୨୭ରୁ ନଡ୍ଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତ

Spread the love

ଭୁବନେଶ୍ବର: ଉଷ୍ଣ ହେଲାଣି ରାଜ୍ୟ ରାଜନୀତି । ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇ ସାରିଛି କାଉଣ୍ଟ ଡାଉନ। ଗତ ୧୭ ତାରିଖ ବିଜେପି ପଦାଧିକାରୀ ବୈଠକ ପରେ ସଂଗଠନକୁ ମଜଭୁତ କରିବାକୁ ଲାଗି ପଡ଼ିଛି ବିଜେପି । ଆସନ୍ତା ୨୭ ଓ ୨୮ ତାରିଖରେ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସି ସାଧାରଣ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଅନ୍ୟପଟେ ନଡ୍ଡାଙ୍କ ଗସ୍ତର କୈଣସି ପ୍ରଭାବ ପଡିବନାହିଁ ବୋଲି ଉଭୟ ବିଜେଡ଼ି ଓ କଂଗ୍ରେସ କହିଛନ୍ତି ।

ଓଡ଼ିଶା ଦଖଲ ପାଇଁ ବିଜେପିର ସମର ସଜ୍ଜା । ବର୍ଷ ଶେଷରୁ ନୂଆ ଆରମ୍ଭ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ସ୍ଥିତି ସଜାଡିବାକୁ ଦେବେ ମହାମନ୍ତ୍ର । ଗତ ୧୭ ତାରିଖରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେପିର ପଦାଧିକାରୀ ବୈଠକ । ନିଷ୍ପତି ଅନୁସାରେ ଅମିତ ଶାହା ଓ ଜେପି ନଡ୍ଡା ରାଜ୍ୟର ବିଭିନ୍ନ ସଂସଦୀୟ କ୍ଷେତ୍ରରେ ସାଧାରଣ ସଭା କରି ଦଳୀୟ କର୍ମୀଙ୍କ ମନବଳ ବଢାଇବେ। ଏହି କ୍ରମରେ ଆସନ୍ତା ୨୭ ଓ ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।  ପୁରୀ ଓ କନ୍ଧମାଳରେ ସାଧାରଣ ସଭା କରିବା ସହ ପୁରୁଣା ଟାସ୍କର ହିସାବ ନେବେ । ସବୁଠାରୁ ବଡ଼ କଥା ହେଲା ମୋ ବୁଥ ସବୁଠାରୁ ମଜଭୁତ କାର୍ଯ୍ୟକ୍ରମର ସମିକ୍ଷା କରିବେ ବୋଲି ଦଳ ତରଫରୁ କୁହାଯାଇଛି ।

ସେପଟେ ନଡ୍ଡାଙ୍କ ଗସ୍ତ ରାଜ୍ୟ ରାଜନୀତିରେ କୈଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେଡି । ନଡ୍ଡା ନିଜ ରାଜ୍ୟ ହିମାଚଳ ପ୍ରଦେଶରେ ଦଳକୁ ଜିତାଇ ପାରିଲେ ନାହିଁ ଓଡ଼ିଶାରେ କଣ କରିବେ ବୋଲି କଟାକ୍ଷ କରିଛି ଦଳ। ଏହାସହ ରାଜ୍ୟବାସୀ ନବୀନଙ୍କ ଛଡ଼ା କାହାରିକୁ ଭରଷା କରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡ଼ି । କଂଗ୍ରେସ ମଧ୍ୟ ନଡ୍ଡାଙ୍କ ଗସ୍ତ ପ୍ରଭାବ ଶୂନ୍ୟ ରହିବ ବୋଲି କହିବା ସହ ସାଧାରଣ ନିର୍ବାଚନରେ ଦଳ ଦ୍ୱିତୀୟ ସ୍ଥାନକୁ ଆସିବ ବୋଲି ଦମ୍ଭ ଦେଖାଇଛି ।

ଆସନ୍ତା ୨୬ ତାରିଖରେ ପୁରୀଠାରେ ବିଜେଡ଼ି ପ୍ରତିଷ୍ଠା ଦିବସ କରି ଶକ୍ତି ପ୍ରଦର୍ଶନ କରୁଛି । ଠିକ୍ ଏହାରି ପରେ ପରେ ବିଜେପି ମଧ୍ୟ ଜେପି ନଡ୍ଡାଙ୍କୁ ପୁରୀ ନେଇ କଡ଼ା ଟକ୍କର ଦେବା ପାଇଁ ସଜବାଜ ଆରମ୍ଭ କରିଛି ।

ନବ କିଶୋର ସାହୁ

Leave a Reply

Your email address will not be published. Required fields are marked *