ରାତି ପାହିଲେ ପଦ୍ମପୁର ଫୈସଲା

ଭୁବନେଶ୍ବର: ରାତି ପାହିଲେ ରେଜଲ୍ଟ। ଧଡ଼ ଧଡ଼ ନେତାଙ୍କ ଛାତି । ଏତିକି ଭିତରେ ପଦ୍ମପୁର ଦାୟୀତ୍ୱରେ ଥିବା ସବୁ ବିଧାୟକ ଓ ମନ୍ତ୍ରୀଙ୍କୁ ନବୀନ ନିବାସ ଡ଼ାକି ପଦ୍ମପୁର ନିର୍ବାଚନର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ଏତିକି ନୁହଁ ରେଜଲ୍ଟ ଆସି ନଥିବାବେଳେ ବିଜେଡ଼ି ବିଜୟ ହେଲେ ଲୋକଙ୍କୁ ଧନ୍ୟବାଦ ଦେବାପାଇଁ ଗ୍ରାଉଣ୍ଡକୁ ଯିବାକୁ ନବୀନ ନିର୍ଦେଶ ଦେଇଛନ୍ତି । ଭୟଭୀତ ଥିବାରୁ ବିଜେଡି ଏଭଳି ସୁଆଙ୍ଗ କରୁଥିବା କଥା କହିଛି ବିରୋଧୀ।

ଗୁରୁବାର ହେବ ପଦ୍ମପୁର ଫୈସଲା  । ତା ପୂର୍ବରୁ ବିଜେଡ଼ିର ୨୪ ପାଇଁ ସମର ସଜ୍ଜା । ପଦ୍ମପୁର ସେନାକୁ ନବୀନ ନିବାସ ଡକରା । ଗୁରୁବାର ପଦ୍ମପୁର ଫଳ। କିନ୍ତୁ ପଲ୍ଲା ଭାରି ଅଛି ନା କମିଗଲା, ତାକୁ ନେଇ ସୁପ୍ରିମୋ ଟେନସନରେ! ସେଥିଲାଗି ପଦ୍ମପୁର ଦାୟିତ୍ୱରେ ଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ନବୀନ ନିବାସ ଡକରା ପଡ଼ିଥିଲା। ଯେଉଁ ଅଞ୍ଚଳର ଦାୟିତ୍ୱ ଯାହାକୁ ଦିଆଯାଇଥିଲା, ସେଠି କେତେ ଭୋଟ ଦଳ ସପକ୍ଷରେ ପଡ଼ିଛି, ତାହାର ଲେଖାଯୋଖା ରିପୋର୍ଟ ସିଧା ସଭାପତିଙ୍କ ପାଖରେ ଦାଖଲ କରିଛନ୍ତି ନେତାଏ। କେବଳ ଏତିକି ନୁହେଁ, ଗ୍ରାଉଣ୍ଡରେ ରହିଥିବା ନେତାଙ୍କଠୁ ଲୋକଙ୍କ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କିତ ରିପୋର୍ଟକୁ ବି ୧୫ ତାରିଖ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ମିଳିଛି। ବଡ଼ କଥା ହେଲା ବିଜୟ ନେଇ ବେଶ୍ ଦୃଢତା ଦେଖାଉଥିବା ଦଳର ସବୁ ନେତା ପଦ୍ମପୁର ଯାଇ ଲୋକଙ୍କୁ ଧନ୍ୟବାଦ ଦେବା ସହ ୨୪କୁ ନଜରରେ ରଖି ଦଳର ବାର୍ତ୍ତା ଓ ଯୋଜନାକୁ ପହଞ୍ଚାଇବାକୁ ଖସଡ଼ା ହୋଇଛି।

ସେପଟେ ବିଜେଡ଼ିର ଏଭଳି ରୁଦ୍ଧଦ୍ୱାର ବୈଠକ ପରାଜୟ ଭୟର ପ୍ରତିଫଳନ ବୋଲି କଟାକ୍ଷ କରିଛି ପଦ୍ମ କ୍ୟାମ୍ପ୍। ବିଜେପି ସେଠାରେ ଜିତୁଛି ଆଉ ନବୀନ ମ୍ୟାଜିକ ଚିତପଟ୍ଟାଙ୍ଗ ମାରିଛି ବୋଲି ଦମ୍ଭ ଦେଖାଇଛି ବିଜେପି। ଆଉ ହାର ଜିତ ଅଙ୍କରୁ ବେଶ୍ ଦୂରରେ ଥିବା କଂଗ୍ରେସ କହୁଛି, ଏହା କେବଳ ମିଛ ସୁଆଙ୍ଗ।

ସବୁଠାରୁ ବଡ଼ କଥା ହେଲା ୨୪ ସାଧାରଣ ନିର୍ବାଚନ ପୂର୍ବରୁ ୩ ଦଳ ପାଇଁ ଏହି ଉପନିର୍ବାଚନ ଏସିଡ଼ ଟେଷ୍ଟ । ସ୍ଥାନୀୟ ପ୍ରସଙ୍ଗ ଭିତ୍ତିରେ ଲଢାଯାଇଥିବା ପଦ୍ମପୁର  ଜନାଦେଶ କାହା ସପକ୍ଷରେ ଯାଉଛି ତାହାରି ଉପରେ ଏବେ ନଜର ।

ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *