କଂଗ୍ରେସ ନେତୃତ୍ଵକୁ ମୋକିମଙ୍କ ଚ୍ୟାଲେଞ୍ଜ

କଂଗ୍ରେସ ନେତୃତ୍ଵକୁ ମୋକିମଙ୍କ ଚ୍ୟାଲେଞ୍ଜ । ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ମହମ୍ମଦ ମୋକିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇ ମୋକିମ୍ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଆବେଗଭରା ଚିଠିରେ ମୋକିମ ଓଡ଼ିଶାରେ କଂଗ୍ରେସ ସ୍ଥିତି ଏବଂ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଲେଖିଛନ୍ତି, “ଏବେ କଂଗ୍ରେସ ଦଳ ପାଇଁ ସତର୍କର ଘଣ୍ଟା ବାଜୁଛି । ଓଡ଼ିଶାରେ ଦଳ ୬ଥର କ୍ରମାଗତ ଭାବେ ହାରିଲାଣି । ଦଳର ସ୍ଥିତି ଭୌଗଳିକ, ସାଂଗଠନିକ ଏବଂ ଭାବ ପ୍ରବଣତାରେ କମୁଛି । ଦଳରେ ଘନିଷ୍ଠ କର୍ମୀଙ୍କୁ ଅଣଦେଖା କରାଯାଉଛି ।” ବୁଥ୍‌ରୁ ନେଇ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସବୁଠୁ କଂଗ୍ରେସ କର୍ମୀଙ୍କୁ ଅଣଦେଖା କରାଯାଉଛି । ବିଶ୍ଵସ୍ତ କଂଗ୍ରେସ କର୍ମୀ ଦଣ୍ଡ ପାଉଛନ୍ତି । କ୍ରମାଗତ ଭାବେ ଭୁଲ୍ ନିଷ୍ପତ୍ତି, ଭୁଲ୍ ଲୋକ ହାତରେ ଦଳର କ୍ଷମତା ଯୋଗୁଁ ସାଂଗଠନିକ ଦୂରତା ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ନେତୃତ୍ଵ ସଂକଟ।  ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । ୨୦୨୩ରେ ୧୮ ନେତାଙ୍କୁ ଦିଲ୍ଲୀ ଡାକି ଶରତ ପଟ୍ଟନାୟକଙ୍କୁ ସଭାପତି କରାଯାଇଥିଲା । ୬ଥର ଲୋକସଭା ନିର୍ବାଚନ ହାରିଥିବା ଶରତଙ୍କୁ ଦାୟିତ୍ଵ ଦଳକୁ ଭିତରକୁ ଦୁର୍ବଳ କଲା । ତାଙ୍କ ନେତୃତ୍ଵରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ୍ ପାଇଲା । ସେ ନିଜେ ହାରିଲେ । ଭକ୍ତ ଦାସଙ୍କର ମଧ୍ୟ ଗୋହି ଖୋଳିଲେ ମୋକିମ୍।  ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ୱ ଦିଆଗଲା । ଯିଏକି ନିଜେ ୩ଟି ନିର୍ବାଚନ ହାରିଛନ୍ତି । କଂଗ୍ରେସ ବିଚାର ଧାରାଠାରୁ ଭକ୍ତଙ୍କ ବିଚାର ଧାରା ଭିନ୍ନ । ନିଜ ସଂସଦୀୟ କ୍ଷେତ୍ରରେ ନୂଆପଡ଼ା ଉପନିର୍ବାଚନରେ ଭକ୍ତଙ୍କ ନେତୃତ୍ୱରେ କଂଗ୍ରେସ ୮୩ ହଜାର ଭୋଟ୍ ବ୍ୟବଧାନରେ ହାରିଛି । ଯେଉଁଠି ଜଣେ ନେତାଙ୍କ ଉପରେ ନିଜ ଅଞ୍ଚଳବାସୀ ବିଶ୍ଵାସ କରୁନାହାନ୍ତି ସେଠି ନିହାତି ଭାବେ କର୍ମୀଙ୍କ ମନୋବଳ ଭାଙ୍ଗିବ । ଭକ୍ତଙ୍କ ପୁଅ କୋଶଳ ରାଜ୍ୟ ପାଇଁ ଦାବି କରୁଛନ୍ତି । ସେଥିରେ ଭକ୍ତ ତାଙ୍କୁ ସହଯୋଗ କରୁଛନ୍ତି । ଏବେ କଂଗ୍ରେସ କର୍ମୀ ଦିଶାହୀନ ଓ ଦ୍ଵନ୍ଦ୍ଵରେ ବୋଲି ଲେଖିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍। ପାଖାପାଖି ୩ ବର୍ଷ ହେଲା ମହମ୍ମଦ ମୋକିମ୍ ରାହୁଲ ଗାନ୍ଧୀଙ୍କୁ ଦେଖା କରିବାକୁ ଚାହୁଁଥିଲେ ବି ଭେଟି ପାରୁନାହାନ୍ତି । ଏବେ ସିଏ ସୋନିଆଙ୍କୁ ଦେଇଥିବା ଚିଠି ବ୍ୟକ୍ତିଗତ ଅଭିଯୋଗ ନୁହେଁ ବରଂ ଦଳର କର୍ମୀଙ୍କ ଭାବପ୍ରବଣ ବାର୍ତ୍ତା ବୋଲି କହିଛନ୍ତି । ମହମ୍ମଦ ମୋକିମ ଚିଠି ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ,  ଏହା ଦଳର ପ୍ରସଙ୍ଗ।  ଏହା ବିରୋଧରେ ଗଣମାଧ୍ୟମରେ କୌଣସି ଟିପଣୀ ଦେବା ଉଚିତ ନୁହେଁ। ଦଳୀୟ ଫୋରମରେ ଏହି ପ୍ରସଙ୍ଗରେ ଆଲୋଚନା ହେବ। ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି,  ମହମ୍ମଦ ମୋକିମ ଜଣେ ସକ୍ରିୟ ନେତା ସିଏ କଣ ଚିଠି ଲେଖିଛନ୍ତି ଜାଣିନି। କିନ୍ତୁ ନେତା ଠାରୁ ଆରମ୍ଭ କରି କର୍ମୀ ପର୍ଯନ୍ତ ସମସ୍ତେ ନିଜର ସମସ୍ୟା ନେଇ ହାଇ କମାଣ୍ଡ ଙ୍କୁ ଚିଠି ଲେଖିପାରିବେ।.  କଂଗ୍ରେସ ଦଳ ଠିକ ଭାବରେ ଚାଲିଛି ଆମେ ଏକାଠି ହୋଇ ଲଢେଇ କରୁଛୁ। କୌଣସି କନ୍ଦଳ ନାହିଁ। ଯଦି କେଉଁ କାରଣରୁ କାହାର ମନ ଦୁଃଖ ଥିବ, ତେବେ ତାଙ୍କୁ ଡାକିକି ଆଲୋଚନା କରିବୁ ସମାଧାନ କରିବୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *