ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ ସରକାର ହିଁ ସାମିଲ

Spread the love

() ନବ ଦାସ ହତ୍ୟା ମାମଲାରେ ଆଜି ବି ଗୃହ ହୁଲସ୍ତୁଲ। ସିବିଆଇ ତଦନ୍ତ ଦାବିରେ ବିରୋଧୀ ଅଡ଼ି ବସିଛନ୍ତି। ଆଉ ଶାସକ ଦଳ କାଉଣ୍ଟରରେ ଆଜି କେନ୍ଦ୍ରୀୟ ଅବହେଳାର ନାରା ଦେଇଥିଲା ଗୃହରେ। ବିରୋଧୀ ଦଳ ନେତାଙ୍କୁ ପଦଚ୍ୟୁତ ଲାଗି ବାଚସ୍ପତିଙ୍କ ପାଖରେ ଫେରାଦ୍ ହୋଇଥିଲା ଶାସକ ଦଳ। ଫଳରେ ପ୍ରଶ୍ନକାଳ, ଶୂନ୍ୟକାଳ ସବୁ ବାଏଁ ବାଏଁ ଉଡ଼ିଯାଇଥିଲା। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିବା ସତ୍ତ୍ୱେ ବିରୋଧୀ ନିଜ ଜିଦରୁ ଓହରିନାହାନ୍ତି। ବାଚସ୍ପତି ବି ସର୍ବଦଳୀୟ ବୈଠକ ଡାକିଥିଲେ। ତାହା ବି ଫେଲ୍ ମାରିଲା।

ଗୃହ ଆରମ୍ଭରୁ ଅଚଳାବସ୍ଥା। ବିରୋଧୀ ନବଦାସ ହତ୍ୟାକାଣ୍ଡ ଗୁମର ଖୋଲୁ ଦାବିରେ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ଓହ୍ଲାଇଥିଲେ। କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ। ସିବିଆଇ ତଦନ୍ତ ହେଉ। ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ ସରକାର ହିଁ ସାମିଲ ବୋଲି ସଙ୍ଗୀନ ଅଭିଯୋଗ ଆଣି ହଟ୍ଟଗୋଳ କରିଥିଲା ବିଜେପି। ଆଉ ନବ ଦାସ ହତ୍ୟାକାଣ୍ଡ ମାମଲାରେ ବିରୋଧୀ ଦେଇଥିବା ଆଲୋଚନା ନୋଟିସକୁ ବାଚସ୍ପତି ଅଗ୍ରାହ୍ୟ କରିଦେବା ପରେ କଂଗ୍ରେସ ତାତିଥିଲା। କଂଗ୍ରେସ ପୁରା ପ୍ରକରଣର ଏସଆଇଟି ତଦନ୍ତ ଦାବି କରିଛି। ଆଉ ଶାସକ ଦଳ ବି କେନ୍ଦ୍ରୀୟ ଅବହେଳାର ବ୍ୟାନର ଧରି ନାରାବାଜି କରିବାରୁ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି। ବିଜେଡିର ମହିଳା ବିଧାୟିକାମାନେ ବାଚସ୍ପତିଙ୍କୁ ଭେଟି ଜୟନାରାୟଣଙ୍କଠୁ ସେମାନେ ଅସୁରକ୍ଷିତ ମଣୁଛନ୍ତି କହି ଫେରାଦ୍ ହୋଇଛନ୍ତି। ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ପଦଚ୍ୟୁତ କରାଯାଉ ଦାବି କରିଥିଲେ।

ଏଭଳି ସ୍ଥିତିରେ ସାଢେ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ସମାନ ଦାବିରେ ବିରୋଧୀଙ୍କ ହଟ୍ଟଗାଳ ଭିତରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ। ନବ ଦାସ ହତ୍ୟାକାଣ୍ଡ ଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସରକାରଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ଜଷ୍ଟିସ ଜେପି ଦାସଙ୍କୁ ଏହାର ତତ୍ତ୍ୱାବଧାନ ଦାୟିତ୍ୱ ଦେଇଛନ୍ତି। ଅଭିଯୁକ୍ତ ଗୋପାଳ ସତ କହୁଛି କି ନାହଁ, ସେ କଥା ଓଗାଳିବାକୁ ଫରେନସିକ ମନୋବିଜ୍ଞାନୀଙ୍କ ସହାୟତା ନିଆଯାଇଛି। ନାର୍କୋ ଆନାଲିସିସ୍ ଟେଷ୍ଟ ହୋଇଛି। ଆମେରିକାର ଏଫବିଆଇର ସାହାଯ୍ୟ ବି ନେବ କ୍ରାଇମବ୍ରାଞ୍ଚ୍। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସହଯୋଗ ବି ମାଗିଛନ୍ତି ସରକାର। ସମ୍ପୂର୍ଣ୍ଣ ସ୍ୱଛ ଓ ମୁକ୍ତ ତଦନ୍ତ ଲାଗି ତଦନ୍ତର କୌଣସି ଦିଗକୁ ଛଡ଼ାଯାଉନି କହି ଗୃହକୁ ଆଶ୍ୱସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏଭଳି ସମ୍ୱେଦନଶୀଳ ମାମଲାରେ ଯେଭଳି ରାଜନୀତିକରଣ ହେଉଛି, ତାହା ସମସ୍ତଙ୍କୁ ତାଜୁବ୍ କରିଛି। ନିରପେକ୍ଷ ବିଚାରବିଭାଗୀୟ ତଦନ୍ତ ଗଣତନ୍ତ୍ରର ସବୁଠୁ ମଝଭୁତ୍ ସ୍ତମ୍ଭ। ତା ହେଲେ ଭିତ୍ତିହୀନ ଓ ମନ୍ଦ ଉଦ୍ଦେଶ୍ୟ ରଖି ଏଠି ରାଜନୀତି କାହିଁକି ବୋଲି ପଚାରିଛନ୍ତି ମୁଖ୍ୟମନ୍ତ୍ରୀ।

ଅପରାଧୀଙ୍କୁ ଆଇନର କାଠଗଡ଼ାକୁ ଆଣିବା ଓ କଠୋର ଦଣ୍ଡ ଦେବା ସରକାରଙ୍କର ଏକମାତ୍ର ଲକ୍ଷ୍ୟ। କେବଳ ଏତିକିରେ ନିଜ ବିବୃତ୍ତିକୁ ସୀମିତ ରଖିନାହାନ୍ତି ମୁଖ୍ୟମନ୍ତ୍ରୀ।  ଓଡ଼ିଶା ପୁଲିସକୁ ନିନ୍ଦିତ ସହ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ନାଁ ନ ନେଇ ଓଡ଼ିଶା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବିରୋଧୀଙ୍କୁ ଅଧିକ ତେଜିଦେଇଛି। ବହୁ ବିଳମ୍ୱରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଥିଲେ ବି ସରକାର ଷଡ଼ଯନ୍ତ୍ର ପାର୍ଟକୁ ଛୁଇଁବାକୁ ଚାହୁଁନାହାନ୍ତି। ଏସଆଇଟି ଗଠନ ଲାଗି ହାଇକୋର୍ଟକୁ ଲେଖନ୍ତୁ ବୋଲି କହିଛି କଂଗ୍ରେସ। ଏଭଳି ଜଣେ ବିଚାରପତିଙ୍କୁ ପ୍ରଶାସନିକ ନିଯୁକ୍ତି ନ ଦେଇ ଜଣେ ବିଚାରପତିଙ୍କୁ ନ୍ୟାୟିକ ନିଯୁକ୍ତି ଲାଗି ହାଇକୋର୍ଟକୁ ଲେଖନ୍ତୁ। ବିଜେପି କହିଛି, ମୁଖ୍ୟମନ୍ତ୍ରୀ ଭୂଆଁ ବୁଲାଉଛନ୍ତି। ହାଇକୋର୍ଟରୁ ବିଚାରପତି ନିଯୁକ୍ତି ନେଇ ସେମିତି ବିଜ୍ଞପ୍ତି ବାହାରିନି। ବିଜେଡି ନେତାଙ୍କ ଅପରାଧିକ ଇତିହାସ ଖୋଲିଛନ୍ତି ଜୟନାରାୟଣ। ସଂସଦରେ ଆଗରୁ ନବ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିସାରିଥିବା ସୁରେଶ ପୂଜାରୀ ବି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ସିବିଆଇ ଉପରେ ଭରସା ନଥିବା ମୁଖ୍ୟମନ୍ତ୍ରୀ ବିଦେଶୀ ତଦନ୍ତକାରୀ ସଂସ୍ଥାର ସହଯୋଗ ନେବା କଥା କହିବା ଆଶ୍ଚର୍ଯ୍ୟଜନକ।

ନବ ଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ କେଉଁ ଯାଏ ଗଲା ଓ ଦୋଷୀକୁ ସଜା ଦେବାକୁ ସବୁ ଦିଗକୁ କେମିତି ଧ୍ୟାନ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଲେ। ହେଲେ ବିରୋଧୀ ଏଥିରେ ଅମଙ୍ଗ। ଯାହାକୁ ନେଇ ଗୃହ ସୁରୁଖୁରୁରେ ଚାଲିବା ସମ୍ଭବପର ହେଉନି।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *