ଅଧିକାରୀଙ୍କ ବଦଳି ଦଣ୍ଡ ନା ପୁରସ୍କାର

କେନ୍ଦୁଝର: କେନ୍ଦୁଝରରୁ ନବରଙ୍ଗପୁର ବଦଳି ହେଲେ ସିଡିଏମଓ। ନବରଙ୍ଗପୁରରୁ କଟକ ବଦଳି ହେଲେ ଅତିରିକ୍ତ ଏସପି। ତେବେ ଏହି ଦୁଇ ଅଧିକାରୀଙ୍କ ବଦଳି ପଛରେ ବିବାଦ ଲାଗିଥିଲା। ଜଣେ ଶିଶୁ ମଡ଼କ ପାଇଁ ତ ଆଉ ଜଣେ ସାମ୍ୱାଦିକଙ୍କୁ ଆକ୍ରମଣ ଓ ମହିଳାଙ୍କୁ ଅସଦାଚରଣରେ ଛନ୍ଦି ହୋଇଛନ୍ତି। ତେବେ ଏଭଳି ବଦଳି କଅଣ ଦଣ୍ଡ ବୋଲି କୁହାଯିବ ନା ଏଭଳି ବଦଳିରେ କିଛି ପରିବର୍ତ୍ତନ ଆସିବ। କେବଳ ଜନତାଙ୍କ ରୋଷରୁ ବର୍ତ୍ତିବାକୁ ପ୍ରଶାସନର ଏଭଳି ଆଭିମୁଖ୍ୟ ନା ଏଭଳି ଅବହେଳା ଓ ଆଚରଣକୁ ରୋକିବାକୁ ବୋଲି ପ୍ରଶ୍ନ ଉଠୁଛି।

କେନ୍ଦୁଝର ହସ୍ପିଟାଲରେ ୧୮ ଦିନରେ ୧୩ ନବଜାତକଙ୍କ ମୃତ୍ୟୁକୁ ନେଇ ଚାରିଆଡ଼େ ହଇଚଇ ଖେଳିଥିଲା। କାହାର ଅବହେଳା ଲାଗି ଶିଶୁ ମଡ଼କ ପଡ଼ିଲା, ତାକୁ ନେଇ ତନାଘନା ବି ହୋଇଛି। ଆଉ ଶେଷରେ ସିଡିଏମଓ ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରିଦେଇଛନ୍ତି ସରକାର। ନବଜାତକଙ୍କ ଜୀବନ କେମିତି ଗଲା। କାହା ଅବହେଳାରୁ ଏମିତି ହେଲା। ଏ ସବୁ ସ୍ପଷ୍ଟ ହୋଇନଥିଲା ବେଳେ ବଳି ପଡ଼ିଲେ ସିଡିଏମଓ। ତେବେ ବଳି କହିବା ବି ଠିକ୍ ହେବନି। କେବଳ ବଦଳି କରିଦେଇଛି ସ୍ୱାସ୍ଥ୍ୟ ବିଭାଗ। ତା ପୁଣି ନବରଙ୍ଗପୁରକୁ। ଯେଉଁ ଜିଲ୍ଲାରେ ଏକଦା ଶିଶୁ ଓ ମାତୃମୃତ୍ୟୁହାର ସବୁଠୁ ଅଧିକ ଥିଲା। ଏସଏନସିୟୁରେ ଅଧିକ ରୋଗୀ ସାଙ୍ଗକୁ ଡାକ୍ତରଙ୍କ ଅଭାବକୁ କହିଥିଲେ ସେତେବେଳେ ସିଡିଏମଓ।

ଏ ତ ଗଲା ସିଡିଏମଓଙ୍କ କଥା। ଏବେ ନବରଙ୍ଗପୁରର ଅତିରିକ୍ତ ଏସପି ହୃଷୀକେଶ ବେହେରାଙ୍କ ଆଚରଣକୁ ନେଇ ବିବାଦ ଓ ବଦଳି ଉପରେ ପକାଇବା ଦୃଷ୍ଟି। ଏହା ଦଣ୍ଡ ନା ପୁରସ୍କାର ବୋଲି ସବୁଠି ଚର୍ଚ୍ଚା ହେଉଛି। ସାମ୍ୱାଦିକଙ୍କୁ ଆକ୍ରମଣ, ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ସାମ୍ୱାଦିକ ସଂଘ ତାତିଥିଲା ବେଳେ ବିରୋଧୀ ଦଳଗୁଡ଼ିକ ବି ଆକ୍ସନ ଲାଗି ଅଲଟିମେଟମ ଦେଇଥିଲେ ପ୍ରଶାସନକୁ। ଆଉ ଜନତା ରୋଷକୁ ପ୍ରଶମିତ କରିବାକୁ ହୃଷୀକେଶଙ୍କୁ କଟକ ବଦଳି କରିଦେଇଛନ୍ତି କି ସରକାର?

ତେବେ ବଦଳି କଅଣ ଆକ୍ସନ କି। ବଦଳି, ନିଲମ୍ୱନ ଆକ୍ସନ ଭିତରେ ଜନତାର ରୋଷକୁ ପ୍ରଶମିତ କରି ସରକାର ସବୁଦିନ ଲାଗି ସମସ୍ୟାର ସମାଧାନ ଦିଗରେ ପ୍ରୟାସରତ କି। ଯଦି ସମସ୍ୟା ସମାଧାନ ହେଲା, ତାହେଲେ ଏଭଳି ବଦଳିର ଯଥାର୍ଥତା ରହିଛି। ତା ନହେଲେ କେବଳ ପ୍ରହସନ। କିଏ ଜିତିଲା କିଏ ହାରିଲା ଥିଓରୀରେ ଘାରି ହେବା ହିଁ ସାର ହେବ।

ପାର୍ଥ ମିଶ୍ର, ରବି ପଟ୍ଟନାୟକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *