ରଥଖଳାରେ ୩୦ରୁ ଉର୍ଦ୍ଧ୍ୱ ଚକ ପ୍ରସ୍ତୁତ

Spread the love

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗୁରୁବାର ସୁଦ୍ଧା ୩ ରଥର ୪୨ଟି ଚକ ମଧ୍ୟରୁ ୩୦ରୁ ଉର୍ଦ୍ଧ୍ୱ ଚକ ନିର୍ମାଣ ଶେଷ ହୋଇଛି । ଆସନ୍ତାକାଲି ଭଉଁରି ତିଥିରେ ପ୍ରତ୍ୟେକ ରଥର ଦୁଇଟି ଚକ ସହ ନାହାକା ଅଖ ସଂଯୋଗ କରାଯାଇ ଡ଼େରାଯିବ । ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ରଥର ଚକ ଗୁଡ଼ିକ ଡ଼େରା ଯିବ । ରଥ ଖଳାରେ ଅର ଓ ପଇ କାମ ଜୋରସୋରରେ ଚାଲିଛି । ନନ୍ଦିଘୋଷ ରଥର ୧୬ ଚକ । ତାଳଧ୍ୱଜ ରଥର ୧୪ ଚକ ଓ ଦର୍ପଦଳନ ରଥର ୧୨ଟି ଚକ କାର୍ଯ୍ୟ ସରିବା ପରେ ନାହାକା ୬ଟି ଚକକୁ ଛାଡ଼ି ଅନ୍ୟ ୩୬ ଟି ଚକକୁ ଭୋଇ ସେବାୟତମାନେ ପୂଜାର୍ଚ୍ଚନା କରି ରଥ ନିର୍ମାଣ ପରେ ଡ଼େରା କରିବେ । କରତି ସେବକଙ୍କ ଦ୍ୱାରା ଗୟଳ ଚିରଟ କାମ ଚାଲୁଅଛି । ରୂପକାର ସେବକମାନେ ଗୁଜରେ ରୂପ ଖୋଦେଇ କାମ ଜାରି ରଖିଛନ୍ତି । ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ସେବାୟତ, ବିନ୍ଧ କାରିଗର,କରତି ସେବକଙ୍କ ସହ ଅନ୍ୟ ସେବକମାନେ ଅକ୍ଷୟ ତୃତୀୟା ଠାରୁ ସଂକଳ୍ପ ଓ ହବିସ୍ୟ କରି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ଜୁନ ୨୦ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ବିଶ୍ୱରୁ ଲକ୍ଷାଧିକ ଭକ୍ତ ପୁରୀକୁ ଆଗମନ କରିବେ ।

Leave a Reply

Your email address will not be published. Required fields are marked *