ଅନାସ୍ଥା ଅସ୍ତ୍ରର ଆଳ- ସରକାରଙ୍କୁ ବିରୋଧୀଙ୍କ ଆଇନା

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ଦିବଂଗତ ସଦସ୍ୟଙ୍କ ସମ୍ମାନାର୍ଥେ ଆଜି ସିନା ଗୃହକୁ ମୁଲତବୀ କରିଦିଆଗଲା। କିନ୍ତୁ ବିଧାନସଭା ପରିସରରେ ଓ ବାହାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୀତିକ ହଲଚଲ ବେଶ୍ ଥିଲା। ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଲା କଂଗ୍ରେସ। ମୋହନ ସରକାର ଅମଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ସାର ସଙ୍କଟ, ଚାଷୀ ଦୁର୍ଦ୍ଦଶା, ମହିଳା ନିର୍ଯାତନା ବୃଦ୍ଧି, ବେରୋଜଗାର ଆଦି ପ୍ରସଙ୍ଗକୁ ଗଣ୍ଠି କରି ଆଉ ଆସ୍ଥା ନାହିଁ ବୋଲି କହିଛି କଂଗ୍ରେସ। ଏ ସନ୍ଦର୍ଭରେ ବାଚସ୍ପତିଙ୍କୁ ଅନାସ୍ଥା ସଂକ୍ରାନ୍ତରେ ସଚିବଙ୍କ ଜରିଆରେ ନୋଟିସ୍ ଦେଇଛି କଂଗ୍ରେସ। ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ବି ରହିଛି। ତେବେ ଅନାସ୍ଥା ପ୍ରସ୍ତାବରେ ବିଜେଡିକୁ ସମର୍ଥନ ମାଗିଛି କଂଗ୍ରେସ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାମ୍ୱରକୁ ଯାଇ ବିଜେଡିର ସମର୍ଥନ ମାଗିଥିଲା କଂଗ୍ରେସ। ନବୀନଙ୍କ ଅନୁପସ୍ଥିତିରେ ବିରୋଧୀ ଦଳ ଉପ-ମୁଖ୍ୟ ସଚେତକ ପ୍ରତାପ ଦେବଙ୍କୁ ସମର୍ଥନ ମାଗିଥିଲା କଂଗ୍ରେସ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟ ସ୍ୱାର୍ଥସମ୍ୱଳିତ ପ୍ରସଙ୍ଗରେ ଯାହା କରିବା କଥା ତାହା କରିବାକୁ ଦଳ ପ୍ରତିବଦ୍ଧ। ମୋହନ ସରକାରରେ ଲୋକଙ୍କ ଭରସା ଆଉ ନାହିଁ। ୧୫ ମାସ ଭିତରେ ସବୁ ବର୍ଗ ହନ୍ତସନ୍ତ। ବିଜେଡି ଯେଉଁ ପ୍ରସଙ୍ଗକୁ ଉଠାଇବାକୁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛି, ତାକୁ ଫୋକସ୍ କରିବ। ଅନାସ୍ଥା ଆଣିବା ଆଗରୁ ବିଜେଡି ସହ କଂଗ୍ରେସ ଆଲୋଚନା କରିନି। ଆଉ ଶାସକ ଦଳ ଏଭଳି ଅନାସ୍ଥାକୁ କଟାକ୍ଷ କରିଛି। ବାବୁ ସିଂ କହିଛନ୍ତି, ଜଗତେ କେବଳ ଜନେ ହସିବେ। ଅନାସ୍ଥା ଆଣିବାକୁ ହେଲେ ସଂଖ୍ୟା ଦରକାର। ମାତ୍ର ଏକ ଦଶମାଂଶ ସଂଖ୍ୟା ଥାଇ ଅନାସ୍ଥା ପ୍ରସ୍ତାବର କୌଣସି ପ୍ରଭାବ ପଡ଼ିବନି। ତୀର୍ଯ୍ୟକ ତୀର ମାରି ଜୟନାରାୟଣ କହିଛନ୍ତି, ବିଜେଡି ଓ କଂଗ୍ରେସ ଭିତରେ ସିଲଭର ମେଡାଲ ଲାଗି ଲଢ଼େଇ ଚାଲିଛି। ଅନାସ୍ଥା କେବଳ ଏକ ଆଳ। ସେପଟେ ନିଅଁଟିଆ ସାର ଓ ବ୍ୟାପକ କଳାବଜାରୀ ସମସ୍ୟାର ସମାଧାନ ଲାଗି କିଷାନ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ  ଭେଟି ହସ୍ତକ୍ଷେପ ଲୋଡ଼ିଛି। ଅଖିଳଭାରତ କିଷାନ କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଅମୀୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମାନିଛନ୍ତି, ସାରର କଳାବଜାରୀ ହେଉଛି। ଏହାକୁ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି, ଅନେକ ଡିଲରଙ୍କ ଉପରେ ଆକ୍ସନ ହେଲାଣି। ରାଜ୍ୟରେ କିନ୍ତୁ ଆବଶ୍ୟକୀୟ ପରିମାଣର ସାର ମହଜୁଦ୍ ଅଛି। ଅଧିବେଶନ ଆରମ୍ଭରୁ ଅନାସ୍ଥା ଆଣିଲା କଂଗ୍ରେସ। ନାରୀ ନିର୍ଯାତନା, ସାର ସଙ୍କଟ, ଆଇନଶୃଙ୍ଖଳା ଭଳି ଅନେକ ପ୍ରସଙ୍ଗରେ ଓଡ଼ିଶା ଜଳୁଛି ବୋଲି ଆରୋପ ଲଦିଛନ୍ତି ବିରୋଧୀ। ଏଭଳି ଅନାସ୍ଥା ସଂଖ୍ୟା ଗଣିତରେ ସିନା କାଟ୍ ଖାଇଯିବ। ଏ କଥା ବିରୋଧୀଙ୍କୁ ବି ଜଣା। କିନ୍ତୁ ସରକାରଙ୍କୁ ଆଇନା ଦେଖାଇବାକୁ ଅନାସ୍ଥାକୁ ଅସ୍ତ୍ର କରିଛନ୍ତି ବିରୋଧୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *