ଏକଦା ଦାଦନ ଶ୍ରମିକ ଥିଲେ, ଆଜି ସାଜିଛନ୍ତି ନିଯୁକ୍ତ

Spread the love

ଯାଜପୁର: କୋରୋନା ବଦଳାଇ ଦେଲା ଜୀବିକାର ମାଧ୍ୟମ । ଏକଦା ଦାଦନ ଶ୍ରମିକ ହୋଇ ପେଟ ପୋଷୁଥିବା ଯୁବକ ବର୍ତ୍ତମାନ ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇପାରୁଛନ୍ତି । ଆଉ ମାସିକ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ଯାଜପୁର ବିଂଝାରପୁର ବ୍ଲକ ବାଛୋଳ ପଂଚାୟତର ପ୍ରକାଶ ସାମଲ ଏମିତି କିଛି କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

ଛେଳିମାନଙ୍କୁ ଖାଦ୍ୟ ଦେଉଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଛୋଳ ଗାଁର ପ୍ରକାଶ ସାମଲ । ଦୁଇବର୍ଷ ପୂର୍ବରୁ ପ୍ରକାଶ ଜଣେ ପ୍ରବାସୀ ଶ୍ରମିକ ଥିଲେ । ଦୀର୍ଘ ବର୍ଷ ଧରି ସେ ଦିନ ମଜୁରିଆ ଭାବେ ରାଜ୍ୟ ବାହାରେ କାମ କରୁଥିଲେ । କରୋନା ସମୟରେ ସେ ଗାଁକୁ ଫେରି ଛେଳି ଓ କୁକୁଡ଼ା ଚାଷ ଆରମ୍ଭ କରିଥିଲେ ।

ଆରମ୍ଭରୁ ମାତ୍ର ୫ଟି ଛେଳିରୁ ଚାଷ ଆରମ୍ଭ କରି ଏବେ ସେ ୧୦୦ରୁ ଉର୍ଦ୍ଧ ଛେଳି ଚାଷ କରି ସ୍ୱାବଲମ୍ବି ହୋଇପାରିଛନ୍ତି  । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

ଏବେ ମାଂସ ବଜାରରେ ଛେଳି ଓ କୁକୁଡାର ଅଧିକ ଚାହିଦା ଥିବାରୁ ବିକ୍ରିର ସମସ୍ୟା ନାହିଁ। ପ୍ରକାଶ କହିଛନ୍ତି ଦୁଇବର୍ଷ ଛେଳି ମାନଙ୍କ ଯତ୍ନ ଓ ଦାୟିତ୍ୱ ନେବା ପରେ ଏବେ ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର ହେଉଛି ।

୫ଟି ପ୍ରଜାତିର ଛେଳି ଓ କୁକୁଡ଼ାଙ୍କ ଚାଷ କାର୍ଯ୍ୟରେ ସେ ୧୦ରୁ ଉର୍ଦ୍ଧ ଲୋକଙ୍କୁ ନିଯୁକ୍ତି ଦେଇପାରିଛନ୍ତି । ଛେଳି ଓ କୁକୁଡ଼ା ପାଇଁ ତିଆରି ହୋଇଛି ପୃଥକ ପୃଥକ ଘର । ଏଥିସହିତ ଅନେକ ବେକାର ଯୁବକ ମାନଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିଛନ୍ତି । ସେଥିପାଇଁ ଚାକିରି ପଛରେ ନ ଦୌଡି ନିଜ ଆଗ୍ରହ ଓ ଭିତିଭୂମି ଅନୁଯାୟୀ କାର୍ଯ୍ୟକଲେ ସମସ୍ତେ ସ୍ୱାବଲମ୍ବି ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

ପ୍ରକାଶଙ୍କ ପରି ଅନ୍ୟ ଯୁବକ ମାନେ ଚାକିରି ପଛରେ ନ ଧାଇଁ ନିଜେ କିଛି କରିପାରିଲେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇପାରନ୍ତେ ।

Leave a Reply

Your email address will not be published. Required fields are marked *