ଜୟନାରାୟଣ-ଆଇଆଇସି ବିବାଦରେ ନୂଆ ମୋଡ଼

Spread the love

() ଥମୁନି ଜୟନାରାୟଣ-ଆଇଆଇସି ବିବାଦ। ଏ ବିବାଦ ନିଇତି ନୂଆ ମୋଡ଼ ନେବାରେ ଲାଗିଛି। କେତେବେଳେ ମହିଳା ତ କେତେବେଳେ କିନ୍ନର। କେତେବେଳେ ଛାମୁଆ ସଂଗଠନ ଏହି ବିବାଦକୁ ନେଇ ଆଗକୁ ଆସି ପରସ୍ପରର ଗୋହି ଖୋଳୁଛନ୍ତି। ଏପଟେ ରାଜନୈତିକ ବୟାନବାଜି ମଧ୍ୟ ବଢିବାକୁ ଲାଗିଛି ।

ବିଜେଡି ବନାମ ବିଜେପି । କିନ୍ନର ବନାମ କିନ୍ନର । ବିଜେଡି ମହିଳା ୱିଙ୍ଗ ବନାମ ବିଜେପି ମହିଳା ମୋର୍ଚ୍ଚା । ସକାଳ ହେବା କ୍ଷଣୀ ଆରମ୍ଭ ହୋଇଯାଉଛି ରାଜନୈତିକ ବାଦୀପାଲା । ବିରୋଧି ଦଳ ନେତାଙ୍କ ଘର  ସାମ୍ନାରେ ଜମୁଛି ଗହଳି । ବିରୋଧ ପ୍ରତିବାଦରେ ଫାଟି ପଡୁଛି ବାସଭବନ । କେତେବେଳେ କିନ୍ନର ତ ଆଉ କେତେବେଳେ ବିଭିନ୍ନ ମହିଳା ୱିଙ୍ଗ ତରଫରୁ ଜୟ ନାରାୟଣଙ୍କ ଇସ୍ତଫା ସାଙ୍ଗକୁ ବହିଷ୍କାର ଦାବିରେ ଅଡି ବସୁଛି ବିଜେଡି ।  ଖାଲି ଏତିକି ନୁହେଁ ବିଜେପି ଓ ବିଜେଡି ଅଫିସ ମଧ୍ୟ ବେଶ ଚଳଚଞ୍ଚଳ ହେଉଛି । ଆକ୍ରମକ ମୁଦ୍ରାରେ ଉଭୟ ଦଳ ତରଫରୁ ସାମ୍ୱାଦିକ ସମ୍ମିଳନୀ ଜାରି ରହିଛି । ଏପଟେ ଘର ସାମ୍ନାରେ ହେଉଥିବା ପ୍ରତିବାଦକୁ ଭେଳିକି କହି ହାଲକା କରିଦେଇଛନ୍ତି ବିରୋଧି ଦଳ ନେତା । କିନ୍ନରମାନେ ଆନ୍ଦୋଳନ ପାଇଁ ଆସିଥିବା ବେଳେ ମୋ ଠାରୁ ମିଠା ଖାଇ ମୋତେ ଆଶିର୍ବାଦ ଦେଇ ଗଲେ ବୋଲି କହିବା ସହ ବାଧ୍ୟ ବାଧକତାରେ ଦଳୀୟ ଚାପ ପାଇଁ ଲୋକ ଆସୁଥିବା ଅଭିଯୋଗ ଆଣିଛନ୍ତି । ଏପଟେ ବିଜେଡି ଜୟନାରାୟଣଙ୍କୁ ଟାର୍ଗେଟ କରିବା ବିଜେପି ରାଜ୍ୟ ସଭାପତିଙ୍କ ଉତ୍ତର ଲୋଡିଛି ଦଳ । ସେପଟେ କେବଳ କର୍ମୀଙ୍କ ଭିତରେ ଆଇନ ଶୃଙ୍ଖଳା ଆନ୍ଦୋଳନ ହେଉଥିବା ବେଳେ ଦିଲ୍ଲୀରେ ବିଜେଡି ଓ ବିଜେପି ଭାଇ ଭାଇ କହି ନିଶାନା ସାଧିଛି କଂଗ୍ରେସ ।

ସେପଟେ ଶନିବାର ମଧ୍ୟ ବିରୋଧି ଦଳ ନେତାଙ୍କ ଘର ସାମ୍ନାରେ ପ୍ରତିବାଦକୁ ଯୋରଦାର କରିଥିଲା ବିଜେଡି । ବହୁ ସଂଖ୍ୟାରେ ମହିଳା ଏକାଠି ହୋଇ ପ୍ରତିବାଦ କରିବା ସହ ଜୟ ନାରାୟଣ ମିଶ୍ର ଛି ଛି ର ନାରା ଦେଇଥିଲେ । ଏ ପ୍ରତିବାଦକୁ କଡା କାଉଣ୍ଟର କରି ଯୁବ ବିଜେପି ତରଫରୁ ମଧ୍ୟ ନିବୀନ ନିବାସ ଘେରାଉ ପାଇଁ ବାହାରିଥିଲେ ଶହ ଶହ କର୍ମୀ । ଶିଶୁ ଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇବାରୁ ଦେଖିବାକୁ ମିଳିଥିଲା ତୁମୁଳକାଣ୍ଡ ।

ନବ ଦାସ ହତ୍ୟାକାଣ୍ଡକୁ ନେଇ ଆରମ୍ଭ ହୋଇଥିବା ବିଜେପିର ଆଇନ ଅମାନ୍ୟ ଆନ୍ଦୋଳନ ଜାଲରେ ଏବେ ନିଜେ ବିଜେପି । କାରଣ ନବ ଦାସ ପ୍ରସଙ୍ଗକୁ ଢାଲ କରି ରାଜ୍ୟ ସରକାରଙ୍କୁ ଘେରିବ ନା ବିରୋଧି ଦଳ ନେତାଙ୍କୁ ବିଜେଡି ନିଶାନାରୁ ବଞ୍ଚାଇବ ତାକୁ ନେଇ ଦ୍ୱନ୍ଦରେ ରାଜ୍ୟ ବିଜେପି ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *