ମିଶନ ଶକ୍ତି ହୋଇଛି ଭୋଟ ବ୍ୟାଙ୍କ

ଭୁବନେଶ୍ବର: ମିଶନ ଶକ୍ତି ଗ୍ରୁପଙ୍କୁ ସୁଧ ରିହାତି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଫଳରେ ୧୨୫ କୋଟି ଟଙ୍କା ସିଧାସାଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରାଯାଇଛି । ଏପଟେ ଏହାକୁ ନିର୍ବାଚନୀ ସୁଆଙ୍ଗ କହିଛି ବିଜେପି । କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ କରି ରାଜ୍ୟ ସରକାର ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଛି । ଏମିତି କି ଏଠାରେ ମହିଳା ସୁରକ୍ଷିତ ନଥିବା ବେଳେ ମୁଖ୍ୟମନ୍ତ୍ରୀ ନିର୍ବାଚନକୁ ଦେଖି ଯୋଜନା କରୁଥିବା କଂଗ୍ରେସ କହିଛି । 

ମିଶନ ଶକ୍ତି ଗ୍ରୁପ ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା । ଆଗାମୀ ୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତି । ମିଶନ ଶକ୍ତି ଶାସକ ଦଳର ବଡ ଭୋଟ ବ୍ୟାଙ୍କ । ବଡ ଭୋଟ ବ୍ୟାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ଯେଉଥିରେ ୩୦ ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ମା’ ମାନେ ଆଜି ଘରର ଚାରି କାନ୍ଥରୁ ବାହାରି ସ୍ୱାବଲମ୍ୱୀ ହୋଇପାରିଛନ୍ତି ।  ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି । ଯାହାକି ପ୍ରକୃତ ରୂପାନ୍ତର ବୋଲି ନବୀନ କହିଛନ୍ତି ।

ସେପଟେ ରାଜ୍ୟବାସୀଙ୍କୁ ବିଜେଡି ସବୁବେଳେ ମିଛ କହୁଥିବା ଅଭିଯୋଗ କରିଛି ବିଜେପି । ମହିଳାଙ୍କ ପାଇଁ କେନ୍ଦ୍ର ସରାକର ଅନେକ ଯୋଜନା କରୁଛନ୍ତି। ତାକୁ ହାଇଜାକ କରି ରାଜ୍ୟର ମହିଳାମାନଙ୍କୁ ଠକୁଛି ବିଜେଡ଼ି । ମହିଳାମାନେ ଏବେ ବୁଝିଲେଣି । ଏପଟେ ରାଜ୍ୟରେ ନାରୀମାନଙ୍କ ପ୍ରତି ହିଂସା ବଢୁଥିବା ବେଳେ ନାରୀଙ୍କୁ ମୋହରା କରି ଭୋଟ ହାତେଇବାକୁ ବିଜେଡ଼ି ଚକ୍ରାନ୍ତ କରୁଥିବା କଂଗ୍ରେସ କହିଛି ।

ରାଜ୍ୟର ସବୁ ରାଜନୈତିକ ଦଳ ଏବେ ମହିଳା ଭୋଟ ହାତେଇବା ପାଇଁ ବଡ ଯୋଜନା କରୁଛନ୍ତି । ଏମିତିରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ବିଜେଡି ମହିଳା ଭୋଟ ବ୍ୟାଙ୍କକୁ  ମଜବୁତ କରିବାରେ ଲାଗିଛି, ଯାହା ପ୍ରତିପକ୍ଷଙ୍କ ପାଇଁ ବଡ ଆହ୍ୱାନ ହୋଇଛି ।

ସିମ୍ପୁଲ ନାୟକ ଓ ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *