନାୟକଙ୍କ ମାରାଥନ,ଅଶୋକ ଦାସ ଫାଉଣ୍ଡେସନ ଆଦିରୁ ବହୁ ବାର ଦ୍ରୁତ ଧାବିକା ଭାବେ ସ୍ଵର୍ଣ୍ଣ, ରୋପ୍ୟ ଓ ତାମ୍ର ପଦକ ସମେତ ଟ୍ରଫି ହାସଲ କରିଛନ୍ତି। ଆଗାମୀ ଦିନରେ ଜଣେ ଅଲମ୍ପିକ୍ କ୍ରୀଡାବିତ ଭାବେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିବା ସହ ମହିଳା କୋଚ ହେବା ପାଇଁ ମଧ୍ୟ ନିଜର ଅଭ୍ୟାସ ଜାରି ରଖିଛନ୍ତି । ଆଉ ଏଥିପାଇଁ ସେ ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

ଏଭଳି ଜଣେ ବିରଳ କ୍ରୀଡାବିତ ଙ୍କୁ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ବିଧାୟକ ଓ ମାନ୍ୟବର କ୍ରୀଡା ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ବି ଦୃଷ୍ଟି ଆର୍କଷଣ କରିବା ପାଇଁ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ବଣ ମଲ୍ଲୀ ବଣରେ ମୌଉଳିଲା ପରି ଅର୍ଚ୍ଚନାଙ୍କ ଦକ୍ଷତା ମଧ୍ୟ ମୌଉଳି ନଯାଉ। ସେଥିପାଇଁ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ମଧ୍ୟ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ଅର୍ଚ୍ଚନାଙ୍କୁ ସଂପୂର୍ଣ୍ଣ ସହଯୋଗ ମିଳେ ତେବେ ଆଉ ଜଣେ ଅଲମ୍ପିକ ଖେଳାଳୀ ବି ଓଡିଶାରୁ ସୃଷ୍ଟି ହୋଇପାରିବ।

ସତ୍ୟବ୍ରତ ପ୍ରଧାନ

Leave a Reply

Your email address will not be published. Required fields are marked *