କାହା ସ୍ୱାର୍ଥରେ ଅଣଓଡ଼ିଆ କମ୍ପାନୀଙ୍କ ସହ ଏମଓୟୁ?

Spread the love

() ଓଡ଼ିଆଙ୍କୁ ନିଯୁକ୍ତି ମିଳୁନି। ତା ହେଲେ କାହା ସ୍ୱାର୍ଥରେ ଅଣଓଡ଼ିଆ କମ୍ପାନୀଙ୍କ ସହ ସରକାର ଏମଓୟୁ କରୁଛନ୍ତି। ସ୍ଥାନୀୟ ଯୁବକ ଯୁବତୀ ଯଦି ନିଯୁକ୍ତି ପାଉନାହାନ୍ତି, ତା ହେଲେ ନିବେଶ ବଢ଼ିଲେ ନିଯୁକ୍ତି ବଢ଼ିବା ଆଶା କାହିଁକି ଦେଖାଉଛନ୍ତି ସରକାର। ବିଧାନସଭାରେ ଦଳମତ ନିର୍ବିଶେଷରେ ଏମିତି ଉଦବେଗ ପ୍ରକାଶ ପାଇଛି। ଆଉ ସରକାର କହିଛନ୍ତି, ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ନେଇ କିଛି ବ୍ୟତିକ୍ରମ ଥିଲେ, ତାକୁ ଦୂର କରାଯିବ।

ନିବେଶକ ଆସନ୍ତୁ। ନିବେଶ ବଢ଼ିଲେ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହେଲେ କେତେ ଜଣ ଓଡ଼ିଆ ନିଯୁକ୍ତି ପାଇଲେଣି। ଅଣଓଡ଼ିଆ କମ୍ପାନୀ ପ୍ରୀତିରେ ତ ଉବୁଟୁବୁ ସରକାର। ସେମାନେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ତ ଏମଓୟୁରେ ଚୁକ୍ତି କରୁଛନ୍ତି। କିନ୍ତୁ ନିଯୁକ୍ତି ଦେଉନାହାନ୍ତି। ଏମିତି ପ୍ରହସନ କାହିଁକି। ନିଯୁକ୍ତି ଦେବା ନାଁରେ ଜାଗା ନେଉଛନ୍ତି। କମ୍ପାନୀ ଛିଡ଼ା କରିଦେବା ପରେ ଆଉ ନିଯୁକ୍ତି କଥାକୁ ଏଡ଼ାଇ ଯାଉଛନ୍ତି। ଦକ୍ଷତା ବିକାଶ ତାଲିମ୍ ଦେଇ ସେମାନଙ୍କୁ ସ୍ୱାବଲମ୍ୱୀ କରିବାକୁ ପ୍ରୟାସ ହେଉଥିବା କଥା କହୁଛନ୍ତି ସରକାର। ହେଲେ ଶିଳ୍ପାନୁଷ୍ଠାନ ସହ ଏମଓୟୁ ବେଳେ ଓଡ଼ିଆଙ୍କ ନିଯୁକ୍ତିକୁ ବି ବାଧ୍ୟତାମୂଳକ ହେଉ। କାରଣ ଅନେକ କମ୍ପାନୀ ବାହାରୁ ଲୋକ ଆଣୁଛନ୍ତି କାମ କରିବାକୁ। କିନ୍ତୁ ଓଡ଼ିଆଙ୍କୁ ସୁଯୋଗ ମିଳୁନି। ପ୍ରତି ବ୍ଲକରେ ଆଇପିଓ ଅଛନ୍ତି କି ନାହିଁ, ସନ୍ଦେହ। ଦଳମତ ନିର୍ବିଶେଷରେ ଆଜି ବିଧାନସଭାରେ ସ୍ଥାନୀୟ ଓଡ଼ିଆଙ୍କୁ ନିଯୁକ୍ତି ମିଳୁନଥିବା ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି।

କେବଳ ଏତିକି ନୁହେଁ। ଅଣକୁଶଳୀ, ଅର୍ଦ୍ଧକୁଶଳୀ ଓ କୁଶଳୀଙ୍କୁ ବି ନିଯୁକ୍ତି ଦେବାରେ ପାତରଅନ୍ତର ହେଉଥିବା ଅନେକ ସଭ୍ୟ ଅଭିଯୋଗ ବାଢ଼ିଛନ୍ତି। ଏପରିକି ସ୍ଥାନୀୟ ଭିତ୍ତିରେ ନିଯୁକ୍ତି ଦାବିରେ ଅନେକ କମ୍ପାନୀ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଉ ମନ୍ତ୍ରୀ କହିଛନ୍ତି, ଦକ୍ଷତା ବିକାଶ ତାଲିମ, ନିଯୁକ୍ତି ମେଳା ଜରିଆରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ବ୍ୟବସ୍ଥା ହୋଇଛି। କୌଣସି କମ୍ପାନୀ ନିଯୁକ୍ତି ଦେବାରେ ବ୍ୟତିକ୍ରମ କରୁଥିଲେ, ବିଭାଗ ଅନୁଧ୍ୟାନ କରିବ। ସ୍ଥାନୀୟ ଭିତ୍ତିରେ ନିଯୁକ୍ତିକୁ ନେଇ କୌଣସି ଅସଙ୍ଗତି କି ସମନ୍ୱୟର ଅଭାବ ଥିଲେ ଦୂର କରାଯିବ।

ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଓଡ଼ିଆ ଯୁବକଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳୁ। ଏଥିରେ ବ୍ୟତିକ୍ରମ କରୁଥିବା କମ୍ପାନୀ ଉପରେ ଆକ୍ସନ ହେଉ ବୋଲି ଦଳମତ ନିର୍ବିଶେଷରେ ଗୃହରେ ଉଦବେଗକୁ ଦେଖି ଏହି ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରାଯିବ ବୋଲି କଥା ଦେଇଛନ୍ତି ମନ୍ତ୍ରୀ।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *