ନବୀନଙ୍କ ଅସୁସ୍ଥତାକୁ ନେଇ ଯେତିକି ଚର୍ଚ୍ଚା। ତାଠୁ ବଳିଗଲାଣି ନବୀନଙ୍କୁ ହସ୍ପିଟାଲରେ ଭେଟିବାକୁ ଯାଇଥିବା ନେତାଙ୍କୁ ପାଣ୍ଡିଆନଙ୍କ ବାରଣ ଚର୍ଚ୍ଚା। ରବିବାର ସଂଧ୍ୟାରୁ ଘରୋଇ ହସ୍ପିଟାଲରେ ଆଡମିଟ୍ ହେବା ପରେ ସୁଅ ଛୁଟିଥିଲା ନେତାଙ୍କର। ତେବେ ତୃତୀୟ ମହଲାରେ ଚିକିତ୍ସିତ ହେଉଥିବା ନବୀନଙ୍କୁ ଭେଟିବାକୁ ପାଣ୍ଡିଆନ ଦମ୍ପତ୍ତିଙ୍କୁ କୌଣସି ପ୍ରତିବନ୍ଧକ ନଥିଲା ବେଳେ ଦ୍ୱିତୀୟ ମହଲାରେ ଅପେକ୍ଷାରତ ନେତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୁଜାତାଙ୍କୁ କୁଆଡ଼େ ପ୍ରଶ୍ନ କରିଥିଲେ, ନବୀନଙ୍କ ଦେହ ଦୁଇ ଦିନ ହେଲା ଅସୁସ୍ଥ ସତ୍ତ୍ୱେ କାହିଁକି ହସ୍ପିଟାଲକୁ ବିଳମ୍ୱରେ ଅଣାଗଲା। ଦଳର ଅନ୍ୟ ନେତାଙ୍କୁ କାହିଁକି ଖବର ଦିଆଗଲାନି। ସୁଜାତା ସିନା କୌଣସି ଉତ୍ତର ନ ଦେଇ ଚାଲିଗଲେ। କିନ୍ତୁ ଭିକେ ପାଣ୍ଡିଆନ୍ କିଛି ସମୟ ପରେ ପହଞ୍ଚି କହିଥିଲେ, ସାକ୍ଷାତ ହୋଇପାରିବନି। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଆଗ ତର୍କ ପିସିସି ସଭାପତି ଭକ୍ତ ଦାସଙ୍କ ସହ ହୋଇଥିଲା। ଏହା ପରେ ରାଜାଙ୍କୁ ନାଲିଆଖି ଦେଖାଇଥିଲେ କୁଆଡ଼େ ପାଣ୍ଡିଆନ୍। ଆଇ ଆମ୍ ଡାଉନ୍, ନଟ୍ ଆଉଟ୍ କହିବା ସହ ଗୋଟିଏ ମିନିଟରେ ସସପେଣ୍ଡ କରିଦେବି ବୋଲି ରାଜାଙ୍କୁ ଇଙ୍ଗିତ କରି ପାଣ୍ଡିଆନ୍ କହିଥିବା ଚର୍ଚ୍ଚା ହେଉଛି। ରାଜା ଏ ବାବଦରେ ମୁହଁ ଖୋଲୁନଥିଲା ବେଳେ ଭକ୍ତ କିନ୍ତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପରୋକ୍ଷରେ ମାନିଛନ୍ତି। କିନ୍ତୁ ନବୀନଙ୍କୁ ଭେଟିବାକୁ ପାଣ୍ଡିଆନ୍ ତାଙ୍କୁ ବାରଣ କରିନାହାନ୍ତି ବୋଲି କହିଛନ୍ତି ଭକ୍ତ। ଗଣମାଧ୍ୟମରେ ଅଯଥା ନକରାତ୍ମକ ଚର୍ଚ୍ଚା। ରାଜା ସେପଟେ ନବୀନଙ୍କ ଆଶୁଆରୋଗ୍ୟ କାମନା ସହ ରାତି ଯାକ ହସ୍ପିଟାଲରେ ରହିବୁ ବୋଲି କହିଥିଲେ। ଆଉ ଏ କଥାକୁ ଏଡ଼ାଇ ଯାଇଥିଲେ। ପାଣ୍ଡିଆନ୍ କେବଳ ନବୀନଙ୍କ ରେକର୍ଡିଂ ଭିଡ଼ିଓ ଦେଖାଇଥିଲେ ମୋବାଇଲରେ। କିନ୍ତୁ କାହାକୁ ଭେଟିବାକୁ ଦେଇନଥିଲେ। ଆଉ କିଛି ନେତା ପାଣ୍ଡିଆନ- ରାଜାଙ୍କ ଝଗଡ଼ା ବାବଦରେ ମୁହଁ ଖୋଲିବାକୁ ସଙ୍କୋଚ କରୁଛନ୍ତି। ଯେହେତୁ ଆଇସିୟୁରେ ଅଛନ୍ତି, ସେଥିଲାଗି ଅଯଥା ଭିଡ଼ କରିବା ବି ଉଚିତ୍ ନୁହେଁ। ଏହା ସହ ଇନଫେକ୍ସନ ହେବାର ଆଳ ନେଇ ଏ ବିବାଦୀୟ ପ୍ରସଙ୍ଗରୁ ଦୂରେଇ ରହିବାକୁ ଶ୍ରେୟ ମଣିଥିଲେ। ଅବର୍ଜେଭସନରେ ରହିବେ ନବୀନ। ଏହା ପରେ ଡିସଚାର୍ଜ ହେବେ। କିନ୍ତୁ ନବୀନଙ୍କ ଅସୁସ୍ଥତା ଖବର ଦଳୀୟ ନେତା ବିଳମ୍ୱରେ ଜାଣିବା, ପାଣ୍ଡିଆନ- ରାଜା ଝଗଡ଼ାକୁ କେନ୍ଦ୍ର କରି ତାଳିପକା ନ୍ୟାୟରେ ନେତା ଏହା କେବଳ ଗଣମାଧ୍ୟମର ଚର୍ଚ୍ଚା ବୋଲି କହୁଛନ୍ତି। ବିଜେଡି ନେତା କ୍ୟାପଟେନ୍ ମନ୍ମଥ ରାଉତରାୟ କହିଛନ୍ତି, ପାଣ୍ଡିଆନ୍ ସବୁବେଳେ ଫର୍ମରେ ଅଛନ୍ତି। ପାଣ୍ଡିଆନଙ୍କ ଷ୍ଟ୍ରଙ୍ଗ ମେସେଜ୍। ଜଣେ ଲଢ଼ୁଆ ସୈନିକର ଡାଇଲଗ। ଦୂରଦୃଷ୍ଟି ରଖି ଏଭଳି କହିଛନ୍ତି ପାଣ୍ଡିଆନ୍। ୨୪ ନିର୍ବାଚନ ହାରିବା ପରେ ବିଜେଡି ଟିକେ ଡାଉନ ହୋଇଛି, କିନ୍ତୁ ଆଉଟ୍ ହୋଇନି। ରୋଗୀ ଆଡମିଟ୍ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭିଡ଼ କରିବା କଥା ନୁହେଁ। ବିଜେଡି ଦଳରେ ସବୁ ଶୃଙ୍ଖଳିତ। ପାଣ୍ଡିଆନ- ରାଜାଙ୍କ ଭିତରେ ଭୁଲ୍ ବୁଝାମଣା ହୋଇଛି। ଦୁଇ ନେତା ରବିବାର ରାତି ଯାକ କ୍ରାଉଡ୍ ମ୍ୟାନେଜମେଣ୍ଟ କରିଥିଲେ। କୌଣସି ଝଗଡ଼ା ହୋଇନି। ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ନବୀନ ବାବୁଙ୍କୁ ସମସ୍ତେ ଭଲ ପାଆନ୍ତି। ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ସ୍ୱାସ୍ଥ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ପ୍ରମୁଖ ହସ୍ପିଟାଲ ଯାଇଥିଲେ। ମନ୍ତ୍ରୀଙ୍କୁ ଭେଟିବାକୁ ଛାଡ଼ିବା କଥା। କିଏ କାହିଁକି ଅଟକାଇଲା ଓ କେଉଁ ଉଦେଶ୍ୟରେ ଅଟକାଇଲା ସମୟ କହିବ। ଯଦି ଦୁଇ ଦିନ ହେଲା ଅସୁସ୍ଥ ଥିଲେ, ତାହେଲେ କାହିଁକି ହସ୍ପିଟାଲରେ ଭର୍ତ୍ତି କରାଯାଇନଥିଲା ତାହା ବି ବଡ଼ ପ୍ରଶ୍ନବାଚୀ। ନବୀନ ସୁସ୍ଥ ହେଉଛନ୍ତି। କିନ୍ତୁ ଏହି ଭଲ ବାର୍ତ୍ତା ଭିତରେ ପାଣ୍ଡିଆନ-ରାଜାଙ୍କ ଝଗଡ଼ା ବିଜେଡି ଭିତରେ କେବଳ ନୁହେଁ। ବାହାରେ ବି ଆଲୋଚନାର ଶୀର୍ଷରେ ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now