ତାଳତେଲ ବିକାଶ କାର୍ଯ୍ୟକ୍ରମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ, ରାଜ୍ୟରେ ତାଳତେଲ ଚାଷ ନିମନ୍ତେ ଥିବା ସୁଯୋଗକୁ ପୂର୍ଣ୍ଣ ବିନିଯୋଗ କରାଯିବ -କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ

Spread the love

ଭୁବନେଶ୍ୱର : ଓଡ଼ିଶାରେ ତାଳତେଲ ଚାଷକୁ ସଂପ୍ରସାରିତ କରି ଖାଇବା ତେଲ ଆମଦାନୀ ହ୍ରାସ କରିବା ଲକ୍ଷ୍ୟରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନା ନ୍ୟାସନାଲ ମିଶନ ଅନ୍ ଏଡିବୁଲ୍ ଅଏଲ୍ ପାମ୍ ଯୋଜନାକୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ୧୦ଟି କମ୍ପାନୀଙ୍କ ସହ ୨୦ଟି ଜିଲ୍ଲାରେ ତାଳତେଲ ଚାଷ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଯୋଜନାରେ କ୍ଷେତ୍ର ସଂପ୍ରସାରଣ ଏବଂ ଅଶୋଧିତ ତାଳତେଲ ଉତ୍ପାଦନ ବୃଦ୍ଧି ମାଧ୍ୟମରେ ଦେଶ ଆମଦାନୀ କରୁଥିବା ଖାଇବା ତେଲକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଆଜି କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ପାମ ଅଏଲ୍ କମ୍ପାନୀମାନଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ୨୦୨୧-୨୨ ମସିହାରୁ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦ ହଜାର ୫୦୦ ହେକ୍ଟରର ଜମିରେ ତାଳତେଲ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୯୫୦ ହେକଫର ଜମିରେ ତାଳତେଲ ଚାଷ କରାଯାଇଛି । ଚଳିତ ବର୍ଷ ରାଜ୍ୟରେ ୧୧୦୦ ହେକ୍ଟର ଏବଂ ଆଗାମୀ ଦୁଇ ବର୍ଷରେ ୫ ହଜାର ହେକ୍ଟର ଜମିରେ କ୍ଲଷ୍ଟର ଭିତ୍ତିରେ ତାଳତେଲ ଚାଷ କରିବା ପାଇଁ ଯୋଜନା ରହିଛି ।

ବୁଝାମଣାପତ୍ର ଅନୁଯାୟୀ ଆବଂଟିତ କରାଯାଇଥିବା ଜିଲ୍ଲାରେ ଉକ୍ତ କମ୍ପାନୀଗୁଡ଼ିକ ବିହନ ବଗିଚା ପ୍ରତିଷ୍ଠା, ନର୍ସରୀ ସ୍ଥାପନ ମାଧ୍ୟମରେ ତାଳତେଲ ଚାରାର ଉତ୍ପାଦନ, କ୍ଷେତ୍ର ସଂପ୍ରସାରଣ କରିବା ସହିତ ଅତି କମ୍ ରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ତାଳତେଲ ଉତ୍ପାଦନ କାରଖାନା ସ୍ଥାପନ କରିବେ । ଏତଦ୍ ବ୍ୟତୀତ, ରାଜ୍ୟ ସରକାର ତାଳତେଲ କମ୍ପାନୀମାନଙ୍କ ସହଯୋଗରେ ତାଳତେଲ ବଗିଚାକୁ ସୁରକ୍ଷିତ ରଖିବା ପାଇଁ ବାଡ ବ୍ୟବସ୍ଥା, ମକା, ମିଲେଟ୍‌, ପନିପରିବା, ବନ୍ଧାକୋବି ଏବଂ କପା ଇତ୍ୟାଦି ଅନ୍ତଃଫସଲ ଚାଷ ଏବଂ ଅଣୁ ଜଳସେଚନ ବ୍ୟବସ୍ଥା କରିବେ ।

ରାଜ୍ୟର କୃଷକ ହିତାଧିକାରୀଙ୍କୁ ବୃକ୍ଷରୋପଣ ସମୟରେ ହେକଫର ପିଛା ୨୯ ହଜାର ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ଯୋଜନା ଅଧିନରେ ସହାୟତା ଯୋଗାଇ ଦିଆଯିବ । ଅମଳ ହୋଇଥିବା ସତେଜ ଫଳ କାନ୍ଧିଗୁଡ଼ିକୁ ତାଳତେଲ କମ୍ପାନୀଗୁଡ଼ିକ ସରକାରୀ ଘୋଷିତ ମୂଲ୍ୟରେ ଡିବିଟି ମାଧ୍ୟମରେ କ୍ରୟ କରିବେ ଏବଂ ସୂତ୍ର ମୂଲ୍ୟ, ଘୋଷିତ ମୂଲ୍ୟଠାରୁ କମ୍ ହେଲେ ଭାଏବୁଲ୍ ଗ୍ୟାପ୍ ପ୍ରାଇସ୍ ମାଧ୍ୟମରେ ଅଧିକ ସହାୟତା କରାଯିବ ।

ସୂଚନାଯୋଗ୍ୟ ଯେ ଭାରତ ବିଶ୍ୱ ବଜାରରେ ଖାଇବା ତେଲର ବୃହ ମ ଆମଦାନୀକାରୀ ରାଷ୍ଟ୍ର । ୨୦୨୦-୨୧ ମସିହାରେ ଭାରତ ପ୍ରାୟ ୧୩୩.୫୦ ଲକ୍ଷ ଟନ୍  ଖାଇବା ତେଲ ଆମଦାନୀ କରିଥିଲା । ସେଥି ମଧ୍ୟରୁ ତାଳତେଲର ଅଂଶ ପ୍ରାୟ ୫୬ ପ୍ରତିଶତ ଅଟେ ।

Leave a Reply

Your email address will not be published. Required fields are marked *