ହାତୀ ଆକ୍ରମଣରେ ଗଲା ତିନି ଜୀବନ

Spread the love

ଝାରସୁଗୁଡା: ଦଳିଦେଲା ହାତୀ। ଝାରସୁଗୁଡ଼ାରେ ଦୁଇ ଭାଇଙ୍କୁ ଦଳିଦେଲା ତ ଅନୁଗୁଳରେ ବନ କର୍ମଚାରୀଙ୍କୁ କଚାଡ଼ି ମାରିଦେଲା। ଆଉ ହାତୀ ଆକ୍ରମଣର ଶୀକାର ହୋଇଥିବା ବନ କର୍ମଚାରୀଙ୍କ ପରିବାର ଓ ସାଥୀ କର୍ମଚାରୀ କ୍ଷତିପୂରଣ ଦାବିରେ ଡିଏଫଓ ଅଫିସ ଘେରାଓ କରିଥିଲେ। ସେପଟେ ଦୁଇ ପିଲାଙ୍କୁ ହରାଇ ବାକଶୂନ୍ୟ ହୋଇଯାଇଛନ୍ତି ବାପା ମାଆ।

ହାତୀ ଆକ୍ରମଣରେ ଚାଲିଗଲା ତିନି ଜୀବନ। ଜଣେ ବନ ବିଭାଗ କର୍ମଚାରୀ ତ ଆଉ ଦୁଇ ଜଣ ହେଲେ ନାବାଳକ ଭାଇ। ଗୋଟିଏ ଘଟଣା ତାଳଚେର ବନଖଣ୍ଡ କୁଲାଡ଼ରେ ତ ଅନ୍ୟଟି ଝାରସୁଗୁଡ଼ାର ଭଅଁରା ଗାଁର। ଅନୁଗୁଳ ଜିଲ୍ଲା କୁଲାଡ଼ରେ ହାତୀ ପଲ ଘଉଡ଼ାଇବା ବେଳେ ତାଳଚେର ବନଖଣ୍ଡର ବନବିଭାଗ କର୍ମଚାରୀ ଶରତ ଘଡ଼େଇଙ୍କୁ ହାତୀ କଚାଡ଼ି ମାରିଦେଇଛି। ଏହାକୁ ନେଇ ସାଥୀ କର୍ମଚାରୀ ଓ ମୃତକଙ୍କ ପରିବାର ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣଙ୍କୁ ସ୍ଥାୟୀ ଚାକିରୀ ଦାବିରେ ଡିଏଫଓ ଅଫିସ ଘେରାଓ କରିଥିଲେ। ସାଥୀ କର୍ମଚାରୀଙ୍କ କହିବା କଥା, ଯେଉଁ ସ୍ଥାନ ବାବଦରେ ସେମାନଙ୍କର ଧାରଣା ନାହିଁ, ସେଠାରେ ଡ୍ୟୁଟି କରିବାକୁ ବାଧ୍ୟ କରାଯାଉଛି। ୮ ଘଣ୍ଟା ବଦଳରେ ୨୪ ଘଣ୍ଟା ଖଟାଯାଉଛି। ଏ ସବୁ ବନ୍ଦ ନ ହେଲେ ଆଗକୁ  ଆନ୍ଦୋଳନ ତୀବ୍ର ହେବ ବୋଲି କୁହାଯାଉଛି।

ସେପଟେ ଝାରସୁଗୁଡାରେ ହୃଦୟ ବିଦାରକ ଘଟଣା ଘଟିଛି। ମାତ୍ର ଚାରି ଦିନ ତଳେ ଛତିଶଗଡରୁ ଇଟାଭାଟିରେ କାମ କରିବାକୁ ଆସିଥିବା ଏକ ପରିବାରକୁ ଉଜାଡ଼ି ଦେଇଛି ହାତୀ। କିରିମିରା ବ୍ଲକ୍ ଭଉଁରା ନିକଟରେ ରାତିରେ ପଲିଥିନ ତଳେ ଶୋଇଥିବା ସମୟରେ ଦୁଇ ପିଲାଙ୍କୁ ଦଳି ମାରିଦେଇଛି ହାତୀ। ଆଉ ଦୁଇ ପିଲାଙ୍କ ଜୀବନ ବଞ୍ଚାଇବାକୁ ଯାଇ ବାପା ମାଆ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମାଆ ଲେହେରବାଇ ସତନମୀଙ୍କ ହାତ ଭାଙ୍ଗିଯାଇଥିଲା ବେଳେ ବାପା ରମେଶ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ବନବିଭାଗ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ହାତୀ-ମଣିଷ ଲଢ଼େଇ ବଢ଼ୁଛି। କେଉଁଠି ଜନବସତି ମୁହାଁ ହାତୀ ମଣିଷର ଜୀବନ ନେଲାଣି ତ କେଉଁଠି ଜଙ୍ଗଲ ମୁହାଁ ମଣିଷ ହାତୀର ଆବାସ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି।

Leave a Reply

Your email address will not be published. Required fields are marked *