ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ  ଓଡିଶାକୁ ଜାତୀୟ ଜଳ ପୁରସ୍କାର, ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା

Spread the love

ଭୁବନେଶ୍ୱର : ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା,୨୦୨୦-୨୦୨୧ ଏବଂ ୨୦୨୧-୨୦୨୨ ବର୍ଷରେ ଜଳସମ୍ପଦ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଜାତୀୟ ଜଳ ପୁରସ୍କାର- ୨୦୨୨ ପାଇଁ ଓଡ଼ିଶା ବିବେଚିତ ହେବା ସହ ଏ କ୍ଷେତ୍ରରେ ଓଡିଶାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇଛି ।

ଓଡିଶାରେ ୩.୨ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ପ୍ରାୟ ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଜଳ ସୁରକ୍ଷା ଯୋଗାଇ ଦିଆଯାଇଛି । ଜଳ ସମ୍ପଦ ବିଭାଗ ଦ୍ୱାରା ଦୁଇଟି ବୃହତଜଳ ସେଚନ ପ୍ରକଳ୍ପ ଯଥା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ନୁଆପଡା ଏବଂ ବଲାଙ୍ଗିର ଜିଲ୍ଲା) ଏବଂ ଉପର ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ, (କଳାହାଣ୍ଡି ଜିଲ୍ଲା), ଉଚ୍ଚ ଅଂଚଳକୁ ଜଳ ଯୋଗାଣ ନିମନ୍ତେ ୬୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ,୨୮୩୩ ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଲ୍ପ ଓ ୨୨,୫୦୦ ଟି ଗଭୀର ନଳକୂପ(ଡିପ୍ ବୋର ୱେଲ) ନିର୍ମାଣ କରାଯାଇ ଭୌଗୋଳିକ ତଥା ସାମାଜିକ ସମାନତାକୁ ସୁନିଶ୍ଚିତ କରାଯାଇପାରିଛି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦୀର୍ଘଦିନର ସମସ୍ୟାର ସମାଧାନ କରାଯାଇ ପ୍ରାୟ ୩୨,୦୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ଅଧିକନ୍ତୁ, ସମସ୍ତ ବର୍ଗର ଜଳସେଚନ ପ୍ରକଳ୍ପର ବଂଟନ ପ୍ରଣାଳୀରେ ଭୂତଳ ପାଇପ ଲାଇନ ବ୍ୟବହାର କରାଯିବା ଦ୍ୱାରା ପ୍ରକଳ୍ପଗୁଡିକର ଜଳସେଚନ ଦକ୍ଷତା ୨୦% ରୁ ଅଧିକ ବୃଦ୍ଧି ପାଇଛି ।

 ଜଳସମ୍ପଦର ସଂରକ୍ଷଣ ପାଇଁ ରାଜ୍ୟ ସରକାର ପାଂଚ ବର୍ଷ ମଧ୍ୟରେ ୧୧,୭୦୦ କୋଟି ଟଙ୍କା ବିନିଯୋଗ କରି, ୪୬ଟି ଅନ୍ତଃନଦୀ ଜଳାଶୟ ନିର୍ମାଣ ଦ୍ୱାରା ପ୍ରାୟ ୫୦ ହଜାର ହେକ୍ଟର ମିଟର ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରଯାଇଅଛି । ଏହା ବ୍ୟତୀତ ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ଜଳ ସଂରକ୍ଷଣ ପଦକ୍ଷେପ ଯୋଗୁଁ ରାଜ୍ୟର ଭୂତଳ ଜଳ ସମ୍ପଦ ପ୍ରାୟ ୧୭.୨୬ ବିଲିୟନ ଘନ ମିଟରକୁ ବୃଦ୍ଧି ପାଇଛି । ଆହୁରି ମଧ୍ୟ, ଜଳ ଶକ୍ତି ଅଭିଯାନ ମାଧ୍ୟମରେ ଛୋଟ ଛୋଟ ଜଳ ସଂରକ୍ଷଣ କାର୍ଯ୍ୟ ସାରା ରାଜ୍ୟରେ ଆରମ୍ଭ ହୋଇଛି । ଜଳ ସମ୍ପଦ ବିଭାଗ, ପ୍ରଭାବୀ ଜଳ ପରିଚାଳନା ନିମନ୍ତେ ତଥା ଓଡିଶା ସରକାରଙ୍କ ‘୫-ଟି’ ଉପକ୍ରମ ଆଧାରରେ ଲକ୍ଷ୍ୟ ପୂରଣ ଦିଗରେ ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଜାରି ରଖିଛି ।

ଜଳଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଖୁବ ଶୀଘ୍ର ଆୟୋଜିତ ହେବାକୁ ଥିବା ଏକ ପୁରସ୍କାର ବିତରଣ ଉତ୍ସବରେ ଓଡିଶାକୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *