ରାଜ୍ୟରେ ବଢୁଛି କି ବିଦେଶୀ ଶକ୍ତିର ପ୍ରଭାବ? 

Spread the love

ଭୁବନେଶ୍ବର: ଜନସଭାରେ ସଂଜୟ ଦାସ ବର୍ମାଙ୍କ ବୟାନ ଏବେ ରାଜ୍ୟ ରାଜନୀତିରେ ଚର୍ଚା ସୃଷ୍ଟି କରିଛି । କାହାର ନା ନ ନେଇ ରାଜ୍ୟରେ ଏକ ବିଦେଶୀ ଶକ୍ତି କାମ କରୁଥିବାର ଅଭିଯୋଗ ଆଣିଛନ୍ତି । ଏମିତି କି ସେମାନେ ରାଜ୍ୟର ସ୍ୱାର୍ଥ ବିରୋଧରେ କାମ କରୁଥିବା କହିଛନ୍ତି ।

ରାଜ୍ୟରେ ବଢୁଛି କି ବିଦେଶୀ ଶକ୍ତିର ପ୍ରଭାବ?  କିଏ କରୁଛି ଖଣିଜ ସଂପଦ ଓ ରତ୍ନଭଣ୍ଡାର ଲୁଣ୍ଠନର ମସୁଧା? ନିଜ ନିଷ୍ପତିକୁ କିଏ ଲଦୁଛି ଅନ୍ୟ ଉପରେ? କାହା କଥା କହିବାକୁ ଯାଇ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା। ୨୦୧୯ ସାଧାରଣ ନିର୍ବାଚନରେ ପରାଜୟ ପରେ ସେ ଦଳରେ ଏକ ପ୍ରକାର କୋଣଠେସା ହୋଇ ରହିଆସୁଛନ୍ତି । ଆଉ ଦିର୍ଘ ଦିନର ନିରବତା ପରେ ସଞ୍ଜୟ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ପୁରୀ ସଦର ବ୍ଲକ ମାଳସାହିରେ ଜନସମ୍ପର୍କ ପଦଯାତ୍ରା ବେଳେ ନିଜ ମନର କଥା ସାଧାରଣ ଜନତାଙ୍କ ସାମ୍ନାରେ କହିଛନ୍ତି । ଯାହାକି ରାଜନୈତିକ ମହଲରେ ଚହଳ ପକାଇଛି । କାହାର ନାଁ ନ ନେଇ ଓଡ଼ିଶାକୁ ଏବେ ଲୁଟିବା ପାଇଁ କିଛି ଶକ୍ତି କାମ କରୁଛନ୍ତି ଓ ସେମାନଙ୍କୁ ହରାଇବାକୁ ପଡ଼ିବ କହିବା ଅନେକ ସଙ୍କେତ ଦେଇଛି । କିଏ ସେ ବାହାର ଲୋକ ରାଜ୍ୟ ବାହାରର ନା ଦେଶ ବାହାରର । ଏବଂ କିଏ ସେ ଗୋଷ୍ଠୀ ଯିଏ ଜୋର ଜବରଦସ୍ତି ନିଜ ନିଷ୍ପତିକୁ ଅନ୍ୟ ଉପରେ ଲଦୁଛି ତାର ତର୍ଜମା ସମସ୍ତେ ନିଜ ନିଜ ସ୍ତରରେ ଆରମ୍ଭ କରିଛନ୍ତି।

ସଂଞ୍ଜୟଙ୍କ ଏପରି ବୟାନ ଦଳ ଭିତରେ ସବୁ କିଛି ଠିକ୍ ନଥିବା ଦର୍ଶାଉଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । କାରଣ ସେ ଦିର୍ଘଦିନ ଧରି କ୍ଷମତାରେ ଥିଲେ । ଖାଦ୍ୟ ଯୋଗାଣ ମନ୍ତ୍ରୀ ଠାରୁ ଆରମ୍ଭ କରି ନିର୍ବାଚନରେ ପରାଜୟ ପରେ ମଧ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ହେଲେ ନିଗମ ଆବଣ୍ଟନ ବେଳେ ତାଙ୍କ ଭାଗ ପଡ଼ି ନଥିଲା । ଏମିତି କି ବଡ ବଡ ଦଳୀୟକାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଆଉ ଦେଖିବାକୁ ମିଳୁ ନଥିଲା । ତେଣୁ ଅଭିମାନ ହେଉ କି ରାଜନୈତିକ ଭବିଷ୍ୟତକୁ ନେଇ ଅସୁରକ୍ଷିତ ସଞ୍ଜୟ ଏପରି କହି ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥାଇ ପାରନ୍ତି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ତେବେ ଦେଖିବାକୁ ବାକି ରହିଲା ସଂଜୟଙ୍କ ଏ ଅସନ୍ତୋଷ ଏତିକିରେ ରହୁଛି ନା ଆଗକୁ ଆହୁରି ବଢୁଛି ।

ଜ୍ୟୋତିର୍ମୟୀଙ୍କ ସହ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *