ଆଜି ପଞ୍ଚକର ଦ୍ୱିତୀୟ ଦିବସ

Spread the love

ପୁରୀ:  ଧର୍ମମାସ କାର୍ତ୍ତିକ ସହ ଆଜି ପଞ୍ଚକର ଦ୍ୱିତୀୟ ଦିବସ l କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଅନୁଷ୍ଠିତ ହେଉଥିବା ବେଳେ ପଞ୍ଚକ ପାଞ୍ଚ ଦିନରେ ମହା ପ୍ରଭୁଙ୍କର ପାଞ୍ଚ ପ୍ରକାରର ବେଶ ଅନୁଷ୍ଠିତ ହୋଇଥାଏ l ଆଜି ଶ୍ରୀ ଜୀଉଙ୍କ ବାଙ୍କଚୁଡ ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ ଦର୍ଶନ କରିବା ଲାଗି ଶ୍ରୀ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି l ସେପଟେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା l

ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଚିତାକର୍ଷକ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହୋଇଛି । ଯେତେବେଳେ ଅକ୍ରୁର ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ  ଯାଇଥିଲେ ସେ ସମୟରେ ବ୍ରଜଦାଣ୍ଡରେ ଏହି ରୂପରେ ଅକ୍ରୁର ଦର୍ଶନ କରିଥିଲେ। ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି । ଏହି ବେଶରେ ଠାକୁର ମାନେ ସୁଵର୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି ।

ଚୁଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ସେପଟେ ଆସନ୍ତାକାଲି ମହାପ୍ରଭୁଙ୍କ ତିବିକ୍ରମ ବେଶ ଅନୁଷ୍ଠିତ ହେବ ।

ସେହିପରି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳାର ସହ ଦର୍ଶନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମରଚି କୋଟ ଛକ ନିକଟରୁ ସ୍ୱତନ୍ତ୍ର ବାରିଗେଟ ବ୍ୟବସ୍ତା କରାଯାଇଥିବା ବେଳେ ପୁରୀ ମୁନିସିପାଲିଟି ପକ୍ଷରୁ ଭକ୍ତଙ୍କ ଲାଗି ମାଗଣାରେ ଜୋତା ଏବଂ ଲଗେଜ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଭକ୍ତ ମାନେ ସିଂହଦ୍ୱାରରେ ପ୍ରବେଶ କରି ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି l ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 26 ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏହି ସମସ୍ତ ବ୍ୟବସ୍ଥାକୁ ଜିଲ୍ଲାପାଳ ବୁଲି ସମୀକ୍ଷା କରିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ଜିଲ୍ଲାପାଳ l ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ କାର୍ତ୍ତିକ ମାସରେ ମହା ପ୍ରଭୁଙ୍କର ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି l

Leave a Reply

Your email address will not be published. Required fields are marked *